ଭୟଭିତ ନଦୀକୂଳିଆବାସୀ
ଉଜୁଡିବ ଶହଶହ ଏକର ସାରଦ ଧାନତଳି!
ଆରଡି : ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ପ୍ରାୟ ୨ଶହ ଫୁଟର ଲୁଣାବନ୍ଧ ବୁଧବାର ସାମୁଦ୍ରିକ ଜୁଆର ମାଡରେ ନଦୀ ମଧ୍ୟକୁ ଧସି ଯାଇଥିଲା। ଯାହାକୁ ନେଇ ନଦୀକୂଳିଆବାସୀ ଭୟଭିତ ହୋଇପଡିଥିବାବେଳେ ଶହଶହ ଚାଷୀଙ୍କର ଧାନ ତଳି ଉଜୁଡି ଯିବ ବୋଲି ଆଶଙ୍କା ଦେଖା ଦେଇଛି। ଗତ ଦୁଇଦିନ ତଳେ ଅମାବାସ୍ୟା ଜୁଆର ମାଡର ଅତଡା ଖଣ୍ଡ ଖସୁଥିବା ଗ୍ରାମବାସୀ ପ୍ରକାଶ କରିବା ସହ ବୁଧବାର ୨ଶହ ଫୁଟ ଲମ୍ବର ଲୁଣାବନ୍ଧ ନଦୀ ମଧ୍ୟକୁ ଧସି ଯାଇଥିବା ଗାଁର ନିତ୍ୟାନନ୍ଦ ମଲିକ, କେଦାର ଦାସ ପ୍ରମୁଖ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଗ୍ରୀଷ୍ମଋତୁରେ ଅଦିନିଆ ବର୍ଷାରେ ଉକ୍ତ ସ୍ଥାନରେ ଲୁଣାବନ୍ଧ ପ୍ରାୟ ୩ଶହ ଫୁଟ ଧସି ଯାଇଥିବା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଯାଜପୁର ଜଳସେଚନ ବିଭାଗ ଗ୍ରାମବାସୀଙ୍କ ଅଭିଯୋଗ ଶୁଣିନଥିବା ଏବେ ମୁଆଁ ଗାଁର ନଦୀକୂଳିଆଙ୍କ ସହ ଚାଷୀମାନେ ପ୍ରକାଶ କରିଛନ୍ତି। ଏପରିକି ତାଙ୍କର କହିବା ଅନୁଯାୟୀ ଯଦି ଖରାଦିନେ ଏହି ସ୍ଥାନରେ ଲୁଣାବନ୍ଧର ମରାମତି ହୋଇଥାନ୍ତା ତେବେ ଏପରି ଭୟାନକ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ହେଲେ ଜଳସେଚନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଏବେ ଯଦି ଲୁଣାବନ୍ଧ ସମ୍ପୂର୍ଣ୍ଣ ଧୋଇଯାଏ ତାହାହେଲେ ଶହଶହ ଏକର ସାରଦ ଧାନତଳି ଉଜୁଡି ଯିବ ବୋଲି ଆଶଙ୍କା ଦେଖାଦେଇଛି। ଆଗକୁ ଯଦି ଲଗାଣ ବର୍ଷା କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ଘାଇ ହେବା ସନୁଶ୍ଚିତ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।



