ଚାନ୍ଦପୁରରେ ପରକିୟା ପ୍ରୀତିରୁ ହତ୍ୟା ଘଟଣା : ପଞ୍ଚମ ଅଭିଯୁକ୍ତ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଚାନ୍ଦପୁର-ସିହଳା ରାସ୍ତାର ରେଳ ଫାଟକ ସନ୍ନିକଟ ଏକ ପରିତ୍ୟକ୍ତ କୂଅରୁ ମିଳିଥିବା ମୃତ ଦେହ ଘଟଣାରେ ସମ୍ପୃକ୍ତ ଥିବା ପଞ୍ଚମ ଅଭିଯୁକ୍ତକୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ଚାନ୍ଦପୁରର ରାଜେନ୍ଦ୍ର ଦାସ(୨୧) ବୋଲି ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ବୁଧବାର ଦିନ ଜଣେ ମହିଳା ସୁନିତା ଦାସ ସମେତ ବାପା ସନ୍ତୋଷ ଦାସ ଓ ଦୁଇ ଭାଇ କାହ୍ନା ଓ ଗଣେଶ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୃତ ଟୁଟୁଙ୍କ ସହ ଚାନ୍ଦପୁରର ସୁନୀତାଙ୍କ ସହ ଏକତରଫା ପ୍ରେମ ସଂପର୍କ ରହିଥିଲା। ଯାହାକୁ ସୁନୀତା ସମେତ ତାଙ୍କ ପରିବାର ବିରୋଧ କରି ଆସୁଥିଲେ। ଗତ ୧୮ ତାରିଖରେ କୌଶଳ କ୍ରମେ ସୁନିତା ଟୁଟୁ ନାଇକକୁ ଚାନ୍ଦପୁର ବିଦ୍ୟାଳୟ ନିକଟକୁ ଆସିବାକୁ ଫୋନ କରିଥିଲେ। ଏଥିରେ ଟୁଟୁ ରାଜି ହୋଇ ସେଠାରେ ପହଞ୍ଚିଥିଲେ । କିନ୍ତୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସୁନିତାଙ୍କ ବାପା ସମେତ ତିନି ଭାଇ ସେଠାରେ ଛପି ରହିଥିଲେ। ଟୁଟୁ ପହଞ୍ଚିବା ପରେ ସେମାନେ ହାତରେ ଧରିଥିବା କାଠ ଫାଳିଆ ସହ କଟୁଆ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ଟୁଟୁଙ୍କ ମୃତ୍ୟୁ ଘଟିଥିଲା। ପରେ ଟୁଟୁର ମୃତ ଦେହକୁ ଏକ ପ୍ଲାଷ୍ଟିକ ଜରିରେ ଗୁଡ଼ାଇ କୂଅରେ ଫୋପାଡି ଦେଇଥିଲେ।

Comments are closed.