www.samajalive.in
Thursday, December 11, 2025
15.1 C
Bhubaneswar

ଓଡ଼ିଶା ଗାଁରେ ଆନ୍ଧ୍ର ରାଜୁତି: ରାଜ୍ୟ ଯୋଜନା ଅପହଞ୍ଚ, ଆନ୍ଧ୍ର ବାଣ୍ଟିଲା ଜମିପଟ୍ଟା

ପାତ୍ରପୁର, ୨୬ା୧୧(ରବୀନ୍ଦ୍ର କୁମାର ମିଶ୍ର): ଓଡ଼ିଶାର ଜଙ୍ଗଲ, ଜମି ଓ ଜଳକୁ ଅକ୍ତିଆର କରିବାକୁ ପଡୋଶୀ ଆନ୍ଧ୍ର ସରକାର ସୀମାନ୍ତ ଅଞ୍ଚଳରେ ଅହରହ ଉଦ୍ୟମ ଜାରି ରଖିଛି। ଗଞ୍ଜାମ ଜିଲାର ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକର ଏକାଧିକ ଗ୍ରାମ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡିଛି। ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ଗାଁ ଆଦିବାସୀଙ୍କ ସରଳତାର ସୁଯୋଗ ନେଉଛି ଆନ୍ଧ୍ର। ବିଭନ୍ନ ପ୍ରକାର ସହାୟତା ଯୋଗାଇ ଆନ୍ଧ୍ର ନିଜ ସପକ୍ଷରେ ନେବା ଉଦ୍ୟମ ଜାରି ରଖିଛି। ଓଡ଼ିଶାର ବିଭିନ୍ନ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରାସ୍ତା, ଖାଦ୍ୟ, ପାନୀୟଜଳ ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ଆନ୍ଧ୍ର ଯୋଗାଇ ଚାଲିଛି। ସେଠାରେ ନୂତନ ସରକାର କ୍ଷମତାସୀନ ହେବା ପରେ ଏହି ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଛି। ଏବେ ଆନ୍ଧ୍ର ସରକାର ଆଉ ପାଦେ ଆଗେଇ ଯାଇ ଓଡ଼ିଶାର ଲୋକଙ୍କୁ ଚାଷ ଜମିପଟ୍ଟା ଯୋଗାଇଛନ୍ତି। ଓଡିଶା ପ୍ରଶାସନ ଏହିସବୁ ଗ୍ରାମରେ କୌଣସି ଘଟଣା ଘଟିଲେ ଦିନେ ଦୁଇ ଦିନ ତତ୍ପରତା ପ୍ରକାଶ କରି ପରବର୍ତ୍ତୀ ସମୟରେ ସେସବୁ ଗ୍ରାମର ସ୍ଥିତାବସ୍ଥା ଭୂଲି ଯାଉଥିବାରୁ ତାହାର ସୁଯୋଗ ନେଉଛି ଆନ୍ଧ୍ର। ଓଡ଼ିଶାରେ ଘର କରି ରହିଥିବା ଲୋକଙ୍କୁ ଆନ୍ଧ୍ର ସରକାର ଜମିପଟ୍ଟା ବଣ୍ଟନ କରିବା ସମ୍ପର୍କରେ ଗଞ୍ଜାମ ଜିଲା ପ୍ରଶାସନ ଅବଗତ ନଥିବା ଭଳି ମନେ ହୋଇଛି। ଏଭଳି ଘଟଣା ପାତ୍ରପୁର ବ୍ଲକ ଦୁଇଗୋଟି ଆଦିବାସୀ ଗାଁ କୁଲାଡି ଓ ସାତପୁରୀରେ ଦେଖିବାକୁ ମିଳିଛି।


୨୫ଦିନ ତଳେ ଏହି ଦୁଇ ଗ୍ରାମର ୧୫ରୁ ଅଧିକ ପରିବାରକୁ ଆନ୍ଧ୍ର ସରକାରଙ୍କ ତରଫରୁ ଜମିପଟ୍ଟା ଗୌଡ଼ଗୁରୁଣ୍ଠି ପଞ୍ଚାୟତର କୃଷ୍ଟା ଗ୍ରାମଠାରେ ପ୍ରଦାନ କରାଯାଇଛି। ବାଦ ପଡିଥିବା ଅନ୍ୟ ଲୋକଙ୍କୁ ଆଗାମୀ ଦିନରେ ପଟ୍ଟା ପ୍ରଦାନ ସହ ସବୁ ପରିବାରକୁ ତିନିଏକର ଲେଖାଏ ଜମି ଯୋଗାଇ ଦିଆଯିବ ବୋଲି ମଞ୍ଜୁଷା ମଣ୍ଡଳର ରାଜସ୍ବ ବିଭଗ ଅଧକାରୀମାନେ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ଦୁଇଟି ଗ୍ରାମର ତଳଅଂଶ ମହେନ୍ଦ୍ର ତନୟା ନଦୀପାର୍ଶ୍ୱରେ ଥିବା ବାଉଁଶ ଜଙ୍ଗଲଭରା ଜମିକୁ ପରମ୍ପୋକ ଜମି ଦର୍ଶାଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ଜମିପଟ୍ଟା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟଯେ, ତୁମ୍ବା ପଞ୍ଚାୟତର କୁଲାଡି ଗ୍ରାମଟି ଘଞ୍ଚ ଜଙ୍ଗଲରେ ରହିଥିଲା। ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ଦେଖି ଓଡ଼ିଶା ସରକାରଙ୍କ ଉଦ୍ୟମ ପରେ ୩୩ବର୍ଷ ପୂର୍ବେ ଗ୍ରାମବାସୀ ପାହାଡ଼ ତଳକୁ ଓହ୍ଲାଇ ପୂର୍ବ ନାମରେ ବସତି ସ୍ଥାପନ କରିଥିଲେ। ଏହାପରେ ଗ୍ରାମର କିଛି ପରିବାର ଗ୍ରାମଠାରୁ ଅନତି ଦୂରଠାରେ ଆଉ ଏକ ନୂତନ ବସତି ସ୍ଥାପନ କରି ସାତପୁରୀ ଗଁା ନାମରେ ରହୁଛନ୍ତି। ଏହି ଦୁଇ ଗ୍ରାମକୁ ଯିବାକୁ ହେଲେ ତୁମ୍ବାରୁ ଚକାଆମ୍ବ , ଗୌଡୁଣି କିମ୍ବା ଆନ୍ଧ୍ରପଙ୍କାଳ ଏବଂ ଟିକରପଦା ଦେଇ ମହେନ୍ଦ୍ର ତନୟା ନଦୀ ପାର କରି ଯିବାକୁ ହୋଇଥାଏ।
ଉପରୋକ୍ତ ଦୁଇ ଗ୍ରାମ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ତୁମ୍ବା ପଞ୍ଚାୟତ ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲା ମଞ୍ଜୁଷା ମଣ୍ଡଳର ତଳଗୁରାଣ୍ଠି ପଞ୍ଚାୟତ ଅଧୀନରେ ରହିଛି। ଦୁଇ ଗ୍ରାମରେ ୩୦ରୁ ଅଧିକ ପରିବାରରେ ୧୨୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଲୋକଙ୍କ ମୁଖ୍ୟ ବେଉଷା ବଗଡ଼ ଚାଷ । ଲୋକଙ୍କ ପାଖରେ ଉଭୟ ରାଜ୍ୟର ଆଧାର, ଭୋଟ ପରିଚୟପତ୍ର, ପଡିକାର୍ଡ ରହିଥିବା ବେଳେ ଲୋକେ ଉଭୟ ରାଜ୍ୟରେ ଭୋଟ ଦେଉଛନ୍ତି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏହି ଦୁଇ ଗ୍ରାମକୁ ସଂଯୋଗ ପାଇଁ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ବିଜୁଳି ସେବା ସହ ସାତପୁରୀ ଗ୍ରାମ କଲୋନୀ ନିକଟରେ ଅଙ୍ଗନବାଡି କେନ୍ଦ୍ର ଏବଂ ନଳକୂଅ ସ୍ଥାପନ ହୋଇଛି। କିଛି ଲୋକଙ୍କୁ ପଡିକାର୍ଡରେ ମାସିକ ୧୫୦୦ ଟଙ୍କା ଭତ୍ତା ଏବଂ ପଡି ସାମଗ୍ରୀ ଆନ୍ଧ୍ର ଯୋଗାଉଛି। ୬ଗୋଟି ପରିବାରକୁ ଆବାସ ଯୋଜନାରେ ଘର ମଧ୍ୟ ମିଳିଛି।

- Advertisement -


ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ତରଫରୁ କୁଲାଡ଼ି- ସାତପୁରୀ ଗ୍ରାମ ଭିତରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। କିଛି ଲୋକଙ୍କୁ ଜଙ୍ଗଲ ଜମିପଟ୍ଟା ମଧ୍ୟ ପ୍ରଦାନ କରାଯାଇଛି। କୋଡିଏ ବର୍ଷ ପୂର୍ବେ ଗ୍ରାମ ବିକାଶ ସଂସ୍ଥା କୁଲାଡିରେ କୂଅ ଖୋଳି ପାଇପ ଯୋଗେ ପାଣି ଯୋଗାଉଛି। ଗ୍ରୀଷ୍ମ ଋତୁ​‌େ​‌ର ଜଳାଭାବ ସମସ୍ୟା ଉପୁଜିବା ଆଶଙ୍କା କରି ଦୁଇବର୍ଷ ପୂର୍ବେ କୁଲାଡିରେ ଏକ ନଳକୂଅ ଖୋଳା ଯାଇଛି। ଦୁଇ ଗ୍ରାମକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ବର୍ଷ ତଳେ ବିଦ୍ୟୁତ ତାର ଟଣା ଯାଇଛି। ଅଙ୍ଗନବାଡି ଖାଦ୍ୟ ସଂଗ୍ରହ ପାଇଁ ଦୁଇ କିଲୋମିଟର ଦୂର ଯିବାକୁ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି। କୁଲାଡିର ଗର୍ଭବତୀ ଜାନକୀ ଶବରଙ୍କ ଆଧାର କାର୍ଡ ନଥିବାରୁ ମମତା ଯୋଜନାରେ ସହାୟତା ପାଇପାରୁନଥିବା ବେଳେ ମଙ୍ଗଳା ଶବରଙ୍କୁ ଆବାସ, ରେସନ ସାମଗ୍ରୀ କିମ୍ବା ଭତ୍ତା ମିଳୁନି। ମାଳତୀ ଶବର, ରତନି ଶବର, ଅନ୍ନପୂର୍ଣ୍ଣା ଶବର , ସାରୀ ଶବର, କାନ୍ଦିରୀ ଶବରଙ୍କୁ ବିଧବା ଭତ୍ତା ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳୁନି। ଏହି ଦୁଇ ଗ୍ରାମର ବହୁ ପିଲା ଆନ୍ଧ୍ର କୃଷ୍ଟା, ଏମ.ଜି.ପୁରମକୁ ପାଠ ପଡିବାକୁ ଯାଉଛନ୍ତି। ତୁମ୍ବା ଉନ୍ନୟନ ସଂସ୍ଥା ତରଫରୁ ଲୋକଙ୍କୁ କାଜୁ ତୋଟା ପାଇଁ ପୂର୍ବରୁ ସହାୟତା ମିଳିଥିଲା । ସାତପୁରୀରେ ରହୁଥିବା ପରିବାରକୁ ଓଡିଶା ସରକାର ଆବାସ ଯୋଜନାରେ ସାମିଲ କରି ନାହଁାନ୍ତି। କିଛି ଲୋକଙ୍କ ନାମରେ ରହିଥିବା ଜବକାର୍ଡକୁ ତୁମ୍ବାର ଜଣେ ବ୍ୟକ୍ତି ନେଇ ଯାଇଛନ୍ତି। କାମ ଅଭାବରୁ ଦାଦନ ଖଟିବାକୁ ଯାଇ କରୋନା ବେଳେ ଫେରିଥିବା ଶିବ ଶବର, ରବି ଶବର, ଶରତ ଶବର, କୈଳାସ ଶବର ପ୍ରମୁଖ ଏବେ ହାତବାନ୍ଧି ବସିଛନ୍ତି। ଏହି ଦୁଇ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ଯୋଜନାରୁ ଉପକୃତ ହୋଇପାରୁନଥିବା ଦେଖି ଆନ୍ଧ୍ର ସରକାର ସେହି ଦୁଇ ଗ୍ରାମରେ ସହାୟତାର ହାତ ବଡାଇ ନିଜ କବ୍ଜାକୁ ନେବାକୁ ଉଦ୍ୟମ ଚଳାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆନ୍ଧ୍ରର ଉଦ୍ୟମକୁ ରୋକିବା ଜରୁରୀ ହୋଇଛି। ନଚେତ ଦୁଇଟି ଯାକ ଗ୍ରାମ ଆନ୍ଧ୍ର ଦଖଲକୁ ଚାଲିଯିବା ଆଶଙ୍କାକୁ ଏଡାଇ ଦେଇ ହେଉନି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories