ସମାଜ ଡିଜିଟାଲ ଡେସ୍କ: ଡାକ୍ତରଖାନାରୁ ଘରକୁ ଫେରିବା ବେଳେ ରୋଗୀଙ୍କୁ ରାସ୍ତାରେ ଫିଙ୍ଗିଦେଲେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀ। ଏହା ସହିତ ରୋଗୀଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରି ଟଙ୍କା ଓ ଅଳଙ୍କାର ଲୁଟିନେଲେ। ରାସ୍ତାରେ ରୋଗୀଙ୍କୁ ଫିଙ୍ଗି ଦିଆଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ବର୍ବର କାଣ୍ଡ ଘଟିଛି ଉତ୍ତରପ୍ରଦେଶର ଛଓ୍ବାନି ଥାନା ମୁଖ୍ୟରାସ୍ତାରେ।
ସୂଚନା ଅନୁସାରେ, ଜଣେ ମହିଳା ସ୍ଵାୟୁରୋଗରେ ପୀଡ଼ିତ ତାଙ୍କ ସ୍ଵାମୀଙ୍କୁ ଗତ ଅଗଷ୍ଟ ୨୮ ତାରିଖରେ ଇନ୍ଦିରାନଗରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଖର୍ଚ୍ଚ ଭାର ସମ୍ଭାଳି ନ ପାରିବାରୁ ମହିଳା ଜଣକ ଡାକ୍ତରଙ୍କୁ ଅନୁରୋଧ କରି ପରଦିନ ତାଙ୍କ ସ୍ଵାମୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିନେଇଥିଲେ। ଏହା ପରେ ଏକ ଆମ୍ବୁଲାନ୍ସରେ ସ୍ଵାମୀଙ୍କୁ ନେଇ ଘରକୁ ଫେରିଥିଲେ। ରାତି ହୋଇଥିବାରୁ ବାଟରେ ପୁଲିସ ନ ଅଟକାଇବା ଲାଗି ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀ ଉକ୍ତ ମହିଳାଙ୍କୁ ଆଗ ସିଟ୍ରେ ବସିବାକୁ କହିଥିଲେ। ମହିଳାଙ୍କୁ ଦେଖିଲେ ପୁଲିସ ଛାଡ଼ିଦେବ ବୋଲି କହିଥିଲେ। ପରେ ରୋଗୀଙ୍କ ସହିତ ମହିଳାଙ୍କ ଭାଇ କ୍ୟାବିନରେ ବସିଥିଲେ। ହେଲେ କିଛି ବାଟ ଯିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ସେ ଏହାର ପ୍ରତିବାଦ କରିଥିଲେ ହେଁ ଜୋର ଜବରଦସ୍ତି ତାଙ୍କୁ ଅସଦାଚରଣ କରିଥିଲେ।
ମହିଳାଙ୍କ ସ୍ଵାମୀ ଏହା ଜାଣିପାରି ପାଟି କରିଥିଲେ। କିନ୍ତୁ କେହି ଶୁଣି ନ ଥିଲେ। ହେଲେ ମହିଳା ଜଣକ ସେମାନଙ୍କ ସହିତ ଲଢ଼ି ଚାଲିଥିଲେ। ଶେଷରେ ଡ୍ରାଇଭର ଗାଡ଼ି ଅଟକାଇ ରୋଗୀଙ୍କ ମୁହଁରୁ ଅମ୍ଳଜାନ ମାସ୍କ କାଢ଼ି ଦେଇଥିଲେ। ତାଙ୍କ ଭାଇଙ୍କୁ ଅନ୍ୟ ଏକ କ୍ୟାବିନରେ ତାଲା ପକାଇ ଦେଇ ସ୍ଵାମୀଙ୍କୁ ଘୋଷଡ଼ି ଆଣି ରାସ୍ତାରେ ଫିଙ୍ଗି ଦେଇଥିଲେ। ମହିଳାଙ୍କ ଅଳଙ୍କାର ଏବଂ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ପରେ ତାଙ୍କ ଭାଇଙ୍କୁ କ୍ୟାବିନରୁ ବାହାର କରି ସେମାନେ ଘଟଣାସ୍ଥଳରୁ ପଳାଇଥିଲେ।
ରାସ୍ତାରେ ଫିଙ୍ଗିଦେବାରୁ ମହିଳାଙ୍କ ସ୍ଵାମୀ ଗୁରୁତର ଆହତ ହୋଇଥିଲେ। ତେଣୁ ସେମାନେ ୧୧୨ ଏବଂ ୧୦୮କୁ ଫୋନ କରି ସହାୟତା ଲୋଡ଼ିଥିଲେ। ପରେ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ବସ୍ତି ଜିଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମହିଳାଙ୍କ ମନ୍ତବ୍ୟ ରେକର୍ଡ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।



