‘ଦେଶ ପାଇଁ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ’

କେନ୍ଦୁଝରଗଡ଼: ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଦେଶର ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଡ. ବି. ଆର୍‌‌. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ ଦରବାରହଲଠାରେ ଆୟୋଜିତ ସମାରୋହରେ ଜିଲାପାଳ ଆଶିଷ ଠାକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶ ପାଇଁ ଡ. ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ଆମ୍ବେଦକରଙ୍କ ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଡ. ଆମ୍ବେଦକରଙ୍କ ସଂଗ୍ରାମ ଚିରଦିନ ପାଇଁ ଅଭୁଲା ରହିବ। ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ଏବଂ ତାଙ୍କର ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତ୍ତରପୀଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲାପାଳ କହିଥିଲେ। ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ସେ ଯେଉଁ ନିଷ୍ଠା, ପରାକାଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି ତାହା ଭାରତ ଏବଂ ଭାରତର ସମ୍ବିଧାନକୁ ଅନନ୍ୟ କରିଛି। ବିଶେଷକରି ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର, ସମତା, ଭ୍ରାତୃତ୍ୱ ଏବଂ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଭାରତୀୟ ସମ୍ବିଧାନର ବିଶେଷତ୍ୱ ପାଲଟିଛି ବୋଲି ଜିଲାପାଳ କହିଥିଲେ।

prayash

ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଯଦୁମଣି ମହଲା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, ଉପଜିଲାପାଳ କେନ୍ଦୁଝର ରାମଚନ୍ଦ୍ର କିସ୍କୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ ବୋଲି କହିଥିଲେ। ଏଥି ସହ ଜୟନ୍ତୀ ଅବସରରେ ଡକ୍ଟର ଆମ୍ବେଦକରଙ୍କୁ ସ୍ମରଣ କରିବା, ତାଙ୍କ ଆଦର୍ଶକୁ ଅନୁଶୀଳନ କରିବା ଓ ତାଙ୍କ ଆଦର୍ଶରେ ଉଦ୍‌‌ବୁଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ସମାଜରୁ ଅସ୍ପୃଶ୍ୟତା ଦୂର କରି ଦେଶରେ ସୁସ୍ଥ ଓ ସମତାଭିତ୍ତିକ ସମାଜ ଗଠନ, ସବୁ ଶ୍ରେଣୀର ଲୋକମାନଙ୍କ ସ୍ୱାର୍ଥର ସୁରକ୍ଷା ଓ ଭାରତର ସମ୍ବିଧାନ ପ୍ରଣୟନରେ ଡ଼ଃ ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଅବତାରଣା କରି ତାଙ୍କରି ଆଦର୍ଶକୁ ଉଜ୍ଜିବିତ ରଖିବା ନିମନ୍ତେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆଇ.ଏ.ଏସ୍‌‌. ପ୍ରୋବେସନର ଧିମେନ୍‌‌ ଚକ୍‌‌ମା ସମାରୋହରେ ଯୋଗଦେଇଥିଲେ। ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ କେନ୍ଦୁଝର ସଞ୍ଜୀବ କୁମାର ବାରିକ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ।

ଏହି ଅବସରରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଉଚ୍ଚ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ରବୀନ୍ଦ୍ର ବିଦ୍ୟାନିକେତନ କେନ୍ଦୁଝରର ଛାତ୍ରୀ ସାଧନା ଦାସ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍‌‌ କେନ୍ଦୁଝରର ଛାତ୍ରୀ ଆର.ଏମ. ଶୁଭଙ୍କରୀ ପତି ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଣିଆପାଟର ଛାତ୍ରୀ ରଶ୍ମିରେଖା ମହାନ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌‌, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଡ. ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ସକାଳେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକର, ଜାତିରପିତା ମହାତ୍ମା ଗାନ୍ଧୀ, ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଅତିଥିବୃନ୍ଦ, ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନର କର୍ମକର୍ତ୍ତା ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Comments are closed.