ଭୁବନେଶ୍ୱର : ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି । ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଇ-ପାଠଗାର, ଅଧୁନିକ ବିଜ୍ଞାନାଗାର, ସ୍ମାର୍ଟ ଶ୍ରେଣୀଗୃହ ଇତ୍ୟାଦି ପିଲାମାନଙ୍କ ଭିତରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି।
ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୬୮୮୩ ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପେକ୍ଷୀରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଗଂଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମହାନଗର ନିଗମର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରି ସେମାନଙ୍କ ସ୍କୁଲରେ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଖୋଲା ମତ ପୋଷଣ କରିଥିଲେ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଶେରଗଡରୁ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ତିନୋଟି ପର୍ଯ୍ୟାୟରେ ସାରା ରାଜ୍ୟରେ ୬୮୮୩ଟି ହାଇସ୍କୁଲର ରୂପାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୧୭୭୧ ହାଇସ୍କୁଲ ରୂପାନ୍ତର ଏହି ପ୍ରକ୍ରିୟାକୁ ଚୁଡାନ୍ତ ରୂପ ଦେବ। ରାଜ୍ୟର ସମସ୍ତ ୮୬୫୪ଟି ହାଇସ୍କୁଲର ଭିତ୍ତିଭୂମି ରୂପାନ୍ତର ସମ୍ପୂର୍ଣ୍ଣ ହେବ। ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ହେବା ସଙ୍ଗେ ସଙ୍ଗେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହୋଇପାରିଛି ।
Comments are closed.