ଆରଡି: ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରବିବାର ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର କଟକଣା ଜାରି କରାଯାଇଥିଲା। ଏହି କ୍ରମରେ ରବିବାର ରାତି ଗୋଟାଏରୁ ଜାନୁଆରୀ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି ହୋଇଥିଲା। ଏହାସହ ପୀଠରେ ୧୪୪ଧାରା ଜାରି ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସୂଚନା ଦିଆଯାଇଥିଲା। ସେହିପରି ପୀଠରେ କୌଣସି ମେଳା, ମହୋତ୍ସବ, ଭଜନ ସମାହୋର ଆଦି ଆୟୋଜନ ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି।
ଆଜି ସୋମବାର ଥିବାରୁ ବହୁ ଦୂରଦୂରାନ୍ତରରୁ ଆସିଥିବା ଭକ୍ତ ମଣିବାବାଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରିଥିଲେ। ପୀଠରେ ୧୪୪ଧାରା ଜାରି କରାଯାଇଥିବାରୁ କୌଣସି ସ୍ଥାନରେ ଯେପରି ଭିଡ ପରିଲିକ୍ଷିତ ନହେବ ସେଥିପାଇଁ ସମଗ୍ର ପୀଠରେ ପୁଲିସ ପଇଁତରା ମାରିଥିଲା। ଅନ୍ୟପଟେ ଦୈନନ୍ଦିନ ରୀତିନୀତି ଅନୁଯାୟୀ ମଣିବାବାଙ୍କର ସମସ୍ତ ନୀତିକାନ୍ତି କୋଭିଡ କଟକଣା ଅନୁଯାୟୀ କରାଯିବ ବୋଲି ସେବାୟତ କହିଛନ୍ତି।



