ମୁମ୍ବଇ: ଭାରତର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା ମୁମ୍ବଇ ସହରର ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଏମସି (ବ୍ରିହନମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ) ପକ୍ଷରୁ ସହରରେ ଗ୍ରାପ୍-୪ (ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ) କଟକଣା ଲାଗୁ କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁଯାୟୀ ସୋମବାର ମୁମ୍ବଇର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୩୦୧-୪୦୦ ରହିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡ ଅନୁଯାୟୀ ଏହି ଏକ୍ୟୁଆଇ ସାଂଘାତିକ ବୋଲି କୁହାଯାଇଛି। ବର୍ତ୍ତମାନ ଗ୍ରାପ୍-୪ କଟକଣା ଲାଗୁ କରାଯାଇଥିବାରୁ ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି।
ବୋରିଭାଲି, ମାଲାଡ ୱେଷ୍ଟ, ଅନ୍ଧେରୀ ଇଷ୍ଟ, ମାଜଗାଓଁ, ଦେଓନାର, ମୁଲୁଣ୍ଡ ୱେଷ୍ଟ ଓ ପୱାଇ ଭଳି ଅଞ୍ଚଳରେ ରାସ୍ତାରୁ ଧୂଳି ଅପସାରଣ କାର୍ଯ୍ୟ ଚାଲିଥିବାବେଳେ ନିୟମିତ ବ୍ୟବଧାନରେ ଜଳ ସିଞ୍ଚନ କରାଯାଉଛି। ଯେଉଁ କଳ କାରଖାନାରୁ ଅଧିକ ମାତ୍ରାରେ ଧୂଆଁ ନିର୍ଗତ ହେଉଥିବ, ସେଗୁଡିକ ଉପରେ ଜୋରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁମ୍ବଇର ୭୦ଟି ନିର୍ମାଣ ସ୍ଥଳୀ ଯାଞ୍ଚ କରିବାକୁ ବିଏମସିି ପକ୍ଷରୁ ଫ୍ଲାଇଙ୍ଗ ସ୍କ୍ବାଡ୍ ନିଯୁକ୍ତ କରାଯାଇଛି।ନଭେମ୍ବର ୨୬ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ୫୩ ଜଣଙ୍କୁ ନିର୍ଦେଶ ଦିଆଯାଇଥିଲା। ସେମାନେ ଏହି ନିର୍ଦେଶ ପାଳନ କରିଛନ୍ତି କି ନାହିଁ, ତାହାକୁ ସ୍କ୍ବାଡ୍ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ। ବେକେରି କାରଖାନା ମାଲିକମାନଙ୍କୁ ଚିମ୍ନି ଭାଙ୍ଗିଦେବାକୁ ନିର୍ଦେଶ ଦିଆଯାଇଛି।
ମାର୍ବଲ କଟିଙ୍ଗ୍ ୟୁନିଟଗୁଡିକୁ ପ୍ରଦୂଷଣ ପ୍ରସଙ୍ଗରେ ସତର୍କ ରହିବାକୁ କୁହାଯାଇଛି। ରାସ୍ତାକଡରେ ଅଳିଆ ଆବର୍ଜନା ଫୋପାଡୁଥିବା ବ୍ୟକ୍ତିଙ୍କ ଉପରେ ଜୋରିମାନା ଲାଗୁ କରିବାକୁ ବର୍ଜ୍ୟବସ୍ତୁ ପରିଚାଳନା ବିଭାଗ ତରଫରୁ ୪୫୦ ସୁପରଭାଇଜରଙ୍କୁ ଦାୟିତ୍ବ ଦିଆଯାଇଛି। ଇଥିଓପିଆରେ ଏକ ଆଗ୍ନେୟଗିରି ସକ୍ରିୟ ହୋଇଥିବାରୁ ସେଥିରୁ ନିର୍ଗତ ଧୂଆଁ ଉଡିଆସି ମୁମ୍ବଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ବୋଲି ରାଜ୍ୟ ସରକାର ଯେଉଁ କାରଣ ଦର୍ଶାଇଛନ୍ତି, ତାହାକୁ ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।



