www.samajalive.in
Saturday, December 6, 2025
16.1 C
Bhubaneswar

ନଭେମ୍ବର ସୁଦ୍ଧା ଏମ୍‌ସରୁ ଫେରିବେ ଜଗା, କାଳିଆ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା, କାଳିଆଙ୍କର ଦିଲ୍ଲୀ ଏମସରୁ ଡିସଚାର୍ଯ ହେବାର ସମ୍ଭାବନା ରହିଛି। ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବାରୁ ଏମାନଙ୍କୁ ଡିସଚାର୍ଯ କରିବା ପାଇଁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଏମସ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବାର ସୂଚନା ମିଳିଛି। ଜଗାକାଳିଆଙ୍କୁ ଆଉ ଦୁଇ ମାସ ଦିଲ୍ଲୀ ଏମସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧର ଅବଧି ଇତିମଧ୍ୟରେ ଶେଷ ହୋଇଛି। ତେଣୁ ଜଗା, କାଳିଆଙ୍କୁ ଅଧିକ ସମୟ ରଖିବା ପାଇଁ ଆଉ ଏମସ କର୍ତ୍ତୁପକ୍ଷ ରାଜି ହେଉନାହାନ୍ତି। ଚିକିତ୍ସା କରୁଥିବା ଡାକ୍ତରୀଦଳର ପରାମର୍ଶ ଅନୁଯାୟୀ ଉଭୟ ଶିଶୁଙ୍କୁ ଅଧିକ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ନାହିଁ। ଓଡ଼ିଶାର ଯେକୌଣସି ହସପିଟାଲରେ ଜଗା, କାଳିଆଙ୍କ ଚିକିତ୍ସା କରାଯାଇପାରିବ। ଯଦି ରାଜ୍ୟ ସରକାର ଏମସ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବରେ ରାଜି ନ ହୁଅନ୍ତି ସେଭଳି ସ୍ଥିତିରେ ଉଭୟ ଶିଶୁଙ୍କୁ ସ୍ଥାନୀୟ ଓଡ଼ିଶା ନିବାସରେ ରଖିବା ପାଇଁ ପ୍ରସ୍ତାବ ଦିଆଯିବ। ବଡ଼ ଭାଇ ଜଗାକୁ ଅଧିକ ସମୟ ସୂର୍ଯ୍ୟକିରଣରେ ରଖିବା ପାଇଁ ଏମସ ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି। ପ୍ରତି ସପ୍ତାହରେ ତାଙ୍କୁ ଯେକୌଣସି ସ୍ଥାନ ବୁଲାଇବା ପାଇଁ କୁହାଯାଇଛି। ଏହି କ୍ରମରେ ଜଗାକୁ ସ୍ଥାନୀୟ ଇଣ୍ଡିଆ ଗେଟ ଓ ରାଜପଥ ଅଞ୍ଚଳକୁ ନିଆଯାଇଥିଲା। ମାଆଙ୍କ ସହ ଜଗା ଇଣ୍ଡିଆ ଗେଟର ବିଭିନ୍ନ ଅଞ୍ଚଳ ବୁଲିବା ସହ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ିରେ ବସି ବୁଲି ଥିଲା। ବୁଲିବା ବେଳେ ଜଗା ଖୁବ୍‍ ଖୁସି ଥିଲା ଏବଂ ସୁସ୍ଥ ପିଲାଙ୍କ ଭଳି ବ୍ୟବହାର କରୁଥିଲା। ଜଗାର ଏଭଳି ଆଚରଣରେ ତାର ବାପା ଓ ମାଆ ଖୁବ୍‍ ଉତ୍ସାହିତ ହୋଇ ପଡ଼ିଛନ୍ତି। ସାନପୁଅ କାଳିଆ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇ ଖୁବ୍‍ଶୀଘ୍ର ଏଭଳି ଆସି ବୁଲିବ ବୋଲି ବାପାମାଆ ଆଶାବାଦୀ ଅଛନ୍ତି। ସୂର୍ଯ୍ୟକିରଣରେ ବୁଲିବା କ୍ରମରେ ଆଗାମୀ ସପ୍ତାହରେ ଜଗା ସ୍ଥାନୀୟ ଓଡ଼ିଶା ଭବନ ଓ ଓଡ଼ିଶା ନିବାସ ଅଞ୍ଚଳ ବୁଲିବ ବୋଲି ସ୍ଥିର କରାଯାଇଛି। ଏଭଳି ପ୍ରତି ସପ୍ତାହରେ ବାହାରେ ବୁଲିବା ଦ୍ୱାରା ଜଗା ସାଧାରଣ ପିଲାଙ୍କ ଭଳି ବ୍ୟବହାର କରିବ ବୋଲି ଡାକ୍ତରୀ ଦଳ ଆଶା କରୁଛନ୍ତି। ଅନ୍ୟପକ୍ଷରେ ସାନ ଭାଇ କାଳିଆର ନିୟମିତ ଅନ୍ତରରେ ବାନ୍ତି ହେଉଛି ଏବଂ ତାର ଫିଜିଓଥେରାପି ଜାରି ରହ଼ିଛି। କାଳିଆର ସ୍ୱାସ୍ଥ୍ୟରେ ପୂର୍ବାପେକ୍ଷା ଉନ୍ନତି ପରିଲିକ୍ଷିତ ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories