କରାଚି : ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ୍ ଆଫ୍ରିଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସେହି ଦଳର ପୂର୍ବତନ ଲେଗ୍ସ୍ପିନର ଦାନିସ୍ କାନେରିଆ। କିଛିଦିନ ତଳେ ଆଫ୍ରିଦି ପାକ୍ ଅଧିକୃତ କାଶ୍ମୀର ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଆଫ୍ରିଦିଙ୍କ ଏପରି ମନ୍ତବ୍ୟକୁ ଭାରତୀୟ କ୍ରିକେଟର୍ ଗୌତମ ଗମ୍ଭୀର, ଯୁବରାଜ ସିଂହ, ହରଭଜନ୍ ସିଂହ ଓ ସୁରେଶ ରାଇନା ପ୍ରମୁଖ କଡ଼ା ଭାଷାରେ ନିନ୍ଦା କରିଥିଲେ। ଏହି କ୍ରମରେ ଯୋଡ଼ି ହୋଇଯାଇଛନ୍ତି ଦିନେଶ କାନେରିଆ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କାନେରିଆ କହିଥିଲେ ଆଫ୍ରିଦି ଭାବିଚିନ୍ତି ମନ୍ତବ୍ୟ ଦେବା ଉଚିତ୍। ଯଦି ଆଫ୍ରିଦି ରାଜନୀତିରେ ଯୋଗ ଦେବାକୁ ଚାହୁଁଛନ୍ତି ତେବେ ସେ କ୍ରିକେଟ୍ ସହ ସମସ୍ତ ସଂପର୍କ ଛିନ୍ନ କରିବା ଉଚିତ୍। ଆଫ୍ରିଦିଙ୍କ ଏପରି ମନ୍ତବ୍ୟ ଯୋଗୁଁ ବିଶ୍ବ ଦରବାରରେ ପାକିସ୍ତାନ କ୍ରିକେଟ୍ରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି। ପାକିସ୍ତାନ ତରଫରୁ ୬୧ଟି ଟେଷ୍ଟ ଓ ୧୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା କାନେରିଆ ଅାହୁରି କହିଛନ୍ତି ଆଫ୍ରିଦି ଭାରତୀୟ କ୍ରିକେଟର୍ ଯୁବରାଜ ଓ ହରଭଜନ୍ଙ୍କୁ ନିଜ ବନ୍ଧୁ ବୋଲି କହି ବୁଲୁଛନ୍ତି। ଆବଶ୍ୟକ ସମୟେର ଆଫ୍ରିଦି ସେମାନଙ୍କଠାରୁ ସାହାଯ୍ୟ ନେଇଥାନ୍ତି। ସାହାଯ୍ୟ ମିଳିବା ପରେ ବନ୍ଧୁଙ୍କ ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା କି ପ୍ରକାର ବନ୍ଧୁତା ତାହା ବୁଝା ପଡୁ ନାହିଁ।
ଅନ୍ୟପକ୍ଷରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସିରିଜ୍ ଆୟୋଜନ ହେବା ଉଚିତ୍ ବୋଲି କାନେରିଆ ମତ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ରହିଛି ସତ, ଏହାକୁ ଦୁଇ ଦେଶର ସରକାର ସମାଧାନ କରିପାରିଲେ କ୍ରିକେଟ୍ ସଂପର୍କ ପୁନଃପ୍ରତିଷ୍ଠିତ ହୋଇପାରିବ ବୋଲି କାନେରିଆ ଦର୍ଶାଇଛନ୍ତି।



