ପୁନରୁଦ୍ଧାର ବ୍ୟବସ୍ଥା ପ୍ରସ୍ତୁତ କରୁଛି ଆଇଆଇଟି କାନପୁର, ଅନୁଗୁଳକୁ ପାଲଇଟ୍ ପ୍ରକଳ୍ପ ଭାବେ ଗ୍ରହଣ
ନୂଆଦିଲ୍ଲୀ : ଖଣି ସମ୍ପଦ ଅଞ୍ଚଳରେ ଜମି ଓ ଜଳଉତ୍ସ ପ୍ରଭାବିତ ହେବାରେ ଲାଗିଛି। କାରଣ ବ୍ୟାପକ ଖଣି ଖନନ ଯୋଗୁଁ ସେଠାକାର ପରିବେଶ କେବଳ ପ୍ରଦୂଷିତ ହେଉନି; ବରଂ ଏଥିଯୋଗୁଁ ଜମିର ଉର୍ବରତା ହ୍ରାସ ପାଇବା ସହିତ ଜଳଉତ୍ସ ପ୍ରଭାବିତ ହେଉଛି। ଏପରିକି ଭୂପୃଷ୍ଠର ଜଳସ୍ତର ମଧ୍ୟ ତଳକୁ ତଳକୁ ଖସୁଛି। ଜୈବ ବିବିଧତା ବିଗିଡିବାରେ ଲାଗିଛି। ଗୋଟିଏ ପରେ ଖଣି ଖନନ କରି ସରକାର ପ୍ରାକୃତିକ ସମ୍ବଳର ଉପଯୋଗ କରୁଥିବାବେଳେ ଅନ୍ୟପଟେ ଏଥିଯୋଗୁଁ ଜଳ. ଜମି ଓ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ମଧ୍ୟ ଗୁରୁତର ପ୍ରଭାବିତ ହେବାରେ ଲାଗିଛି। ଖରାଦିନ କଥା ଛାଡ଼; ଖଣି କ୍ଷେତ୍ର ଅଞ୍ଚଳରେ ବର୍ଷାଦିନେ ମଧ୍ୟ ପାନୀୟ ଜଳ ସମସ୍ୟା ଉପୁଜୁଛି। ଏଠାକାର ଜମିରୁ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ଜଙ୍ଗଲ ଅଞ୍ଚଳରେ ଖଣି ରହିଥିବାରୁ କେତେକ କ୍ଷେତ୍ରରେ ପରିବେଶ ଓ ଜଙ୍ଗଲ ଅନୁମୋଦନ ପାଇଁ ଖନନ ଚାଲିଛି। ଖଣିଜ ଉତ୍ତୋଳନ ଏକ ଆବଶ୍ୟକତା ଥିବାବେଳେ ଏହି ଅଞ୍ଚଳ ଯେମିତି କମ୍ ପ୍ରଭାବିତ ହେବ ଏବଂ ଏହାର ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳ ଯେଭଳି ସୁରକ୍ଷିତ ରହିବ ସେଥିପାଇଁ ଏକାଧିକ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ କରାଯାଉଛି।
ଏକ୍ଷେତ୍ରରେ ଏକ ପାଇଲଟ୍ କାର୍ଯ୍ୟକ୍ରମ ରୂପେ ଓଡ଼ିଶାର ଅନୁଗୁଳ ଜିଲା ପାଇଁ ଜମି ଓ ଜଳ ପୁନରୁଦ୍ଧାର ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି ଆଇଆଇଟି କାନପୁର। ଏଥିପାଇଁ ଉକ୍ତ ସଂସ୍ଥା ଜିଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟ(ଡିଏମଏଫଟି) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆବର୍ତ୍ତୀ ଅର୍ଥନୀତି ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଅଂଶ ଭାବରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ରରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଆଇଆଇଟି କାନପୁର ଅନୁଗୁଳ ଜିଲାରେ ଖଣି କାର୍ଯ୍ୟ ଦ୍ୱାରା ପ୍ରଭାବିତ ହେଉଥିବା ଜମି ଓ ଜଳ ଉତ୍ସର ପୁନରୁଦ୍ଧାର ନିମନ୍ତେ ଜିଲା ପ୍ରଶାସନକୁ ସହାୟତା କରିବା
ଦିଗରେ ନିଜର ଭିତ୍ତିଭୂମି ଓ ପ୍ରଯୁକ୍ତିଗତ ବିଶେଷ ଦକ୍ଷତାକୁ ଉପଯୋଗ କରିବ। ଦୁଇବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ। ଏଥିପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ଅନୁଗୁଳ ଜିଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲାରେ କୋଇଲା, କିୟାନାଇଟ, ଗ୍ରାଫାଇଟ, ଫାୟାର କ୍ଲେ, ଚାଇନା କ୍ଲେ ଏବଂ ଅନେକ ମୂଲ୍ୟବାନ ତଥା ଅର୍ଦ୍ଧ ମୂଲ୍ୟବାନ ଖଣିଜ ସମ୍ପଦ ଭରି ରହିଛି। ତେବେ ସେଠାରେ ଖଣି କାର୍ଯ୍ୟର ଦ୍ରୁତ ପ୍ରସାର ଦ୍ୱାରା ସମୃଦ୍ଧ ଜୈବ ବିବିଧତା ଏବଂ ମୃତ୍ତିକାର ଉର୍ବରତା ନଷ୍ଟହେବା ସହିତ ଜଳଉତ୍ସ ଗୁଡିକ ଶୁଷ୍କ ହେଉଛି। ସେଗୁଡିକର ମାନ ଖରାପ ହେବାରେ ଲାଗିଛି। ଏଥିସହିତ ସେଥିରେ ବିପଜ୍ଜନକ ବର୍ଜ୍ୟବସ୍ତୁ ଜମାହେଉଛି ଏବଂ ଡ୍ରେନେଜ ସମସ୍ୟା ସୃଷ୍ଟି ହେଉଛି।
ଜିଲାରେ ଏହି ପ୍ରକଳ୍ପ ଆଇଆଇଟି କାନପୁରର ଭୂ-ବିଜ୍ଞାନ ବିଭାଗର ପ୍ରଫେସର ରାଜୀବ ସିହ୍ନାଙ୍କ ନେତୃତ୍ୱରେ ପରିଚାଳିତ ଏକ ବିଶେଷଜ୍ଞ ଗୋଷ୍ଠୀ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଜିଲାରେ ଚାହିଦା ଓ ଯୋଗାଣ ପରିଚାଳନା ଆଧାରରେ ଜମିର ବ୍ୟବହାର, ଜଳ ଉତ୍ସର ଆକଳନ କ୍ଷେତ୍ରରେ ଏହି ପ୍ରକଳ୍ପ ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ଜଳ ସମ୍ପଦ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅନୁଗୁଳର ଜଳସେଚନ ବିଭାଗ ଆବଶ୍ୟକ ସହାୟତା କରିବେ। ମୂଳ ସ୍ଥିତି ସମ୍ପର୍କରେ ଜାଣିବାକୁ ଉଚ୍ଚ କ୍ଷମତା ସଂପନ୍ନ ସାଟେଲାଇଟ ରିମୋଟ୍ ସେନ୍ସିଂ ଡାଟା ଉପଯୋଗ ସହିତ ଡ୍ରୋନଭିତ୍ତିକ ଅନୁସନ୍ଧାନ ଏହି ପ୍ରକଳ୍ପର ମୁଖ୍ୟ ଅଙ୍ଗ ହେବ ଏବଂ ତାହା ପରବର୍ତ୍ତୀ ସମୟରେ ଅଧୋପତନ ସମ୍ପର୍କରେ ଆକଳନ କରାଯାଇ ସର୍ବାଧିକ ପ୍ରଭାବିତ ସ୍ଥଳଗୁଡିକୁ ଚିହ୍ନଟ କରାଯିବ। ପ୍ରକଳ୍ପରେ ଜୀବିକା ଉପାର୍ଜନ, ପ୍ରାକୃତିକ ସମ୍ପଦ ପରିଚାଳନା, ପ୍ରକଳ୍ପ ଡିଜାଇନ ଏବଂ ଜ୍ଞାନର ପ୍ରସାର ସମେତ ବିଭିନ୍ନ କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେବ।



