ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ନିର୍ମାଣ କାମ ସମ୍ବନ୍ଧରେ ସମୀକ୍ଷା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଭାସି ସମ୍ମିଳନୀ (ଭର୍ଚୁଆଲ)ରେ ଆଲୋଚନା କରାଯାଇଥିଲା।
ଭୁବନେଶ୍ୱର ଅନ୍ଧାରୁଆଠାରେ ଏକ ପ୍ରତୀକାତ୍ମକ(ଆଇକନିକ୍) ଆଦର୍ଶ ବିଦ୍ୟାଲୟ ପ୍ରତିଷ୍ଠା କରାଯିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପ ଥିଲା। ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୨ ଜୁଲାଇ ସୁଦ୍ଧା ଶେଷ ହେବ। ଏନେଇ ଓବିସିସି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏହି ବିଦ୍ୟାଳୟରେ କେବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ମିଳିବ। ୩୦ ଜିଲାରେ ଦଶମ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ମେଧା ବିଦ୍ୟାର୍ଥୀଙ୍କୁ ଏହି ବିଦ୍ୟାଳୟରେ ପଢିବାର ସୁଯୋଗ ମିଳିବ। ସେମାନଙ୍କୁ ଡାକ୍ତରୀ, ଇଞ୍ଜିନିୟରିଂ ଭଳି ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପାଠ୍ୟକ୍ରମ ପାଇଁ ତାଲିମ୍ ଦିଆଯିବ। ଛାତ୍ରଛାତ୍ରୀଙ୍କର ପରୀକ୍ଷା ପାଇଁ ପ୍ରସ୍ତୁତିଠାରୁ ଖାଇବା ଓ ରହିବା ଭଳି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ବିଦ୍ୟାଳୟର ଅଟ୍ଟାଳିକା ନିର୍ମାଣ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିବେ। ଏକାଦଶରେ ୫ଶହ ଓ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରେ ହଜାର ଛାତ୍ରଛାତ୍ରୀ ପାଠ ପଢିବେ।



