ବୌଦ୍ଧ : ଆଗାମୀ କିଛିଦିନ ଜିଲାରେ ଭୀଷଣ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଥିବା ବେଳେ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବୌଦ୍ଧଜିଲା ପ୍ରଶାସନ ପକ୍ଷରୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରରେ ବର୍ଷାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକାରୀମାନେ ନିଜର କାର୍ଯ୍ୟକ୍ଷେତ୍ରର ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମସ୍ତ ଛୁଟିକୁ ବାତିଲ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ ଓ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପୂର୍ବ ସୂଚନା ଅନୁଯାୟୀ, ଆଗାମୀ ମୌସୁମୀ ଓ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ୧୦ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲାର ସମସ୍ତ ଚାଷୀମାନଙ୍କୁ ନିଜର ଫସଲକୁ ଘୋଡାଇ ରଖିବା ସହ କୃଷି କ୍ଷେତ୍ରରେ ଥିବା ଫସଲକୁ ନ କାଟି ତାର ସଠିକ୍ ଯତ୍ନ ନେବାକୁ ସତର୍କ କରାଇ ଦିଆଯାଇଛି। ଧାନ ବିକ୍ରି କରିବାକୁ ଚାଷୀମାନେ ପ୍ୟାକ୍ସର ସମ୍ପାଦକ ଓ ଜିଲା ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ଜିଲାରେ ୨୪ ଘଣ୍ଟିଆ ଜରୂରୀକାଳୀନ ନିୟନ୍ତ୍ରଣ କକ୍ଷ ଆରମ୍ଭ କରାଯିବା ସହିତ ୦୬୮୪୧-୨୨୨୦୨୩ ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ଖାଦ୍ୟ,ଔଷଧ,ପଶୁଖାଦ୍ୟ ମହଜୁଦ କରି ରଖାଯିବା ସହିତ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ କରି ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ବ୍ଲକର ବିଡିଓ, ତହସିଲଦାର, ଏନଏସି ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।



