ଦ୍ବାରଶୁଣି/କଳାବାଡ଼ିଆ: ମରଣଯନ୍ତା ପାଲଟିଛି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିର ଦ୍ବାରଶୁଣି ଘାଟି। ଏହି ଘାଟିରେ ଅଧିକାଂଶ ଦିନ ଦୁର୍ଘଟଣା ଘଟୁଥିବାବେଳେ ଶୁକ୍ରବାର ରାତିରେ ଏକ ବୋଲେରୋକୁ ଟ୍ରକ୍ ଧକ୍କା ଦେଇଛି। ଫଳରେ ବୋଲେରୋରେ ଗୁପ୍ତେଶ୍ଵର ଯାଉଥିବା ୨ ବୋଲବମ ଭକ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୭ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ, ବାଙ୍ଗିରିପୋଷି ବଜାରରୁ ଏକ ବୋଲେରୋରେ କେତେଜଣ ବୋଲବମ୍ ଭକ୍ତ ଗୁପ୍ତେଶ୍ଵର ଯାଉଥିଲେ। ରାତିରେ ବୋଲେରୋଟି ଘାଟି ଚଢ଼ୁଥିବାବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକଟି ବୋଲେରୋକୁ ୧୦୦ ଫୁଟ ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ପରେ ଉଭୟ ଟ୍ରକ ଏବଂ ବୋଲେରୋ ରାସ୍ତାର ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ରଞ୍ଜିତ ରାମ ଓ ଶିବୁ ସାହୁ ନାମକ ୨ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ବାଙ୍ଗିରିପୋଷି ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



