BJD Bijuli 480×75 Mob

ଆଜି ଗୃହ କମିଟି ବୈଠକ ; ଚୂଡ଼ାନ୍ତ ହେବ ଅଭିଜିତଙ୍କ ତଦନ୍ତ ରିପୋର୍ଟ

BJD Bijuli 480×75 Mob
0

ଭୁବନେଶ୍ୱର : ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ପ୍ରଥମ ଦିନ ବିଧାୟକମାନଙ୍କ ପ୍ରତି ମାନହାନି ସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ଉପରେ ଗୃହ କମିଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯିବ। ଅଭିଜିତଙ୍କ ଉପରେ ତଦନ୍ତ ରିପୋର୍ଟ ଚୂଡ଼ାନ୍ତ ପାଇଁ ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୃହ କମିଟିର ବୈଠକ ଡକାଯାଇଛି।
ପୂର୍ବରୁ ଅଭିଜିତ ଗୃହ କମିଟି ନିକଟରେ ତାଙ୍କ ବୟାନ ରଖିଥିବା ବେଳେ ଗତ ୩ ତାରିଖରେ ସତ୍ୟପାଠ ଦାଖଲ କରିଥିଲେ। ଏସବୁର ତର୍ଜମା କରି କମିଟି ତାଙ୍କ ରିପୋର୍ଟ ଚୂଡ଼ାନ୍ତ କରିବେ।
ଗତ ଅକ୍ଟୋବର ମାସ ୨୩ ତାରିଖରେ ସ୍ୱାଧିକାର ଭଙ୍ଗ ଅଭିଯୋଗରେ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବା ପରେ କମିଶନରେଟ ପୁଲିସ ସହିଦନଗର ଥାନାରେ ଅଭିଜିତଙ୍କ ବିରୋଧରେ ଥିବା ମାମଲାକୁ ଭିତ୍ତିକରି ତାଙ୍କୁ ଗିରଫ କରିଥିଲା। ଓଡ଼ିଶାର ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଏବେ ସେ ଝାରପଡ଼ା ଜେଲରେ ଅଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ମାନହାନି ସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତଙ୍କ ବିରୋଧରେ ବିଧାନସଭା ମୌସୁମୀ ଅଧିବେଶନରେ ସ୍ୱାଧିକାର ଭଙ୍ଗ ନୋଟିସ ଗୃହୀତ ହେବା ପରେ ଏହାର ତଦନ୍ତ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରାଯାଇଥିଲା। ବିଧାୟକମାନଙ୍କ ପ୍ରତି ଦେଇଥିବା ମାନହାନି ସୂଚକ ମନ୍ତବ୍ୟ ପାଇଁ ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ସତ୍ୟ ବୋଲି ସ୍ୱୀକାର କରିବା ସହ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେବା ନିର୍ବୋଧତା ଥିବା ପ୍ରକାଶ କରିଥିଲେ। ଗୃହ କମିଟିର ନିର୍ଦେଶ କ୍ରମେ ଗତ ୩ ତାରିଖରେ ସେ ହାଜର ହୋଇ ସତ୍ୟପାଠ ଦାଖଲ କରିଥିଲେ।

Leave A Reply