ଅବଧି ପୂରିଲା; ଅଭିଜିତଙ୍କ ପତ୍ତା ମିଳୁନି?
ନୂଆଦିଲ୍ଲୀ : ଶ୍ରୀଜଗନ୍ନାଥ, ପୁରୀ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ଏବଂ ଓଡ଼ିଶା ସଂକ୍ରାନ୍ତରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ନାୟାରଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ଅନ୍ତରୀଣ ସୁରକ୍ଷା ଅବଧି ଶୁକ୍ରବାର(ଅକ୍ଟୋବର ୫ ତାରିକ) ଶେଷ ହୋଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ସୁଦ୍ଧା କୋଣାର୍କ ଥାନାରେ ହାଜର ହେବାକୁ ଥିଲେ ହେଁ ଅଭିଜିତଙ୍କର ପତ୍ତା ମିଳୁନି। ଅଭିଜିତ ଶୁକ୍ରବାର ଓଡ଼ିଶାରେ ପହଞ୍ଚିନାହାନ୍ତି କି ଗୁରୁବାର ସୁପ୍ରିମକୋର୍ଟରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ବେଳେ ମଧ୍ୟ ସେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ନ ଥିଲେ। ତେଣୁ ଏବେ ଅଭିଜିତଙ୍କ ଉପସ୍ଥିତିକୁ ନେଇ କୁହେଳିକା ସୃଷ୍ଟି ହୋଇଛି।
ଅଭିଜିତ ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଥିବା ନେଇ ଆଲୋଚନା ହେଉଥିବାବେଳେ ପୁଲିସ କିନ୍ତୁ ଏହି ଖବରକୁ ଅସ୍ବୀକାର କରିଛି। ଅନ୍ୟପଟେ ଅଭିଜିତ ଓଡ଼ିଶାରେ ଗିରଫ ହୋଇ ଜେଲ୍ରେ ରହିବା ନିଶ୍ଚିତ ହୋଇଯାଇଥିବାରୁ ଜେଲ୍ରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ପାଇଁ ଜେଲ୍ ଅତିରିକ୍ତ ଡିଜି ଶୁକ୍ରବାର ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଏକ ଚିଠି (ନୋଟ୍ ନଂ-୧୭୨୬୩)ଲେଖିଥିବା ଜଣାପଡ଼ିଛି। ଜେଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅଭିଜିତଙ୍କୁ ନିରାପତ୍ତା ଯୋଗାଇଦେବା ପାଇଁ ଅଧିକ ପୁଲିସ ଫୋର୍ସର ଆବଶ୍ୟକତା ଥିବାରୁ ଅତିଶୀଘ୍ର ପୁରୀ ଜିଲା ଏସ୍ପିଙ୍କୁ ୩ ସେକ୍ସନ୍ ପୁଲିସ ଫୋର୍ସ ଯୋଗାଇଦେବାକୁ ଜେଲ୍ ଏଡିଜି ପୁଲିସ ମହାନିର୍ଦେଶକଙ୍କୁ ଅନୁରୋଧ କରିଛନ୍ତି।
ଗତକାଲି ପ୍ରଧାନବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍କୋର୍ଟର ତିନିଜଣିଆ ଖଣ୍ଡପୀଠ ଅଭିଜିତ୍ଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରି ଅକ୍ଟୋବର ୫ ତାରିଖ ସୁଦ୍ଧା ତଦନ୍ତକାରୀ ପୁଲିସ୍ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ। ସୁପ୍ରିମ୍କୋର୍ଟରେ ତାଙ୍କର ଆଗୁଆ ଜାମିନ୍ ସଂକ୍ରାନ୍ତରେ ଶୁଣାଣି ହେବାର ଥିବାରୁ ଗତକାଲି ସକାଳୁ ଗଣମାଧ୍ୟମ ପ୍ରତିନିଧିମାନେ ନୂଆଦିଲ୍ଲୀ ସଫଦରଜଙ୍ଗ ଏନ୍କ୍ଲେଭସ୍ଥିତ ତାଙ୍କ ବି-୫୧୪୧ ବାସଭବନ ସମ୍ମୁଖରେ ଭିଡ଼ ଜମାଇଥିଲେ। ତେବେ ସେଠାରେ ସେ ନ ଥିବା ସକାଳ ପ୍ରାୟ ୮ଟା ୩୦ରେ ଜଣାପଡ଼ିଥିଲା। ଏପଟେ ସୁପ୍ରିମ୍କୋର୍ଟ ତାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ କରିଦେବା ପରେ ଓଡ଼ିଶା ପୁଲିସ ଗିରଫ ପାଇଁ ତାଙ୍କ ବାସଭବନ ସମ୍ମୁଖରେ ପଇଁତରା ମାରୁଥିଲେ ହେଁ ଅଭିଜିତ ତାଙ୍କ ଘରେ ନଥିବା ଖବର ଜଣାପଡ଼ିବା ପରେ ଓଡ଼ିଶା ପୁଲିସ୍ର ମୁଣ୍ଡବିନ୍ଧା ବଢ଼ିଯାଇଛି। ତେବେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ପ୍ରସ୍ତୁତ ହୋଇ ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଅଭିଜିତ ଶୁକ୍ରବାର କଲକାତା ଦେଇ ଭୁବନେଶ୍ୱର ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ଓଡ଼ିଶା ପୁଲିସ୍ର ଏକ ଦଳ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଫାଟକ ନିକଟରେ ଛକି ରହିଥିଲା। ତେବେ ମଧ୍ୟାହ୍ନ ୧୨ଟାରେ ପୁଲିସ୍ ଯୋଜନା ବଦଳାଇଥିଲା। ରାୟପୁର କିମ୍ବା ବିଶାଖାପାଟଣା ଦେଇ ଅଭିଜିତ୍ ଓଡ଼ିଶା ଆସୁଥିବା ପୁଲିସ୍କୁ ସୂଚନା ମିଳିଥିଲା। ଏପଟେ ଅଭିଜିତ୍ ନିଜ ମୋବାଇଲ୍ ଫୋନ୍ ଉଠାଉଥିଲେ ମଧ୍ୟ କଥା ହେଉ ନ ଥିବା ପୁଲିସ୍ ଜାଣିପାରିଛି। ତେଣୁ ତାଙ୍କ ମୋବାଇଲ ଫୋନ୍କୁ ଟ୍ରାକ୍ କରି ଅଭିଜିତ୍କୁ ଗିରଫ କରିବା ପାଇଁ ପୁଲିସ୍ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଓ ଓଡ଼ିଶା ସଂକ୍ରାନ୍ତରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଓଡ଼ିଶା ପୁଲିସ୍ ଅଭିଯୁକ୍ତ ଅଭିଜିତ୍ଙ୍କୁ ଗିରଫ କରିଥିଲା। ପରେ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିବା ସହ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ପୁରୀ ଜିଲା କୋଣାର୍କ ଥାନାରେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ। ତେବେ ଗିରଫ ଏଡ଼ାଇବା ପାଇଁ ସେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତମାସ ୫ ତାରିଖ ସୁଦ୍ଧା ତଦନ୍ତକାରୀ ପୁଲିସ୍ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦେଶ ଦେଇଥିଲେ। ଏହା ପୂର୍ବରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି।