ଭୁବନେଶ୍ୱର : ଦକ୍ଷିଣ ଚୀନ ସାଗରର ୬.୦ ଡିଗ୍ରୀ ଉତ୍ତର ଦ୍ରାଘିମା ଏବଂ ୧୦୫ ଡିଗ୍ରୀ ପୂର୍ବ-ପଶ୍ଚିମ ଅକ୍ଷାଂଶରେ ଏକ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି। ଏହା ସାମୁଦ୍ରିକ ଝଡ଼ ‘ପାବୁକ’ର ରୂପ ନେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଜାନୁଆରୀ ୫ ଅପରାହ୍ଣରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ‘ପାବୁକ’ ଆଣ୍ଡାମାନରେ ପ୍ରଳୟ ରଚିବା ପରେ ଜାନୁଆରୀ ୬ ରାତିରେ ଉତ୍ତର-ପଶ୍ଚିମ ପରେ ଉତ୍ତର-ପୂର୍ବ ଦିଗରେ ମିଅାଁମାର ଉପକୂଳ ଆଡ଼କୁ ଅଗ୍ରସର ହେବ। ଜାନୁଆରୀ ୭ କିମ୍ବା ୮ରେ ‘ପାବୁକ’ ଦୁର୍ବଳ ହୋଇ ନିଶ୍ଚିହ୍ନ ହୋଇଯିବ। ‘ପାବୁକ୍’ ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଓ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ଜାନୁଆରୀ ୪ରୁ ୭ ପର୍ଯ୍ୟନ୍ତ ବଙ୍ଗୋପସାଗର ମଧ୍ୟକୁ ନଯିବା ପାଇଁ ଚେତାବନୀ ଦିଆଯାଇଛି। ଏହାର ପ୍ରଭାବରେ ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଏନଡିଆରଏଫ ଦଳକୁ ସଜାଗ ରଖିବାକୁ କୁହାଯାଇଛି।
Popular Categories



