ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତର ପଦକ୍ଷେପକୁ ରୁଷ୍ ପୂର୍ଣ୍ଣ ସମର୍ଥନ ଜଣାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ପ୍ରତି ରୁଷ୍ ଗସ୍ତରେ ଥିବାବେଳେ ତାଙ୍କ ପ୍ରତିପକ୍ଷ ତଥା ରୁଷ୍ ଜାତୀୟ ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାତୃସେଭ ଏହି ସମର୍ଥନ ବ୍ୟକ୍ତ କରିଛନ୍ତି।
ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଡୋଭାଲ ଓ ନିକୋଲାଇଙ୍କ ମଧ୍ୟରେ ବୈଠକରେ ରୁଷ୍ ଏହି ସମର୍ଥନ ଜଣାଇଛି। ବୈଠକରେ ପରେ ପ୍ରକାଶିତ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ। ଉଭୟ ଦେଇ ନିଜର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତାକୁ ଗୁରୁତ୍ବ ଦେଇ ସମସ୍ୟାର ସମାଧାନ କରିବା ଦରକାର। ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ କରିପାରିବେ ନାହିଁ। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗଦେବାକୁ ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ସହିତ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା ହେବ। ଡୋଭାଲ ତାଙ୍କର ଏହି ଗସ୍ତ କାଳରେ ମହାକାଶ କାର୍ଯ୍ୟକାଳପ ସମ୍ପର୍କିତ ରାସକସମସ୍ ଷ୍ଟେଟ କୋଅପରେସନର ନିର୍ଦେଶକ ଡିମିଟ୍ରି ରୋଗୋଇନଙ୍କୁ ଭେଟିଥିଲେ। ରୋଗୋଇନ ଭାରତର ଚନ୍ଦ୍ରଯାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିିବା ସହିତ ଏହାର ସଫଳତା ପାଇଁ ଶୁଭକାମନା କରିଥିଲେ। ମହାକାଶ ଗବେଷଣା କ୍ଷେତ୍ରରେ ଦୁଇଦେଶ ପରସ୍ପରକୁ ସହଯୋଗ କରିବା ନେଇ ଉଭୟ ଆଲୋଚନା କରିଥିଲେ।



