ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଲୋକଙ୍କୁ ଅପମାନିତ କରିଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ। ଲୋକେ ଟଙ୍କା ପାଇଁ ନିଜକୁ ବିକ୍ରି କରିଦେବା ସହିତ କେନ୍ଦ୍ର ସରକାରକୁ ସମର୍ଥନ କରୁଛନ୍ତି। ଗୁଲାମନବୀଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି କଡ଼ା ନିନ୍ଦା କରିଛି। ବିଜେପି ନେତା ଶାହନୱାଜ ହୁସେନ ଗୁଲାମନବୀଙ୍କ କ୍ଷମାପ୍ରାର୍ଥନା ଦାବି କରିଛନ୍ତି। ଗୁଲାମନବୀଙ୍କ ଏହି ମନ୍ତବ୍ୟକୁ ଏବେ ପାକିସ୍ତାନ ବ୍ୟବହାର କରିବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ଜାମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ଏବଂ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନଏସଏ) ଅଜିତ ଡୋଭାଲ କାଶ୍ମୀର ଗସ୍ତ କରିଛନ୍ତି। ଏହି ସମୟରେ ଡୋଭାଲ ସୋପିଆନରେ କାଶ୍ମୀରବାସୀଙ୍କ ସହିତ ରାସ୍ତାରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ ଜାରି ହେବା ପରେ କଂଗ୍ରେସ କଡ଼ା ସମାଲୋଚନା କରିଛି। ଟଙ୍କା ଦେଇ କାହାର ବି ଭିଡିଓ କରାଯାଇ ପାରିବ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି। ଏପରି ମନ୍ତବ୍ୟ କାଶ୍ମୀର ଲୋକଙ୍କୁ ଅପମାନିତ କରିଥିବା ବିଜେପି କହିଛି।
ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଏବଂ ଧାରା ୩୭୦ ଉଚ୍ଛେଦ କରାଯିବାକୁ କଂଗ୍ରେସ ବିରୋଧ କରିଆସୁଛି। ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ବିରୋଧର ନେତୃତ୍ଵ ନେଇଥିଲେ। ଏହା ମଧ୍ୟରେ ଆଜାଦ ଶ୍ରୀନଗର ଗସ୍ତ କରିପାରନ୍ତି, ଯେଉଁଠି ସେ ଦଳୀୟ ନେତାଙ୍କ ସହିତ ଏହି ମାମଲା ଉପରେ ଆଲୋଚନା କରିବାର ଅଛି। ଏହା ପୂର୍ବରୁ ସେ ଡୋଭାଲଙ୍କ ଭିଡଓକୁ ନେଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ଅଜିତ ଡୋଭାଲ ସୋପିଆନରେ ଲୋକଙ୍କୁ ଭେଟି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ସହିତ ସେ ଅନେକ ସ୍ଥାନରେ ସିଆରପିଏଫ ଯବାନଙ୍କୁ ସମ୍ବୋଧିତ କରିଥିଲେ। ଡୋଭାଲ ବର୍ତ୍ତମାନ ଶ୍ରୀନଗରରେ ଅଛନ୍ତି ଏବଂ ସେଠାକାର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ସରକାରଙ୍କୁ ଗ୍ରାଉଣ୍ଡ ରିପୋର୍ଟ ପ୍ରଦାନ କରୁଛନ୍ତି।



