ହରିହରଙ୍କ ପୁସ୍ତକ ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’ ଉନ୍ମୋଚିତ

ଭୁବନେଶ୍ୱର. – ଶ୍ରୀ ଜଗନ୍ନାଥ ଯେ କେବଳ ଓଡ଼ିଶାର ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ପ୍ରାଣକେନ୍ଦ୍ର ତା ନୁହେଁ, ସେ ଓଡ଼ିଶା ରାଜନୀତିର ମୂଳବିନ୍ଦୁ ବି। ଏହାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଲେଖକ ହରିହର ପଣ୍ଡା। ତାଙ୍କ ଦ୍ୱାରା ଲେଖାଯାଇଥିବା ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’ ପୁସ୍ତକରେ ଏହା ଦର୍ଶାଯାଇଛି। ନିଜସ୍ୱ ଗବେଷଣାକୁ ଭିତ୍ତିକରି ପ୍ରସ୍ତୁତ କରିଥିବା ଏହି ପୁସ୍ତକକୁ ସୋମବାର ହେରାପଞ୍ଚମୀ ଅବସରରେ ଲୋକାର୍ପଣ କରାଯାଇଛି। ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଏହି ପୁସ୍ତକର ନିରାଡ଼ାମ୍ବର ଉନ୍ମୋଚନ ଅନୁଷ୍ଠିତ ହୋଇଛି।
ଆମ ଓଡ଼ିଶାର ସାଧାରଣ ସମ୍ପାଦକ ସ୍ୱାଗତ ଭାଷଣ ଦେବା ପରେ ଏହି ଉତ୍ସବକୁ ପୂର୍ବତନ ଡିଜି ପୁଲିସ ତଥା ଗାଳ୍ପିକ ବିପିନ ବିହାରୀ ମିଶ୍ର ପରିଚାଳନା କରିଥିଲେ। ବିଶିଷ୍ଟ ସାହିତ୍ୟ ସମାଲୋଚକ ତଥା ‘ପୌରୁଷର ସମ୍ପାଦକ ଅସିତ ମହାନ୍ତି, କଥାକାର ତଥା ‘କଥା’ର ସମ୍ପାଦକ ଗୌରହରି ଦାସ, ଭାରତୀୟ ଜନସଞ୍ଚାର ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଉମାକାନ୍ତ ମିଶ୍ର ଏବଂ ପ୍ରବନ୍ଧିକ ଶଶିଭୂଷଣ ରଥ ପ୍ରମୁଖ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ପୁସ୍ତକଟି ଯୁକ୍ତରାଷ୍ଟ୍ର ଆମେରିକା ଓହିଓ ରାଜ୍ୟର ଡବ୍‍ଲିନ୍‍ଠାରୁ ‘ବ୍ଲାକ୍‍ ଇଗଲ ବୁକ୍ସ୍ସ୍‍’ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶ କରାଯାଇଛି। ପୁସ୍ତକର ମୂଲ୍ୟ ଭାରତ ପାଇଁ ୩୦୦ଟଙ୍କା ରଖାଯାଇଥିବାବେଳେ ଅନ୍ତର୍ଜାତୀୟ ବଜାରରେ ୧୮ ଡଲାର୍‍ ରହିଛି। ଭାରତ ସହ ବିଭିନ୍ନ ଦେଶରେ ଆମାଜନ୍‍ ଦ୍ୱାରା ଏହି ବହି ବିକ୍ରୟ କରାଯାଉଛି।
ଖୁବ୍‍ ଶୀଘ୍ର ରାଜ୍ୟର ବିଭିନ୍ନ ବହି ଦୋକାନରେ ବହି ଉପଲବ୍ଧ ହେବ ବୋଲି ପ୍ରକାଶକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପୁସ୍ତକଟି ୨୩୦ ପୃଷ୍ଠା ସମ୍ବଳିତ ଏବଂ ଏହା ଜଗନ୍ନାଥଙ୍କୁ ଏକ ଭିନ୍ନ ଚିତ୍ରରେ ଅବତାରଣ କରିଛି। ଏଥିରେ ସମୁଦାୟ ୭୨ଟି ବିଷୟ ରହିଛି। ସବୁ ଅଧ୍ୟାୟ ୮୦୦ରୁ ୧୫୦୦ ଶବ୍ଦ ଭିତରେ ହିଁ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ଅଧ୍ୟାୟରେ ଦର୍ଶାଯାଇଛି ଯେ, ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ରାଜନୀତି ନିୟନ୍ତ୍ରଣ ହୋଇଛି। ୧୧୨୬ ମସିହାରୁ ଏହି ପୁସ୍ତକର ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଛି କିନ୍ତୁ ଆବଶ୍ୟକ ଦୃଷ୍ଟିରୁ ପୁସ୍ତକର ଅଧ୍ୟାୟ ଏହି ସମୟର ପୂର୍ବକୁ ମଧ୍ୟ ପାଠକଙ୍କୁ ନେଇଛି। ପୁସ୍ତକଟି ଶେଷ ହୋଇଛି ୧୮୯୫ ରଥଯାତ୍ରାରେ। ଏହିଠାରେ ଏକ ନୂଆ ସକାଳକୁ ଅପେକ୍ଷା କରି ଅଧ୍ୟାୟକୁ ଶେଷ କରାଯାଇଛି। ଲାଗୁଛି ଯେମିତି ଲେଖକଙ୍କ ଆଗାମୀ ପୁସ୍ତକରେ ଏହା ଶେଷ ହେବ। ପୁଷ୍ଠଭୂମିରେ ବି ଏହା କୁହାଯାଇଛି ଯେ, ବହିର ପୃଥୁଳ ଚେହେରାକୁ ଆଖିରେ ରଖି ଘଟଣାବଳୀକୁ ସୀମିତ କରାଯାଇଛି।
କାହାଣୀ ଆରମ୍ଭ ହୋଇଛି ଗଙ୍ଗେଶ୍ୱରରୁ। ଶିବଭକ୍ତ ଚୋଡ଼ଗଙ୍ଗ ଦେବଙ୍କୁ ଗଙ୍ଗେଶ୍ୱରଭାବେ ବର୍ଣ୍ଣନା କରାଯାଇଛି। ସ୍ୱୟଂ ଶୈବଭକ୍ତ ଥାଇ ଏ ସହରକୁ କାହିଁକି ସେ ବୈଷ୍ଣବ ପ୍ରାଣକେନ୍ଦ୍ର ଭାବରେ ଗଢ଼ିବା ପାଇଁ ଚାହିଁଲେ ତାହାକୁ ଉପସ୍ଥାପନ କରିଛନ୍ତି ଳେଖକ। ଏହାପରେ କାହାଣୀ ଆଗକୁ ବଢ଼ିଛି ଗଙ୍ଗ, ଗଜପତି, ମୋଗଲ, ମରାଠା, ଇଂରେଜ ଓ ଭୋଇ ରାଜବଂଶ କିପରି ଏହି ପ୍ରାଣକେନ୍ଦ୍ରକୁ ରାଜ୍ୟରେ ଶାନ୍ତି, ମୈତ୍ରୀ ସ୍ଥାପନ ପାଇଁ ବ୍ୟବହାର କରିଛନ୍ତି ତାହା ଦର୍ଶାଯାଇଛି। ଆଫଘାନ୍‍ମାନଙ୍କ ଆକ୍ରମଣ ଆଉ ପୁରୀର ପରମ୍ପରାରେ ହଠାତ୍‍ ମୋଡ଼ ଆସିବାକୁ ମଧ୍ୟ ଏହି ପୁସ୍ତକରେ ଐତିହାସିକ ତଥ୍ୟ ଆଧାରରେ ବର୍ଣ୍ଣନା କରାଯାଇଛି।
ଏ ସମ୍ପର୍କରେ ହରିହର କହିଛନ୍ତି ‘ଐତିହାସିକ ପୃଷ୍ଠଭୂମିରେ ଓଡ଼ିଶାର ରାଜନୀତିକ ପ୍ରସଙ୍ଗଗୁଡ଼ିକୁ ଏଠାରେ ଉଲ୍ଲେଖ କରାଯାଇଛି। ଏହାକୁ ପଢ଼ିଲେ ଆପଣଙ୍କୁ ଏକ ଉପନ୍ୟାସ ପଢ଼ିବା ଭଳି ଲାଗିବ ଆଉ ଆପଣ ଗୋଟିଏ ସ୍ଥାନରେ ବସି ଜଗନ୍ନାଥ ରହସ୍ୟକୁ ପୁସ୍ତକର ପ୍ରତିଟି ପୃଷ୍ଠରେ ଅନୁଭବ କରିପାରିବେ’।
କଥାକାର ଡ. ଗୌରହରି ଦାସ, ସାହିତ୍ୟ ସମାଲୋଚକ ତଥା ଲେଖକ ଡ. ଅସିତ ମହାନ୍ତି, ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଡ. ଉମାକାନ୍ତ ମିଶ୍ର, ପ୍ରାବନ୍ଧିକ ଶଶିଭୂଷଣ ରଥ ପ୍ରମୁଖ ଏହି ବହିରେ ମୁଖବନ୍ଧ ଲେଖିଛନ୍ତି।

kalyan agarbati

Comments are closed.