ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶା; ଗଡୁଛି ସର୍ବାଧିକ ମାମଲା
ନୂଆଦିଲ୍ଲୀ : ଗୁରୁବାର ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ୨୦୧୯ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥାନ ଶୀର୍ଷରେ ରହିଛି। ଗତ ମଇ ୩୧ ସୁଦ୍ଧା ୬୪ ପ୍ରତିଶତ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ତିନି ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଅଦାଲତରେ ବିଚାର ପାଇଁ ପଡ଼ିରହିଛି ।
୨୦୧୮ରେ ପୁରୁଣା ମାମଲା ସଂଖ୍ୟାର ମାତ୍ର ୬୨.୧୮ ପ୍ରତିଶତ ଫଇସଲା ହୋଇଛି। ଅଦାଲତ ମାମଲା ପରିଚାଳନା ପ୍ରସଙ୍ଗରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଅତିରିକ୍ତ ବିଚାରପତି ନିଯୁକ୍ତି କରିବାକୁ ସର୍ଭେ ରିପୋର୍ଟରେ କୁହାଯାଇଛି। ଜନସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି ହାର ଏବେ ୧ ପ୍ରତିଶତରୁ କମ୍ ରହିଛି। ଦକ୍ଷିଣ ଭାରତ ରାଜ୍ୟ ଗୁଡ଼ିକ ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ପଞ୍ଜାବ ଭଳି ରାଜ୍ୟରେ ମଧ୍ୟ ଜନସଂଖ୍ୟା ବୃଦ୍ଧି ହାର ୧ ପ୍ରତିଶତ ତଳକୁ ରହିଛି। ୨୦୨୧ରୁ ୨୦୪୧ ମଧ୍ୟରେ ଓଡ଼ିଶାର ଟୋଟାଲ ଫର୍ଟିଲିଟି ରେଟ (ଟିଏଫଆର) ୧.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏଣିକି ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି ଧିରେ ଧିରେ କମିବ। ୨୦୧୧-୨୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧିହାର ୦.୮୨ ପ୍ରତିଶତ ରହିଥିବା ବେଳେ ୨୦୨୧-୩୧ରେ ଜନସଂଖ୍ୟା ବୃଦ୍ଧି ହାର ତଳକୁ ଖସି ଆସି ୦.୬୩ରେ ପହଞ୍ଚିବ। ୨୦୩୧-୪୧ ମଧ୍ୟରେ ଏହି ହାର ଆହୁରି ନିମ୍ନଗାମୀ ହୋଇ ୦.୩୮ ପ୍ରତିଶତକୁ ଖସି ଆସିବ ବୋଲି ଆକଳନ କରାଯାଇଛି। ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଉଥିଲେ ମଧ୍ୟ ବାସ୍ତବରେ ଓଡ଼ିଶାର ଜନସଂଖ୍ୟା ବୃଦ୍ଧି ପାଇବ। ୨୦୨୧ରେ ୪ କୋଟି ୫୪ଲକ୍ଷ, ୨୦୩୧ରେ ୪କୋଟି ୮୨ଲକ୍ଷ ଏବଂ ୨୦୪୧ରେ ୫କୋଟି ସଂଖ୍ୟାକୁ ଟପି ୫କୋଟି ୧୦ ଲକ୍ଷରେ ପହଞ୍ଚିବ। ୨୦୨୧ରୁ ୨୦୪୧ କୋଡିଏ ବର୍ଷ ମଧ୍ୟରେ ଓଡ଼ିଶାର ଜନସଂଖ୍ୟାରେ ୧କୋଟି ୩ଲକ୍ଷ ଲୋକ ଯୋଡ଼ି ହେବେ। ଏଣିକି ଓଡ଼ିଶାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବ। ବୟସ୍କଙ୍କ ସଂଖ୍ୟା ୨୦୨୧ରେ ୧୦.୮ ପ୍ରତିଶତରୁ ବୃଦ୍ଧି ପାଇ ୨୦୪୧ରେ ୧୬.୬ ପ୍ରତିଶତରେ ପହଞ୍ଚିବ ବୋଲି ଦର୍ଶାଯାଇଛି।
ରିପୋର୍ଟ ତଥ୍ୟ ଅନୁଯାୟୀ ପାଇଖାନା ନିର୍ମାଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ତାଲିକାର ତଳ ଆଡ଼ୁ ଗୋଆ ରାଜ୍ୟ ଉପରକୁ ଓଡ଼ିଶାର ସ୍ଥାନ ରହିଛି। ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ଏକ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରି ଓଡ଼ିଶା ଠାରୁ ଢ଼େର ଆଗରେ ଅଛନ୍ତି। ସ୍ୱଚ୍ଛ ଭାରତ ମିଶନ ତଥ୍ୟ ଅନୁଯାୟୀ ଜୁନ ମାସ ୧୪ ସୁଦ୍ଧା ଗୋଆ, ଓଡ଼ିଶା, ତେଲେଙ୍ଗାନା ଓ ବିହାର ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜକୁ ଶତ ପ୍ରତିଶତ ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ (ଓଡ଼ିଏଫ) ଭାବେ ଘୋଷଣା କରିଛନ୍ତି। ଏଦିଗରେ ଦେଖିବାକୁ ଗଲେ ଗୋଆ ମାତ୍ର ୫.୮୪
Comments are closed.