ଏସିଆନ୍ ଜିମ୍ନାଷ୍ଟିକ୍ ଚମ୍ପିଆନସିପ୍ରୁ ଓହରିଲେ ଦୀପା
ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ଜୁନ୍ ୧୩ରୁ ୧୬ ପର୍ଯ୍ୟନ୍ତ ମଙ୍ଗୋଲିଆରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଜିମ୍ନାଷ୍ଟିକ୍ ଚମ୍ପିଆନସିପ୍ରୁ ଓହରି ଯାଇଥିବା ଜଣାପଡ଼ିଛି। ଦୀପାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ଦୀପାଙ୍କୁ ବେଶ୍ କିଛିସମୟ ଲାଗିବ। ଆସନ୍ତା ସେପ୍ଟେମ୍ବର ପୂର୍ବରୁ ଦୀପା ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ସମ୍ଭାବନା ନ ଥିବା ତାଙ୍କ ପ୍ରଶିକ୍ଷକ ବିଶ୍ବେଶ୍ବର ନନ୍ଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୀପା ଏସିଆନ୍ ଜିମ୍ନାଷ୍ଟିକ୍ ଚମ୍ପିଆନସିପ୍ରୁ ଓହରି ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜର୍ମାନୀରେ ଅକ୍ଟୋବର ୪ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଜିମ୍ନାଷ୍ଟିକ୍ ଚମ୍ପିଆନସିପ୍ରେ ଦୀପା ଭାଗ ନେବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି େହାଇଛି। ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ବିଶ୍ବ ଜିମ୍ନାଷ୍ଟିକ୍ ଚମ୍ପିଆନସିପ୍ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ଦୀପା ସାମିଲ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉକି ଗତ ମାର୍ଚ୍ଚରେ ବାକୁରେ ଆୟୋଜିତ ଜିମ୍ନାଷ୍ଟିକ୍ ବିଶ୍ବକପ୍ରେ ଭାଗ ନେବା ବେଳେ ଦୀପାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଫଳରେ ସେ ଦୋହାରେ ଆୟୋଜିତ ଅନ୍ୟତମ ବିଶ୍ବକପ୍ରେ ଭାଗ ନେଇ ପାରିନଥିଲେ। ଏହାପରେ ସେ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିନାହାନ୍ତି। ଦୀପା କେବେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବେ ତାହା ବର୍ତ୍ତମାନ ଠାରୁ କହିବା କଷ୍ଟକର ବୋଲି ତାଙ୍କ ପ୍ରଶିକ୍ଷକ ବିଶ୍ବେଶ୍ବର କହିଛନ୍ତି। ଇତିମଧ୍ୟରେ ଦୀପାଙ୍କ ଆଣ୍ଠୁରେ ଏକ ଛୋଟକାଟିଆ ଅେସ୍ତ୍ରାପଚାର ହୋଇଥିବା ଭାରତୀୟ ଜିମ୍ନାଷ୍ଟିକ୍ସ ମହାସଂଘ ତରଫରୁ ଦାବି କରାଯାଇଛି। ତେବେ ଭାରତୀୟ ଜିମ୍ନାଷ୍ଟିକ୍ସ ମହାସଂଘର ଏହି ଦାବିକୁ ବିଶ୍ବେଶ୍ବର ଖାରଜ କରି ଦେଇଛନ୍ତି। ସେ ଯାହା ହେଉ ନା କାହିଁକି ସଂପୂର୍ଣ୍ଣ ସୁସ୍ଥ ହେବାକୁ ଦୀପାଙ୍କୁ ବେଶ୍ କିଛିସମୟ ଲାଗିବ ଏଥିରେ କୌଣସି ଦ୍ବିମତ ନାହିଁ।
Comments are closed.