ନୂଆଦିଲ୍ଲୀ : କନ୍ନଡ଼ ଅଭିନେତା ୟଶଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଜିଏଫ୍ ଚ୍ୟାପ୍ଟର-୧’ର ବିରାଟ ସଫଳତା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହାର ନାଁ ‘କେଜିଏଫ୍ ଚ୍ୟାପ୍ଟର-୨’ ରଖାଯାଇଛି। ଚଳିତ ଦିନରେ ଚଳଚ୍ଚିତ୍ରର ଶୁଟିଂ ସେଟରୁ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି, ଯେଉଁଥିରେ ୟଶଙ୍କ ଜବରଦସ୍ତ ଲୁକ୍ ଦେଖିବାକୁ ମିଳିଛି। ଫଟୋରେ ୟଶ ଲମ୍ବା କେଶ ଓ ବଢିଥିବା ଘଞ୍ଚ ନିଶ ଦାଢିରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ସଞ୍ଚୟ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ସଞ୍ଜୟ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିବେ। ମାତ୍ର ଏନେଇ ନିର୍ମାତାଙ୍କଠାରୁ ଏଜାବତ୍ କୌଣସି ସ୍ପଷ୍ଟୋକ୍ତି ମିଳିପାରିନାହିଁ।
ଉଲ୍ଲେଖଯୋଗ୍ୟ, ‘କେଜିଏଫ୍ ଚ୍ୟାପ୍ଟର-୧’ ଗତ ବର୍ଷ ୨୧ ଡିସେମ୍ବରରେ ମୁକ୍ତିଲାଭ କରିଥିଲା। ଏହାକୁ କନ୍ନଡ଼, ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟଲମ୍ ଭାଷାରେ ମୁକ୍ତିଲାଭ କରାଯାଇଥିଲା। ଚଳଚ୍ଚିତ୍ରର ବଜେଟ୍ ୮୦ କୋଟି ଟଙ୍କା ରହିଥିଲା। ଏହା ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏଥିରେ ୟଶଙ୍କ ବ୍ୟତୀତ ଶ୍ରୀନିଧୀ ଶେଟ୍ଟୀ, ରାମଚନ୍ଦ୍ର ରାଜୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।



