www.samajalive.in
Tuesday, December 9, 2025
16.1 C
Bhubaneswar

ଆଡ଼ୱାଣୀଙ୍କ ବିଦାୟୀ ବାର୍ତ୍ତା

ଲାଲକୃଷ୍ଣ ଆଡ଼ୱାଣୀଙ୍କ ଭଳି ଦେଶର ଅତି ବରିଷ୍ଠ ନେତାମାନେ ନିଜନିଜର ଦଳ ବାହାରେ ଜାତୀୟ ସ୍ତରରେ ନିଜ ପାଇଁ ଖ୍ୟାତି ଓ ପରିଚୟ ସୃଷ୍ଟି କରିଛନ୍ତି। ଏମାନେ ସବୁ ରାଷ୍ଟ୍ରନେତା ବର୍ଗର ଓ ଦଳୀୟ ବିଚାର, ଆଦର୍ଶ ନିର୍ବିଶେଷରେ ଲୋକଙ୍କର ପ୍ରିୟ। ଏଭଳି ଜଣେ ନେତାଙ୍କୁ ତାଙ୍କ ହାତଗଢ଼ା ଦଳ ବିଜେପି ତାଙ୍କ ପରିଣତ ବୟସରେ ଯେଉଁ ସମ୍ମାନ ଏବଂ ମର୍ଯ୍ୟାଦା ଦେବାକଥା ତାହା ଦେଇନାହିଁ କହିଲେ ଭୁଲ ହେବନାହିଁ। ଏହାସତ୍ତ୍ବେ ଏହି ଧୂରୀଣ ନେତା ତାଙ୍କର ବ୍ୟକ୍ତିଗତ ଅସମ୍ମାନ ଓ କ୍ଷୋଭଭାବକୁ ଚାପି ରଖି ଦଳର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଯେଉଁ ସନ୍ଦେଶ ଦେଇଛନ୍ତି ତାହା ତାଙ୍କର ସଂଗଠନ ପ୍ରୀତି, ଭକ୍ତି ଏବଂ ନିଷ୍ଠାର ପରିଚୟ ବହନ କରେ। ‘ପ୍ରଥମେ ଦେଶ, ଦ୍ବିତୀୟରେ ଦଳ ଏବଂ ତୃତୀୟରେ ମୁଁ ବା ବ୍ୟକ୍ତିବିଶେଷ, ବୋଲି ସେ ଯାହା କହିଛନ୍ତି ତାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଦ୍ବିତୀୟତଃ ‘ଯିଏ ବିଜେପିର ବିରୋଧୀ ସେ ରାଷ୍ଟ୍ରବିରୋଧୀ ନୁହେଁ।’ ଏ ପଦକ କଥାକହି ମଧ୍ୟ ସେ ତାଙ୍କ ଦଳର ବର୍ତ୍ତମାନର କର୍ତ୍ତାମାନଙ୍କୁ ଗଭୀର ଆତ୍ମଚିନ୍ତନର ବାର୍ତ୍ତା ଦେଇଛନ୍ତି। ସେ ଓ ଅଟଳବିହାରୀ ବାଜପେୟୀ ବିଜେପିକୁ ଗଢ଼ିଲାବେଳେ ଏହାର ଯେଉଁ ମାର୍ଗଦର୍ଶୀ ସିଦ୍ଧାନ୍ତ ଓ ନୀତି ପ୍ରସ୍ତୁତ କରିଥିଲେ ତାହାର ପ୍ରାସଂଗିକତା ଏବେ ମଧ୍ୟ ରହିଛି ଏବଂ ଦଳ ତାହାକୁ ଆଶ୍ରାକରି ଚାଲିଲେ ଆଗାମୀ ଦିନରେ ସୃଷ୍ଟି ହେବାକୁଥିବା ସମ୍ଭାବ୍ୟ ରାଜନୈତିକ ଶୂନ୍ୟତାକୁ ପୂରଣ କରିବାରେ ବିଶ୍ବସ୍ତ ମିତ୍ର ପାଇବାରେ ଯେ ସଫଳ ହେବ ତାହାର ବାର୍ତ୍ତା ସ୍ପଷ୍ଟ ରହିଛି। ଏହା ଆଡ଼ୱାଣୀଙ୍କ ସୁଦୀର୍ଘ ରାଜନୈତିକ ଅନୁଭୂତିସିଦ୍ଧ କଥା। ଆଡ଼ୱାଣୀ ରାଜନୀତିରୁ ଅବସର ନେଇଛନ୍ତି ସତ, କିନ୍ତୁ ସାଧାରଣ ଜୀବନରୁ ଅବ୍ୟାହତି ନେଇନାହାନ୍ତି। ତେଣୁ ମାର୍ଗଦର୍ଶକ ହୁଅନ୍ତୁ ଅବା ବିବେକରକ୍ଷକ, ଯେ କୌଣସି ଭୂମିକାରେ ସେ ଦେଶ ଓ ଦଳ ପାଇଁ ନିଜର ପରାମର୍ଶ ଓ ସେବାଦେବାକୁ ପ୍ରସ୍ତୁତ ଥିବା ତାଙ୍କ କଥାରୁ ବୁଝିହୋଇଯାଉଛି। ବୋଧହୁଏ ଆଡ଼ୱାଣୀଙ୍କ କଥାର ଅସଲ ମର୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ୍‌ ବୁଝିପାରିଛନ୍ତି ଏବଂ ଏହା ସହିତ ଏକମତ ହୋଇ ତତ୍କାଳ ବିବୃତି ପ୍ରଦାନ କରିଛନ୍ତି।
ବିଜେପିର ଯେଉଁ ମୂଳ ବିଚାର ଓ ଆଦର୍ଶ ଥିଲା ତାହା ଫେଣ୍ଟାଫେଣ୍ଟି ହୋଇଗଲାଣି। କ୍ଷମତାହାସଲ କରିବା ଓ ଏହାକୁ ବଜାୟ ରଖିବା ପାଇଁ ନୀତି-ଆଦର୍ଶରେ ବୁଝାମଣା ହୋଇଥାଏ। ତଥାପି ନିଜକୁ ଏକଦା ‘ଏକ ଭିନ୍ନଧରଣର ଦଳ’ ବୋଲି ପ୍ରଚାର କରୁଥିବା ବିଜେପି ଏବେ ବାଜପେୟୀ- ଆଡ଼ୱାଣୀଙ୍କ ମୂଳ ବିଚାର ‘ପଛକୁ ଦେଖ ଓ ନିଜ ଭିତରକୁ ଦେଖ’ ନୀତିକୁ ଦୂରେଇ ଦେଇଥିବା ମନେହେଉଛି। ରାଜନୀତିରେ ଯିଏ ଆମ ନୀତି, ଆଦର୍ଶ ଓ ବିଶ୍ବାସ ସହ ଏକମତ ନୁହେଁ, ସେ ଆମର ମିତ୍ର ନ’ହୋଇପାରନ୍ତି, ଶତ୍ରୁ ବା ଦେଶଦ୍ରୋହୀ ଯେ ଅନ୍ତତଃ ନୁହନ୍ତି, ଏକଥା କୁହାଯାଇ ପାରେ। ଏବେ ଯେଉଁ ଜାତୀୟତା ଓ ରାଷ୍ଟ୍ରବାଦର ପୂଜାରୀ ମୋଦୀ ଓ ତାଙ୍କ ସାଥିମାନେ ହୋଇଛନ୍ତି ସେଥିରେ ଅସୁବିଧା ନଥିଲେ ଦେଶର ଶହଶହ କଳାକାର, ବୈଜ୍ଞାନିକ, ଶିକ୍ଷାବିତ୍‌ ଓ ଚିନ୍ତକମାନେ ଆଜି ପ୍ରତିବାଦ କରୁନଥାନ୍ତେ। ଆଡ଼ୱାଣୀ ଦଳର ମୂଳନୀତି ଓ ଆଦର୍ଶ କଥା କହିବାବେଳେ ଦୀନଦୟାଲ ଉପାଧ୍ୟାୟଙ୍କ ଦିଗ୍‌ଦର୍ଶନକୁ ମଧ୍ୟ ସକଳ ବିନମ୍ରତାର ସହ ସ୍ମରଣ କରିଛନ୍ତି। ଆମ ରାଷ୍ଟ୍ରବାଦ, ଗଣତନ୍ତ୍ର ଓ ବ୍ୟବସ୍ଥାରେ ବିବିଧ ସାମାଜିକ, ସାଂସ୍କୃତିକ ଓ ବୈଚାରିକ ଭାବନା ରହୁ। ହିଂସା, ​‌େ​‌ଦ୍ବଷ, ଘୃଣା ଓ ସଂକୀର୍ଣ୍ଣତା ସ୍ଥାନ ନ’ ପାଉ। ଭାରତ ତାହାର ସାଂସ୍କୃତିକ ଐତିହ୍ୟ, ବିବିଧତାରେ ଏକତା ଓ ରାଜନୈତିକ ପରିପକ୍ବତାର ଧ୍ବଜା ବିଶ୍ବରେ ଉଡ଼ାଉ, ଏହା ସମସ୍ତେ ଚାହିଁବେ। ବିଜେପି ଓ ତାହାର କର୍ତ୍ତାମାନେ ଆଡ଼ୱାଣୀଙ୍କ ପରାମର୍ଶକୁ ପାଳନ କଲେ ଏହାର ପ୍ରଧାନମନ୍ତ୍ରୀ ଜଗତଜିତା ହୋଇପାରିବେ, ସବୁ ଭାରତୀୟଙ୍କ ଶ୍ରଦ୍ଧା ଓ ସମର୍ଥନ ଲାଭ କରି। ଆଡ଼ୱାଣୀ ପରାମର୍ଶର କିଛି ପ୍ରଭାବ ବିଜେପି ଉପରେ ପଡ଼ିବ କି?

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories