www.samajalive.in
Wednesday, December 10, 2025
26.1 C
Bhubaneswar

ବେଙ୍ଗାଲୁରୁକୁ ଉଠିଯିବ ରେଳ ବିଦ୍ୟୁତ୍‌ କାର୍ଯ୍ୟାଳୟ

ଭୁବନେଶ୍ୱର : ଓଡ଼ିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ପୁଣିଥରେ ପ୍ରତିଫଳିତ ହୋଇଛି। ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାରେ ରେଳ ବିଦ୍ୟୁତ୍‌କରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଆସୁଥିବା ରେଳ ବିଦ୍ୟୁତ୍‌କରଣ କାର୍ଯ୍ୟାଳୟକୁ ବନ୍ଦ କରି ବେଙ୍ଗାଲୁରୁକୁ ଉଠାଇ ନେବା ପାଇଁ ରେଳ ବୋର୍ଡ ନିଷ୍ପତ୍ତି ନେଇଛି। ବିନା କୌଣସି କାରଣରେ ଏହି କାର୍ଯ୍ୟାଳୟକୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ବନ୍ଦ କରିବା ପାଇଁ ନିର୍ଦେଶ ଆସିଛି। ଏପରି ନିଷ୍ପତ୍ତି ଦ୍ବାରା ଓଡ଼ିଶାରେ ୬ଟି ବୃହତ୍ ରେଳ ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ। ଏଥିସହ ବିଦ୍ୟୁତ୍‌କରଣ ପ୍ରକଳ୍ପରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ବେରୋଜଗାର ହେବା ସହ ଶତାଧିକ ଅଭିଜ୍ଞ ବିଦ୍ୟୁତ୍‌ ଯନ୍ତ୍ରୀ ବିକ୍ଷିପ୍ତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ।
ୱାଲଟିୟର୍ ଡିଭିଜନ୍‌କୁ ଓଡ଼ିଶାରୁ ଅଲଗା କରିବା ପରେ ଓଡ଼ିଶାର ରେଳବାଇ ସ୍ବାର୍ଥ ବିରୋଧରେ ଆଉ ଏକ ଚକ୍ରାନ୍ତ ବୋଲି କୁହାଯାଉଛି। ରାଜ୍ୟର ରେଳବାଇ ଭିତ୍ତିଭୂମି ବିକାଶ ପାଇଁ ଏନ୍‌ଡିଏ ସରକାର ବଦ୍ଧପରିକର ବୋଲି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀମାନେ ବାରମ୍ବାର କହି ଆସୁଥିବାବେଳେ ରେଳ ବୋର୍ଡର ଏଭଳି ନିଷ୍ପତ୍ତି ଏହାର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଛି।
ହସ୍ତଗତ ସୂଚନା ଅନୁସାରେ, ଭୁବନେଶ୍ବରରେ ଥିବା ରେଳ ବିଦ୍ୟୁତ୍‌କରଣ ମୁଖ୍ୟ ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଦ୍ବାରା ରାଜ୍ୟର ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥାଏ। ଗତ ୨୨ ବର୍ଷ ଧରି ରେଳବାଇର ଏହି ବିଭାଗ ପୂର୍ବତଟ ରେଳପଥ ସମେତ ଓଡ଼ିଶା ମଧ୍ୟରେ ଥିବା ଅନ୍ୟ ରେଳ ଜୋନ୍‌ର ପ୍ରକଳ୍ପଗୁଡ଼ିକୁ ସଫଳତାର ସହ ପରିଚାଳନା କରି ଆସୁଛି। ଭୁବନେଶ୍ବରରେ ଏହି କାର୍ଯ୍ୟାଳୟ ଥିବାରୁ ସ୍ବାଭାବିକ ଭାବେ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହଜ ହୋଇଥାଏ। ତେବେ କୌଣସି କାରଣ ନ ଥାଇ ଭୁବନେଶ୍ବର କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ରେଳ ବୋର୍ଡ
ପକ୍ଷରୁ ନିଷ୍ପତ୍ତି ହୋଇଛି। ଚଳିତ ମାସ ୧୩ ତାରିଖରେ ରେଳବୋର୍ଡ କାର୍ଯ୍ୟନିର୍ବାହୀ ନିର୍ଦେଶକ (ରେଳ ବିଦ୍ୟୁତ୍‌କରଣ), ଭୂପିନ୍ଦର ସିଂହ ବୋଧ ଆଲ୍ଲାହବାଦ୍ସ୍ଥିତ ବିଭାଗର ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ଭୁବନେଶ୍ବର କାର୍ଯ୍ୟାଳୟକୁ ବନ୍ଦ କରି ବେଙ୍ଗାଲୁରୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଛନ୍ତି। ଏପରି ହେଲେ ଭୁବନେଶ୍ବର କାର୍ଯ୍ୟାଳୟ ହାତକୁ ନେଇଥିବା ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଖୋର୍ଦ୍ଧା-ବଲାଙ୍ଗିର, ଲାଞ୍ଜିଗଡ଼-ଜୁନାଗଡ଼, ଟାଟା-ବାଦାମପାହାଡ଼, ରୁପ୍‌ସା-ବାଙ୍ଗିରୀପୋଷି, ନୂଆପଡ଼ା-ଗୁଣୁପୁର ଏବଂ ଓଡ଼ିଶା ମଧ୍ୟରେ ଥିବା ବାଙ୍କୁରା-ମାର୍ଶାଗ୍ରାମ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ଟେଣ୍ଡର
ହୋଇ ସାରିଥିଲା। କିନ୍ତୁ ଭୁବନେଶ୍ବର ରେଳବାଇ କାର୍ଯ୍ୟାଳୟ ଯଦି ବେଙ୍ଗାଲୁରୁକୁ ସ୍ଥାନାନ୍ତର ହୁଏ ତେବେ ରେଳ ବିକାଶ ନିଗମ ଲିମିଟେଡ୍‌ (ଆରଭିଏନଏଲ୍‌)କୁ ଏହି ଦାୟିତ୍ବ ହସ୍ତାନ୍ତର ହେବ ଏବଂ ଘରୋଇ ଠିକା ସଂସ୍ଥା ଜରିଆରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏପରି ହେଲେ ବିଭିନ୍ନ କାରଣ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ ହେବାର ସମ୍ଭାବନା କ୍ଷୀଣ। ରେଳବାଇ ବିଦ୍ୟୁତକରଣ ବିଭାଗର ମୁଖ୍ୟାଳୟ ଆଲ୍ଲାହବାଦ୍‌ରେ ଥିବାବେଳେ ଭୁବନେଶ୍ବର ସମେତ ଦେଶର ପ୍ରାୟ ୧୨ଟି ସ୍ଥାନରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। କିନ୍ତୁ ଠିକ୍ ଭାବେ କାମ କରି ଆସୁଥିବା ଭୁବନେଶ୍ବର କାର୍ଯ୍ୟାଳୟକୁ ବନ୍ଦ କରି ବେଙ୍ଗାଲୁରୁ ଉଠାଇ ନେବା ମସୁଧା ଚଳାଇଛି ରେଳ ବୋର୍ଡ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories