www.samajalive.in
Tuesday, December 9, 2025
16.1 C
Bhubaneswar

କ୍ଲାସେନ୍‌-ଡ୍ୟୁମିନି ଦକ୍ଷିଣ ଆଫ୍ରିକାକୁ ଜିତାଇଲେ

ସେଞ୍ଚୁରିଅନ୍‌ : ହେନ୍‌ରିକ୍‌ କ୍ଲାସେନ୍‌ଙ୍କ ବିସ୍ଫୋରକ ଇନିଂସ ସହ ଅଧିନାୟକ ଜେପି ଡ୍ୟୁମିନିଙ୍କ ଲଢ଼ୁଆ ଅପରାଜିତ ଅର୍ଦ୍ଧଶତକ ବଳରେ ୨ୟ ଟ୍ୱେଣ୍ଟି୨୦ରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା। ଭାରତକୁ ୬ ୱିକେଟରେ ହରାଇ ସିରିଜ୍‌କୁ ୧-୧ ଦକ୍ଷିଣ ଆଫ୍ରିକା କରିପାରିଛି। ମନୀଷ ପାଣ୍ଡେ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୪ ୱିକେଟ ହରାଇ ୧୮୮ ରନ୍‌ କରିଥିଲା। ପରେ ହେନ୍‌ରିକ୍‌ କ୍ଲାସେନ୍‌ ଓ ଜେପି ଡ୍ୟୁମିନିଙ୍କ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ୪ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଶନିବାର ନିର୍ଣ୍ଣାୟକ ୩ୟ ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।

ଧିମା ପିଚ୍‌ ଓ ଓଦା ପଡ଼ିଆରେ ୧୮୯ ରନ୍‌ର ପିଛାକରିବା ସହଜ ନଥିଲା। ଜୋନ୍‌-ଜୋନ୍‌ ସ୍ମଟ୍‌ସ ୨ ରନ୍‌କରି ବିଦାୟ ନେଇଥିଲେ। ତେବେ ଅନ୍ୟ ଓପ୍‌ନର ରିଜା ହେଣ୍ଡ୍ରିକ୍‌ସ କିଛି ଆକ୍ରମଣାତ୍ମକ ସଟ୍‌ ଖେଳିଥିଲେ। ତେବେ ୫ମ ଓଭରରେ ହେଣ୍ଡ୍ରିକ୍‌ସ ୧୭ ବଲ୍‌ରୁ ୫ଟି ଚୌକା ସହ ୨୬ ରନ୍‌ କରି ଆଉଟ ହୋଇ ଯାଇଥିଲେ। ପରେ ଗୋଟିଏ ପଟେ ଅଧିନାୟକ ଡ୍ୟୁମିନି ଛିଡ଼ା ହୋଇଥିବା ବେଳେ ଅନ୍ୟପଟୁ ହେନ୍‌ରିକ୍‌ କ୍ଲାସେନ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବିଶେଷକରି ୟୁଜୁବେନ୍ଦ୍ର ଚହଲଙ୍କ ବିରୋଧରେ ନିସ୍ତୁକ ପ୍ରହାରକରି କ୍ଲାସେନ୍‌ ୨୨ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୭ ଓଭରରେ ୫୮ ରନ୍‌ ଆବଶ୍ୟକ ଥିବା ବେଳେ କ୍ଲାସେନ୍‌ ଆଉଟ ହୋଇ ଯାଇଥିଲେ। କ୍ଲାସେନ୍‌ ୩୦ ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହ ୬୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। କ୍ଲାସେନ୍‌-ଡ୍ୟୁମିନିଙ୍କ ମଧ୍ୟରେ ୮ ଓଭରରେ ୯୩ ରନ୍‌ର ଭାଗିଦାରୀ ହୋଇଥିଲା। ପରେ ଡେଭିଡ୍‌ ମିଲର ୫ ରନ୍‌କରି ବିଦାୟ ନେଇଥିଲେ। ଚହଲ ୪ ଓଭରରୁ ୬୪ ରନ୍‌ଦେଇ ଆନ୍ତର୍ଜାତିକ ଟ୍ୱେଣ୍ଟି୨୦ରେ ଯୁଗ୍ମ ୩ୟ ମହଙ୍ଗା ବୋଲର ଏବଂ ଯୋଗିନ୍ଦର ଶର୍ମା (୫୭)ଙ୍କୁ ଅତିକ୍ରମ କରି ସବୁଠାରୁ ମହଙ୍ଗା ଭାରତୀୟ ବୋଲର ସାବ୍ୟସ୍ତ ହୋଇଥିଲେ। ଡ୍ୟୁମିନି ଓ ଫରହାନ୍‌ ବେହାରଦିନ ୫ମ ୱିକେଟ ପାଇଁ ଅବିଭାଜିତ ୪୮ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। ବେହାରଦିନ ୧୬ ରନ୍‌ରେ ଅପରାଜିତ ଥିଲେ। ଡ୍ୟୁମିନି ୪୦ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୬୪ ରନ୍‌କରି ଅପରାଜିତ ରହିଥିଲେ।

- Advertisement -

ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଫିଲ୍‌ଡିଂ ନେଇଥିଲା। ପ୍ରଥମ ଓଭରରେ କ୍ରିସ୍‌ ମରିସ୍‌ ମେଡେନ୍‌ ନେବା ସହ ୪ ଥର ଶିଖର ଧାୱନ୍‌ଙ୍କୁ ବିଟ୍‌ କରିଥିଲେ। ୨ୟ ଓଭରର ପ୍ରଥମ ବଲ୍‌ରେ ରୋହିତ ଶର୍ମା (୦)ଙ୍କୁ ଆଉଟ କରି ଦେଇଥିଲେ ଜୁନିୟର ଡାଲା। ତେବେ ପରବର୍ତ୍ତୀ ୨ ଓଭରରୁ ଧାୱନ୍‌ ଓ ସୁରେଶ ରୈନା ୩୨ ରନ୍‌ ନେଇଥିଲେ। ଅଧିନାୟକ ଜେପି ଡ୍ୟୁମିନି ତାଙ୍କ ପ୍ରଥମ ଓଭରରେ ମାରାତ୍ମକ ନଜର ଆସୁଥିବା ଧାୱନଙ୍କୁ ଆଉଟ କରି ଦେଇଥିଲେ। ଏହି ବାମହାତି ୧୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୪ ରନ୍‌ କରିଥିଲେ। ଅଧିନାୟକ ବିରାଟ କୋହଲି ୫ଟି ବଲ୍‌ରୁ ମାତ୍ର ୧ ରନ୍‌କରି ଡାଲାଙ୍କ ୨ୟ ଶିକାର ହୋଇଥିଲେ। ୪୫ ରନ୍‌ରେ ଭାରତ ଚଳିତ ଗସ୍ତରେ ତା’ର ୩ ସଫଳତମ ସୀମିତ ଓଭର ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହରାଇ ସାମାନ୍ୟ ଚିନ୍ତାରେ ଥିଲା। ତେବେ ମନୀଷ ପାଣ୍ଡେ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣ ଆରମ୍ଭ କରିଥିଲେ। ସୁରେଶ ରୈନା ମଧ୍ୟ କିଛି ଆକର୍ଷଣୀୟ ସଟ୍‌ ଖେଳିଥିଲେ। ୪ର୍ଥ ୱିକେଟ ପାଇଁ ରୈନା ଓ ପାଣ୍ଡେ ୫ ଓଭରରେ ୪୫ ରନ୍‌ ଯୋଗ କରିଥିଲେ। ରୈନା ୨୪ ବଲ୍‌ରୁ ୫ଟି ଚୌକା ସହ ୩୧ ରନ୍‌ କରିଥିଲେ। ୯୦ ରନ୍‌ରେ ଭାରତ ୪ଟି ୱିକେଟ ହରାଇବା ପରେ ପାଣ୍ଡେ ଓ ମହେନ୍ଦ୍ର ସିଂହ ଧୋନି ଲମ୍ବା ଭାଗିଦାରୀ କରିଥିଲେ। ବିଶେଷକରି ପାଣ୍ଡେ କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ। ପୁଣି ଶେଷ ୨ ଓଭରରେ ଧୋନିଙ୍କ ବ୍ୟାଟ୍‌ ଚାଲିଥିଲା। ଶେଷ ୧୦ ଓଭରରୁ ଭାରତ ୧୦୩ ରନ୍‌ କରିଥିବା ବେଳେ ଶେଷ ୨ ଓଭରରୁ ୩୧ ରନ୍‌ ନେଇଥିଲା। ଧୋନି ୨୮ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୨ ଏବଂ ପାଣ୍ଡେ ୪୮ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୭୯ ରନ୍‌ କରିଥିଲେ। ଦୁହିଁଙ୍କ ମଧ୍ୟରେ ଅବିଭାଜିତ ୫ମ ୱିକେଟ ପାଇଁ ୯୮ ରନ୍‌ ଭାଗିଦାରୀ ହୋଇଥିଲା। ଡାଲା ୨ଟି ୱିକେଟ ପାଇଥିଲେ। କ୍ଲାସେନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories