ଆଠଗଡ – ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା ଦୁଇଜଣ ନାବାଳିକାଙ୍କୁ ଆଠଗଡ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ସେମାନେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଥିବାବେଳେ ମଙ୍ଗଳବାର ଆଠଗଡ଼ ଫେରୁଥିବାବେଳେ କଟକର ତିନୋଟି ସ୍ଥାନରୁ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲେ । ଏଥିସହିତ ତାଙ୍କୁ ସାଥିରେ ନେଇ ଯାଇଥିବା ଜଣେ ଯୁବକଙ୍କୁ ମଧ୍ଯ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଗତ ଡିସେମ୍ବର ୧ ତାରିଖରେ ଆଠଗଡ ରାଜବାଟୀ ନଗରର ଅଶୋକ କୁମାର ବେହେରା ଏବଂ କନ୍ତୋଲର ମାନସ କୁମାର ସାହୁଙ୍କ ପତ୍ନୀ ସତ୍ୟଭାମା ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ଆଠଗଡ଼ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
ନିଖୋଜ ଥିବା ଦୁଇ ନାବାଳିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଠଗଡ଼ ଝରଣଛକ ନିକଟକୁ ଟ୍ୟୁସନ ପଢ଼ିବାକୁ ଆସି ସେଠାରୁ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଯାଇ ସେଠାରୁ ନିଖୋଜ ହୋଇ ଯାଇଥିବା ଜଣାପଡିଥିଲା। ଆଠଗଡ ଆଇଆଇସି ସୁମତି କୁମାରୀ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ବେଳେ ସେମାନେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଥିବା ଜାଣିବାକୁ ମିଳିଥିଲା । ସେମାନଙ୍କୁ ନେଇ ଯାଇଥିବା ଯୁବକଙ୍କ ତାର ଜଣେ ସାଙ୍ଗ ଜରିଆରେ ସେମାନଙ୍କୁ ଠାବ କରି ଓଡିଶା ଫେରିବାକୁ ପ୍ରବର୍ତ୍ତା ଯାଇଥିଲା। ଗତକାଲି ସେମାନେ କୋଣାର୍କ ଏକ୍ସପ୍ରେସରେ ଓଡ଼ିଶା ଫେରୁଥିବା ଜାଣି ଆଠଗଡ ପୁଲିସ କଟକର ବାଦାମବାଡ଼ି, ଓଏମପି ଛକ ଏବଂ ଲିଙ୍କରୋଡ ଅଞ୍ଚଳରେ ଡେରା ପକାଇ ସେମାନଙ୍କୁ ଠାବ କରି ଆଠଗଡ଼ ଥାନାକୁ ଅଣିଥିଲେ । ଉଭୟ ନାବାଳିକାଙ୍କ ବୟାନ ରେକର୍ଡ ପରେ ସେମାନଙ୍କୁ ଷ୍ଟେ ହୋମରେ ରଖା ଯାଇଥିବାବେଳେ ସେମାନଙ୍କୁ ନେଇ ଯାଇଥିବା ତିଗିରିଆ ଥାନା ଅନ୍ତର୍ଗତ କଳିବିରି ଗ୍ରାମର ଅଜୟ କୁମାର ଦଳାଇଙ୍କ ପୁଅ ରାକେଶ କୁମାର ଦଳାଇ (୨୦)ଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଆଇଆଇସି ସୁଶ୍ରୀ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ।



