ଭୁବନେଶ୍ବର: ଶୂନ୍ୟକାଳରେ ପୂର୍ବ ପୁରୁଷଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଡ. ଅରୁଣ ସାହୁ ଏବଂ ଗୌତମବୁଦ୍ଧ ଦାସ ସରକାରଙ୍କୁ ସମାଲୋଚନା କରି ଅନ୍ତତଃ ଏବେଠାରୁ ରମାଦେବୀଙ୍କ ବର୍ଷବ୍ୟାପୀ ଜୟନ୍ତୀ ପାଳନ କରାଯାଉ ବୋଲି କହିଛନ୍ତି। ସରକାର ଓଡ଼ିଆ ଅସ୍ମିତା କଥା କହୁଥିବା ବେଳେ କେମିତି ସ୍ବାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀକୁ ବର୍ଷବ୍ୟାପୀ ପାଳନ କରିବାକୁ ଭୁଲିଗଲେ ବୋଲି କହି ବିରୋଧୀ ସରକାରଙ୍କୁ କଟାକ୍ଷ କରିଥିଲେ। ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇ କହିଲେ, ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେବାକୁ ଭୁଲି ନାହାନ୍ତି ବରଂ କଳିଙ୍ଗ ଷ୍ଟାଡିୟମରେ ମା’ ରମାଦେବୀଙ୍କ ଜୟନ୍ତୀ ପାଳନ କରାଯାଉଛି।
ସ୍ବାଧୀନତା ସଂଗ୍ରାମୀ ମା’ ରମାଦେବୀ ଜୟନ୍ତୀ ବର୍ଷବ୍ୟାପୀ ପାଳନ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଉପନେତା ଶ୍ରୀ ଆଚାର୍ଯ୍ୟ କହିଲେ, ଆଜି ହେଉଛି ସ୍ବାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀ। ତାଙ୍କ ପ୍ରତି ସରକାରଙ୍କ ପକ୍ଷରୁ ଅବହେଳା କରାଯିବା ମୋତେ କଷ୍ଟ ଦେଉଛି। ଆମେ ଆଶା କରିଥିଲୁ ରାଜ୍ୟ ସରକାର ମା’ ରମାଦେବୀଙ୍କ ଜୟନ୍ତୀ ବର୍ଷତମାମ ପାଳନ କରିବେ। ହେଲେ ଦୁଃଖ ଓ ପରିତାପର ବିଷୟ ତାହା କଲେ ନାହିଁ। ଆମେ ଇତିହାସକୁ ଭୁଲିଗଲେ ଆଗକୁ ବଢ଼ି ପାରିବା ନାହିଁ ବୋଲି ସେ କହିଥିଲେ। ସେହିପରି ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଚାଲିଥିବା ସତ୍ତ୍ବେ ସରକାର ତାଙ୍କୁ ଭୁଲି ଯାଇଛନ୍ତି। ମା’ ପାର୍ବତୀ ଗିରିଙ୍କୁ ମଧ୍ୟ ଭୁଲି ଯିବା ଠିକ୍ ନୁହେଁ। ତାଙ୍କ ଜନ୍ମଦିନ ଜାନୁଆରୀରେ ଆସୁଛି। ତାଙ୍କ ଜୟନ୍ତୀକୁ ବର୍ଷବ୍ୟାପୀ ସରକାର ପାଳିବା ଆବଶ୍ୟକ। ଆଜି ସନ୍ଧ୍ୟାରେ ମା’ ରମାଦେବୀଙ୍କ ଜୟନ୍ତୀ କଳିଙ୍ଗ ଷ୍ଟାଡିୟମ ଟେନିସ୍ ପଡ଼ିଆରେ ପାଳିବା ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହିଁ। ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ ଭଳି ସ୍ଥାନ କ’ଣ ସରକାରଙ୍କୁ ମିଳିଲା ନାହିଁ ଯେ, କଳିଙ୍ଗ ଷ୍ଟାଡିୟମରେ ପାଳନ କରାଯିବ। ସରକାର ରାଜନୀତିରୁ ଊର୍ଦ୍ଧ୍ବରେ ରହି ସ୍ବାଧୀନତା ସଂଗ୍ରାମୀଙ୍କ ଜୟନ୍ତୀକୁ ବର୍ଷବ୍ୟାପୀ ପାଳିବା ଆବଶ୍ୟକ।
ବିଧାୟକ ଡ. ସାହୁ କହିଲେ, ଓଡ଼ିଆ ଅସ୍ମିତା ତୋଳି ଧରିବା ପାଇଁ ବରପୁତ୍ର ଓ ବରପୁତ୍ରୀଙ୍କୁ ଯେଥାଚିତ ସମ୍ମାନ ଦିଅନ୍ତୁ ସରକାର। ବାଚସ୍ପତି ରୁଲିଂ ଜାରି କରନ୍ତୁ। ବିଜେଡି ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ କହିଲେ, ଅନ୍ୟମାନଙ୍କ ଜନ୍ମଦିନରେ ବିଭିନ୍ନ ଛକରେ ପୋଷ୍ଟର ମରାଯାଉଛି ଯେ ଜାଗା ରହୁନାହିଁ; କିନ୍ତୁ ମା’ ରମାଦେବୀଙ୍କ ଜୟନ୍ତୀକୁ ବର୍ଷବ୍ୟାପୀ ପାଳନ କରିବାକୁ କିପରି ଭୁଲିଗଲେ। ବିଧାୟକ ଶ୍ରୀ ଦାସ କହିଲେ, ମା’ ରମାଦେବୀ ସ୍ବାଧୀନତା ସଂଗ୍ରାମୀ ଥିଲେ। ସେ କ’ଣ ଟେନିସ୍ ଖେଳାଳି ଥିଲେ ଯେ, ତାଙ୍କ ଜୟନ୍ତୀ କଳିଙ୍ଗ ଷ୍ଟାଡ଼ିୟମ ଟେନିସ୍ ଗ୍ରାଉଣ୍ଡରେ ପାଳନ କରୁଛ। ବିଜେପି ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଲେ, ମା’ ରମାଦେବୀଙ୍କ ଜୟନ୍ତୀ ବର୍ଷତମାମ ପାଳନ ହେବ। ବୁଧବାର ସନ୍ଧ୍ୟାରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପାଳନ କରାଯିବ। ବାଚସ୍ପତି ସୁରମା ପାଢ଼ୀ ରୁଲିଂ ଜାରି କରି କହିଥିଲେ, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମା’ ରମାଦେବୀଙ୍କ ଜୟନ୍ତୀ ପାଳନ ଉପରେ କ’ଣ କାର୍ଯ୍ୟ ଖସଡ଼ା ରହିଛି ତାକୁ ପୁନର୍ବିଚାର କରି ଆଉ କ’ଣ କାର୍ଯ୍ୟକ୍ରମ କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।



