ମହାମହିମ ରାଷ୍ଟ୍ରପତି ପରମ ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ ଚଳିତ ମାସରେ ଓଡ଼ିଶା ବିଧାନସଭାକୁ ସମ୍ୱୋଧିତ କରିବା ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଘଟଣା। ଆମ ବିଧାନସଭା ଇତିହାସରେ ଭାରତବର୍ଷର କୌଣସି ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ସମ୍ବୋଧନ। ଏହି ଅବସରରେ ଓଡ଼ିଶାବାସୀ ଓ ଓଡ଼ିଶା ବିଧାନସଭା ତରଫରୁ ମୁଁ ମହାମହିମଙ୍କୁ ଭବ୍ୟ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି। ଶ୍ରୀମତୀ ମୁର୍ମୁ ମହାମହିମ ପଦରେ ଅଧିଷ୍ଠିତ ହେବା ପରେ କୌଣସି ବିଧାନସଭାକୁ ସମ୍ବୋଧିତ କରିବାରେ ଏହା ନବମ ଘଟଣା।
ଶ୍ରୀମତୀ ମୁର୍ମୁ ଆମ ଓଡ଼ିଶା ମାଟିର କନ୍ୟା ହୋଇଥିବାରୁ ସମସ୍ତ ଓଡ଼ିଶାବାସୀ ଗର୍ବିତ। ଶ୍ରୀମତୀ ମୁର୍ମୁ ଯେ କେବଳ ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ରୂପେ ମହାମହିମ ପଦ ଭାର ଗ୍ରହଣ କରି ଆମକୁ ଗୌରବାନ୍ୱିତ କରିଛନ୍ତି ତା ନୁହେଁ, ବରଂ ବହୁ ବିଷୟରେ ସେ ପ୍ରଥମ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ସବୁଠାରୁ ଦୀର୍ଘ ସମୟ ପାଇଁ ସେ ରାଜ୍ୟପାଳ ହୋଇଛନ୍ତି ଏବଂ ସବୁଠାରୁ ଲମ୍ବା ସମୟ ପାଇଁ ମହିଳା ରାଜ୍ୟପାଳ ହେବାରେ ମଧ୍ୟ ପ୍ରଥମ। ଭାରତବର୍ଷର ରାଷ୍ଟ୍ରପତି ହେବାରେ ସେ କନିଷ୍ଠତମ ବ୍ୟକ୍ତି । ଶ୍ରୀମତୀ ମୁର୍ମୁଙ୍କର ଜୀବନ ଯେପରି ବିସ୍ମୟକର ତାଙ୍କ କାର୍ଯ୍ୟାବଳୀ ମଧ୍ୟ ତାତୋଽଧିକ ଗରୀମାମୟ। ମୟୂରଭଞ୍ଜ ଜିଲା ଉପରବେଢ଼ା ଗ୍ରାମରେ ଏକ ସାନ୍ତାଳ ପରିବାରରେ ସେ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଉପରବେଡ଼ାରେ ପ୍ରାରମ୍ଭିକ ଶିକ୍ଷା, ଭୁବନେଶ୍ବର ୟୁନିଟ ଦୁଇ ବାଳିକା ଉଚ୍ଚ ବିଦ୍ୟାଳୟ, ରମା ଦେବୀ ମହିଳା କଲେଜରୁ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କିଛି କାଳ ସରକାରୀ ଚାକିରି ଓ ଅରବିନ୍ଦ ଶିକ୍ଷାଶ୍ରମରେ ଶିକ୍ଷକତା କରିଥିଲେ।
ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କର ରାଜନୈତିକ ଜୀବନ ଅନୁଧ୍ୟାନ କଲେ ଜଣାଯାଏ ଯେ, ସେ ରାଇରଙ୍ଗପୁର ନଗରପାଳିକାର କାଉନସିଲର ଭାବେ, ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ବିଜେପି ବିଜେଡି ମନ୍ତ୍ରିମଣ୍ଡଳରେ ୨୦୦୦ ରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ଏବଂ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁପାଳନ ବିଭାଗର ରାଷ୍ଟ୍ର ମନ୍ତ୍ରୀ(ସ୍ବାଧୀନ) ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ।
ଏହି ସମୟରେ ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେବାପାଇଁ ତାଙ୍କର ଐତିହାସିକ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ସମଗ୍ର ଦେଶର ସାନ୍ତାଳୀ ଭାଷାର ସାହିତ୍ୟିକମାନଙ୍କୁ ଏକତ୍ର କରି ସାହିତ୍ୟ ସମ୍ମିଳନୀ ଆରମ୍ଭ କରିଥିଲେ। ସାନ୍ତାଳୀ ବିଦ୍ୱାନମାନଙ୍କୁ ଏକାଠି କରି ସାମ୍ବିଧାନିକ ସ୍ବୀକୃତି ପାଇଁ ଆବେଦନ ପତ୍ର ପ୍ରସ୍ତୁତ କରିଥିଲେ। ସାନ୍ତାଳୀ ଭାଷାର ବିଶିଷ୍ଟ ସାହିତ୍ୟିକମାନଙ୍କୁ ନେଇ ୨୦୦୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ଯାହାର ଫଳଶ୍ରୁତି ସ୍ୱରୂପ ୯୨ତମ ସମ୍ବିଧାନ ସଂଶୋଧନ ଜରିଆରେ ୨୦୦୪ ମସିହା ଜାନୁଆରୀ ୮ତାରିଖରେ ବୋଡୋ, ଡୋଗ୍ରୀ, ମୈଥିଳୀ ଭାଷା ସହ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ତାଲିକାରେ ସ୍ଥାନିତ କରାଗଲା।
୨୦୦୪ରେ ଓଡ଼ିଶା ବିଧାନସଭା ନିର୍ବାଚନ ହେଲା ଏବଂ ଶ୍ରୀମତୀ ମୁର୍ମୁ ପୁନର୍ବାର ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହେଲେ। ଏହି ସମୟରେ ବିଧାନସଭାରେ ନିଜର ପାରଦର୍ଶିତା ଯୋଗୁଁଁ ଶ୍ରୀମତୀ ମୁର୍ମୁଙ୍କୁ ଶ୍ରେଷ୍ଠ ବିଧାୟକ ଭାବେ ପଣ୍ଡିତ ନୀଳକଣ୍ଠ ପୁରସ୍କାରରେ ସମ୍ମାନିତ କରାଗଲା। ଏହି ସମୟରେ ସାନ୍ତାଳୀ ଭାଷାକୁ ଅଧିକ ଲୋକପ୍ରିୟ କରିବା ଓ ନିର୍ଦିଷ୍ଟ ଭାବେ ଛାତ୍ରଛାତ୍ରୀଙ୍କ ନିକଟରେ ଅଧିକ ପ୍ରଚାର ପ୍ରସାର କରିବା ନିମନ୍ତେ ତାଙ୍କ ଉଦ୍ୟମରେ ସାନ୍ତାଳୀ ଭାଷାରେ ହିନ୍ଦୀ ଭାଷୀ “ଚନ୍ଦା ମାମା” ପତ୍ରିକାକୁ (ଜହ୍ନ ମାମୁଁ ପତ୍ରିକା – ଓଡ଼ିଆ) ପ୍ରକାଶିତ କରିଥିଲେ।
ସାନ୍ତାଳୀ ଭାଷାରେ ମାସିକ ପତ୍ରିକା ଫଗୁନ ମଧ୍ୟ ପ୍ରକାଶିତ ହେଲା ଏବଂ ଭୁବନେଶ୍ବରରେ ଏକ ସାନ୍ତାଳୀ ଛାପାଖାନା ମଧ୍ୟ ପ୍ରତିଷ୍ଠିତ ହେଲା। ଜଣେ ମହିଳା ଭାବେ ତାଙ୍କର ଏହି ଐତିହାସିକ କୃତି ଅନନ୍ୟ ଓ ଅସାଧାରଣ !
୨୦୧୫ ମେ ମାସ ୧୮ ତାରିଖରୁ ୨୦୨୧ ଜୁଲାଇ ୧୫ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ରୂପେ କାର୍ଯ୍ୟ କରିଥିଲେ।ଏହି ସମୟରେ ସେ ସାଧାରଣ ଲୋକଙ୍କ କଥା ଶୁଣୁଥିଲେ ଓ ସେହି ଅନୁସାରେ ତାଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ନିେର୍ଦଶ ଦେଉଥିଲେ। ରାଜ୍ୟରେ କସ୍ତୁରବା ବାଳିକା ଶିକ୍ଷାଶ୍ରମଗୁଡିକରେ ବାଳିକାମାନଙ୍କୁ ଯେପରି ଉପଯୁକ୍ତ ଶିକ୍ଷାଦାନ କରାଯିବ ତା ଉପରେ ଗୁରୁତ୍ବ ଦେଉଥିଲେ। ରାଜ୍ୟର ସମସ୍ତ ଆଦିବାସୀ ଶିକ୍ଷାଶ୍ରମଗୁଡ଼ିକୁ ସେ ବୁଲି ଦେଖିଥିଲେ। ତେଣୁ ଝାଡ଼ଖଣ୍ଡରେ ତାଙ୍କୁ ଲୋକ ରାଜ୍ୟପାଳ କୁହାଯାଉଥିଲା। ଆଦିବାସୀମାନଙ୍କର ପବିତ୍ର ବୃକ୍ଷ ଶାଳ। ଆଦିବାସୀ ବହୁଳ ଝାଡ଼ଖଣ୍ଡ ରାଜ୍ୟର ରାଜ ଭବନରେ ସେ ଶାଳ ବନ ସୃଷ୍ଟି କରିଥିଲେ।
୨୦୨୨ ଜୁଲାଇ ୨୫ ରେ ଶ୍ରୀମତୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ଭାବେ ନିକଟରେ ତାଙ୍କ ଆହ୍ବାନ କ୍ରମେ ତାମିଲନାଡୁ ସରକାରଙ୍କ ଅଭିଯୋଗ କ୍ରମେ ମାନ୍ୟବର ସୁପ୍ରିମ କୋର୍ଟ ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କ ପାଇଁ ବିଧାନସଭାରେ ପାରିତ ହୋଇ ରାଷ୍ଟ୍ରପତି ଓ ରାଜ୍ୟପାଳ ଅନୁମୋଦନ ପାଇଁ ଯେଉଁ ବିଲ୍ଗୁଡ଼ିକ ଆସୁଥିଲା, ସେଥି ନେଇ ଯେଉଁ ସମୟସୀମା ଧାର୍ଯ୍ୟ କରିଥିଲେ ସେଥିରେ ପରିବର୍ତ୍ତନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ସେପରି ସମୟ ସୀମା ଭିତରେ ବିଲ ଅନୁମୋଦନ ପାଇଁ ସୁପ୍ରିମ କୋର୍ଟ ନିେର୍ଦଶ ଦେଇ ପାରିବେ କି ପ୍ରଶ୍ନର ଉତ୍ତରରେ ସୁପ୍ରିମକୋର୍ଟ ନାଁ ବୋଲି କହିଛନ୍ତି। ତେଣୁ ମହାମହିମ ରାଷ୍ଟ୍ରପତିଙ୍କର ଏଭଳି ପଦକ୍ଷେପ ଗଣତନ୍ତ୍ରର ଏକ ସୁରକ୍ଷା କବଚ ରୂପେ କାର୍ଯ୍ୟ କରିଛି। ଏକ ସାର୍ବଭୌମ ରାଷ୍ଟ୍ରର ରାଷ୍ଟ୍ରପତିଙ୍କର କ୍ଷମତା ପୁନଃ ପ୍ରତିଷ୍ଠିତ ହୋଇଛି। ମୁଁ ପୁଣି ଥରେ ମହାମହିମଙ୍କୁ ସ୍ବାଗତ ଜଣାଉଛି ଓ ତାଙ୍କର ଏହି ଗସ୍ତ ବିଧାନ ପାଳିକା ପରମ୍ପରାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ରଖିଛି।



