www.samajalive.in
Monday, December 8, 2025
14.1 C
Bhubaneswar

୧୦୦ ଟଙ୍କା ଦେବାକୁ କ୍ଷମତା ନ ଥିଲା: ଘାସିରାମ

ବଲାଙ୍ଗିର(ପାର୍ଥ ମହାପାତ୍ର): ଗାଁ ଗାଁ ବୁଲି ପ୍ରଚାର କଲେ। ଲୋକଙ୍କୁ ଭେଟି ନୂଆପଡ଼ା ଉପ-ନିର୍ବାଚନରେ ଥରଟିଏ ବିଜୟ ଟିକା ଲଗାଇବାକୁ କହିଲେ। ଲୋକଙ୍କ ସମସ୍ୟା ଓ ଦାବି ବିଧାନସଭାରେ ଉପସ୍ଥାପନ ପାଇଁ ସୁଯୋଗ ଦେବାକୁ ସବୁଠି ଲୋକଙ୍କୁ ମନେଇବାକୁ ପ୍ରଚେଷ୍ଟା କଲେ। ସ୍ବଚ୍ଛ ଭାବମୂର୍ତ୍ତି ନେଇ ଆଦିବାସୀଙ୍କଠାରୁ ସବୁ ବର୍ଗର ଲୋକଙ୍କ ଜନସମର୍ଥନ ଲୋଡ଼ିଲେ। ଶେଷରେ ସବୁ ଛେତ୍‌କା। ମତଦାନ ବେଳେ ବୁଥ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ଏଜେଣ୍ଟ ଦେଇପାରିଲେ ନାହିଁ । ବିଜେପି ଓ ବିଜେଡି ଏଜେଣ୍ଟଙ୍କ ତୁଳନାରେ କଂଗ୍ରେସ ଏଜେଣ୍ଟଙ୍କୁ ଅର୍ଥ କୁଳେଇଲା ନାହିଁ। ନୂଆପଡ଼ା ଉପ-ନିର୍ବାଚନରେ କଂଗ୍ରେସର ସବୁ ଗଣିତ ଶେଷମୁଣ୍ଡରେ ଗଣ୍ଡଗୋଳିଆ ହୋଇଗଲା। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ଏ ନେଇ ଏବେ ନୂଆପଡ଼ା କଂଗ୍ରେସରୁ କୁହୁଳୁଥିବା ଅସନ୍ତୋଷ ଦିଲ୍ଲୀ ଯାଏଁ ପହଞ୍ଚିଛି। ଆର୍ଥିକ ସଙ୍କଟ ଦେଇ ଗତି କରିବା ଓ ବୁଥରେ ଏଜେଣ୍ଟ ପ୍ରଭାବିତ ହେବା କଥା ଖୋଦ୍‌ ଘାସିରାମ ସ୍ବୀକାର କରୁଛନ୍ତି।

ମୂଳତଃ କଂଗ୍ରେସ ଆଭିମୁଖ୍ୟ ସହ ଜଡ଼ିତ ଘାସିରାମ ମାଝୀ। ଗତ ସାଧାରଣ ନିର୍ବାଚନରେ ସ୍ବାଧୀନରୁ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ସେ ୫୦ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ଏଥର ତାଙ୍କୁ କଂଗ୍ରେସ କୋଳେଇ ନେଇଥିଲା। ମାଝୀଙ୍କ ଚମକ ସହ ଭୋଟର୍‌ଙ୍କୁ ନିଜ ଆଡକୁ ଟାଣିବାର କୌଶଳ ସାଙ୍ଗକୁ ପୂର୍ବତନ ସାଂସଦ ତଥା ପିସିସି ସଭାପତି ଭକ୍ତଚରଣ ଦାସ ଗାଁ ଗାଁ ବୁଲି ପ୍ରଚାର କରିଥିଲେ। ନିର୍ବାଚନ ମଣ୍ଡଳୀର କୌଣସି ଗାଁ ସେମାନେ ଛାଡ଼ି ନ ଥିଲେ। ଦଳର ଅନ୍ୟ ନେତାମାନେ ବି ଜୋରସୋରରେ ପ୍ରଚାରରେ ଲାଗି ପଡିଥିଲେ। ବିଜେପି ଓ ବିଜେଡି ଦୌଡ଼ଦେଖି ଧରାଶାୟୀ ମନେକରୁଥିବା କଂଗ୍ରେସ ଇସ୍ତାହାର ଜରିଆରେ କଂଗ୍ରେସ ପ୍ରାର୍ଥୀ ମାଝୀଙ୍କ ଛବିକୁ ତେଜିୟାନ କରିବାକୁ ଢେର ପ୍ରୟାସ କରିଥିଲା। ବୁଥସ୍ତରୀୟ ୨ଜଣ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ ସହ ଖର୍ଚ୍ଚ(ନିର୍ବାଚନ ଖର୍ଚ୍ଚ ମଧ୍ୟରେ ଗ୍ରହଣୀୟ) ଅନୁସାରେ ପ୍ରଦାନ କରାଯାଇଥିଲା। କଂଗ୍ରେସର ବରିଷ୍ଠ ତଥା ନୂଆପଡ଼ା ନିର୍ବାଚନରେ ଓତଃପ୍ରୋତ ଭାବେ ଜଡ଼ିତ ନେତାଙ୍କ କହିବା ଅନୁସାରେ, ମଙ୍ଗଳବାର ନିର୍ବାଚନ ବେଳେ ନୂଆପଡ଼ା ଓ କୋମନା ବ୍ଲକର ୧୪ଟି ପଞ୍ଚାୟତରେ ପ୍ରାୟ ୮୦ଟି ବୁଥ୍‌ରେ କଂଗ୍ରେସର ଏଜେଣ୍ଟ ନ ଥିଲେ। ନିର୍ବାଚନ କମିଶନଙ୍କ ଅନୁମତି ଅନୁସାରେ ଏଜେଣ୍ଟଙ୍କୁ ଦିଆଯିବାକୁ ଥିବା ଖର୍ଚ୍ଚ କୁଳାଇଲା ନାହିଁ। ବିଜେପି-ବିଜେଡି ହଜାର ହଜାର ଟଙ୍କା ଏଜେଣ୍ଟ ପାଇଁ ଦେଉଥିବା ବେଳେ ଆମେ ୨ଶହ ଓ ଶହେ ଟଙ୍କା ଏଜେଣ୍ଟଙ୍କୁ ଦେବାକୁ ଅସହାୟ ହେଲୁ । ସେହିପରି ଦଳର ନିର୍ବାଚନ ପରିଚାଳନା ଓ ବିହାର ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତା କି ଷ୍ଟାର୍‌ ପ୍ରଚାରକ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆସିଲେନି । ଯେଉଁ ସୂତ୍ରରୁ କଂଗ୍ରେସର ନିର୍ବାଚନ ବ୍ୟୟବରାଦ ପାଣ୍ଠି ଆସିବା କଥା ତାହା ମଧ୍ୟ ପହଞ୍ଚି ପାରିଲା ନାହିଁ । ତେଣୁ ଶେଷ ସମୟରେ ସବୁ ଗଣ୍ଡଗୋଳିଆ ହୋଇଗଲା ବୋଲି କଂଗ୍ରେସ ଶିବିରରେ ଆଲୋଚନା ।

- Advertisement -

ଏହି କଥାକୁ ଅନ୍ୟ ଜଣେ କଂଗ୍ରେସ ନେତା ଭିନ୍ନ ଭାବେ କହିଥିଲେ । କଂଗ୍ରେସ ମଇଦାନରେ ପ୍ରବଳ ପରିଶ୍ରମ କରିଥିଲା । ବିଜେପି ଓ ବିଜେଡିର ଅର୍ଥବଳ ଆଗରେ ଆମେ ଫିକା ପଡିଲୁ । ତେବେ ନୀରବ ମତଦାତାଙ୍କ ସଂଖ୍ୟା ଯଥେଷ୍ଟ ଥିବାରୁ ଫଳାଫଳ ନେଇ ଆମେ ଆଶାବାଦୀ ଥିଲୁ । କାଁ ଭାଁ କିଛି କେନ୍ଦ୍ରରେ ଏଜେଣ୍ଟ ସମସ୍ୟା ହେଇଥିଲା ବୋଲି ନାମ ପ୍ରକାଶ ନ କରିବା ସର୍ତ୍ତରେ ସଦ୍ୟ କଂଗ୍ରେସରେ ଯୋଗଦେଇଥିବା ନେତା ମତ ଦେଇଥିଲେ ।

ବିଶେଷ ସୂତ୍ରରୁ ମିଳୁଥିବା ତଥ୍ୟ ଅନୁସାରେ, ପରିଚାଳନାଗତ ତ୍ରୃଟି ନେଇ ସାଧାରଣରେ କିଛି କହୁ ନ ଥିଲେ ହେଁ କେନ୍ଦ୍ରୀୟ ନେତାଙ୍କ କାନରେ ଆର୍ଥିକ ସଙ୍କଟ ବିଷୟ ନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏସଂପର୍କରେ ନୂଆପଡ଼ା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତିକ୍ରିୟା ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା । ଆଜି ପରାଜୟ ପରେ ମାଝୀ ମୁହଁ ଖୋଲିଛନ୍ତି । ଅର୍ଥ କାରବାର ଆଗରେ ହାର ମାନିଲୁ । ପଞ୍ଚାୟତରେ ଏଜେଣ୍ଟ ଦେଇଥିଲୁ । ଦୁନିଆ ଧନ୍ଦା ହେଲା । ଶହେ ଟଙ୍କା ଦେବାକୁ କ୍ଷମତା ନ ଥିଲା । ସେଥିରେ ଏଜେଣ୍ଟଙ୍କୁ ପ୍ରଭାବିତ କରାଯାଇଥିବା ସେ ପରୋକ୍ଷରେ ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ ଆର୍ଥିକ ସଙ୍କଟ ଓ ବୁଥସ୍ତରରେ ଏଜେଣ୍ଟ ଦେବାରେ ଅସମର୍ଥ ବିଷୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ପଞ୍ଚାୟତରୁ ଗାଁ ଯାଏ ଆମେ ପ୍ରଚାର ସହ ଲୋକଙ୍କୁ କଂଗ୍ରେସ ପକ୍ଷରେ ଯୋଡ଼ିବାକୁ ଭରପୂର ଉଦ୍ୟମ କରିଛୁ । ଏଜେଣ୍ଟ ସବୁଠି ଦେଇଛୁ । ଫର୍ମ ୧୭(ସି)ରେ କିଏ କେଉଁଠି ଏଜେଣ୍ଟ ହେବେ ତାହାର ତାଲିକା ଦିଆଯାଇଛି । ଯଦି ଏଜେଣ୍ଟ ଦେଇ ନ ଥିଲୁ ତା’ହେଲେ ଫର୍ମ ୧୭(ସି) ଦେଲୁ କେମିତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ୧୪ଟି ପଞ୍ଚାୟତର ପ୍ରାୟ ୮୦ଟି ବୁଥ୍‌ରେ ଏଜେଣ୍ଟ ନ ଥିବା କଥାକୁ ଅପପ୍ରଚାର ଓ ମିଛ ବୋଲି ଦାସ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories