ଆତ୍ରେୟ ଥିଲେ ମହର୍ଷି ଅତ୍ରିଙ୍କ ପୁତ୍ର। ଏକଦା ଦେବଲୋକର ରାଜଧାନୀ ଅମରାବତୀ ଗଲେ। ସେଠାର ଐଶ୍ବର୍ଯ୍ୟ, ବୈଭବ, ଚାକଚକ୍ୟ ଦେଖି ଏଭଳି ହତଚକିତ ହୋଇଯାଇଥିଲେ ଯେ ଆଶ୍ରମକୁ ଫେରିବା ପରେ ସର୍ବଦା ତାଙ୍କର ମନ ଭିତରେ ଝଲସି ଉଠୁଥିଲା ଅମରାବତୀର ସେହି ଅପରୂପ ବୈଭବ। ଦିବାନିଶି ଏହି ଭାବନା କାରଣରୁ ଧ୍ୟାନ-ଧାରଣା, ଜପ-ତପାଦି ନିତ୍ୟନୈମିତ୍ତିକ କ୍ରିୟାରେ ମନ ଲାଗିଲା ନାହିଁ। ବିହିତ କର୍ମ (ଜପ-ତପାଦି) ସୁଚାରୁରୂପେ ପୂର୍ବ ଭଳି ସମ୍ପାଦନ କରିବା ଲାଗି ପତ୍ନୀ ବହୁତ ବୁଝାଇଥିଲେ। ହେଲେ ଏହା ନିଷ୍ଫଳ ଥିଲା। ପତ୍ନୀ ଶେଷରେ ତ୍ବଷ୍ଟା ନାମକ ଜଣେ ସିଦ୍ଧତପା ଋଷିଙ୍କ ନିକଟକୁ ଯାଇ ତାଙ୍କର ପରାମର୍ଶ ଗ୍ରହଣ ପାଇଁ ପ୍ରବର୍ତ୍ତାଇବାରେ ସଫଳ ହୋଇଥିଲେ। ଆତ୍ରେୟ ତ୍ବଷ୍ଟାଙ୍କ ନିକଟକୁ ଯାଇ ନିଜ ଇଚ୍ଛା ପ୍ରକଟ କରିଥିଲେ। ତ୍ବଷ୍ଟା ଦିବ୍ୟଦୃଷ୍ଟି ବଳରେ ଜାଣିପାରିଲେ- ଆତ୍ରେୟଙ୍କ ମନ ବିଚଳିତ ଅଛି। ଥରେ ଅମରାବତୀର ସୁଖ ଭୋଗ ନକଲେ ସେ ସ୍ବାଭାବିକ ଅବସ୍ଥାକୁ ଆସିବେ ନାହିଁ।
ଆତ୍ରେୟଙ୍କୁ ଆଶ୍ବାସନା ଦେଇ କହିଥିଲେ- ‘ବତ୍ସ! ମୁଁ ତୁମର ବାସନା ପୂର୍ତ୍ତିରେ ସହାୟତା କରିବି। ଏବେ ନିଜ ଆଶ୍ରମକୁ ଫେରିଯାଅ।’ ଆତ୍ରେୟ ଆଶ୍ରମରେ ପହଞ୍ଚିବା ବେଳକୁ ତାଙ୍କୁ ଲାଗିଲା ସେ ଇନ୍ଦ୍ରଭୁବନରେ ପହଞ୍ଚି ଯାଇଛନ୍ତି। ନିଜକୁ ଇନ୍ଦ୍ର ଏବଂ ପତ୍ନୀଙ୍କୁ ଇନ୍ଦ୍ରାଣୀ ମନେ କଲେ। ଇନ୍ଦ୍ରପୁରୀର ସୁଖ ସମ୍ଭୋଗ ଭିତରେ ରହିବାର ଦିନ କେଇଟା ଭିତରେ ଦେବ ଅରି ଅସୁରମାନଙ୍କୁ ସୂଚନା ମିଳିଗଲା ଯେ ମର୍ତ୍ତ୍ୟଲୋକରେ ମଧ୍ୟ ଗୋଟିଏ ଇନ୍ଦ୍ରଭୁବନ ଅଛି। ସେଠାରେ ଜଣେ ଇନ୍ଦ୍ର ଅଛନ୍ତି। ନିଷ୍ପତ୍ତି ନେଲେ ଅବିଳମ୍ବେ ଯାତ୍ରା କରି ସେହି ଇନ୍ଦ୍ରକୁ ହଟାଇ ସିଂହାସନ ଦଖଲ କରିବାକୁ। ରେରେକାର ଧ୍ବନିରେ ଚତୁର୍ଦିଗ ପ୍ରକମ୍ପିତକରି ଅସୁରମାନେ ଆତ୍ରେୟଙ୍କ ତଥାକଥିତ ଅମରାବତୀ ଅବରୋଧ କଲେ। ଦେବଲୋକର ଇନ୍ଦ୍ର ସର୍ବଶକ୍ତିସମ୍ପନ୍ନ ଥିଲେ। ତାଙ୍କ ନିକଟରେ ଯଥେଷ୍ଟ ଦେବସୈନ୍ୟ ଥିଲେ ଯେଉଁମାନେ ଖୁବ୍ ବଳଶାଳୀ। ହେଲେ ଆତ୍ରେୟ ! ସେ ତ ସଂସାର ବୈରାଗୀ ଜଣେ ସନ୍ନ୍ୟାସୀ। ତାଙ୍କ ନିକଟରେ ନା ଥିଲା ସୈନ୍ୟବଳ ନା ଅସ୍ତ୍ର ବଳ।
ପ୍ରାଣରକ୍ଷା ନିମିତ୍ତ ସବୁ ଛାଡ଼ି ଏକମୁହାଁ ହୋଇ ଧାଇଁଥିଲେ ତ୍ବଷ୍ଟାଙ୍କ ନିକଟକୁ। ପଛେପଛେ ତାଙ୍କ ସ୍ତ୍ରୀ ତ୍ବଷ୍ଟାଙ୍କ ନିକଟରେ ପହଞ୍ଚି ଜୀବନଭିକ୍ଷା କରି କହିଥିଲେ- ‘ଅମରାବତୀର ଐଶ୍ବର୍ଯ୍ୟ, ସୁଖ ମୋର ଲୋଡ଼ା ନାହିଁ। ମୋର ପ୍ରାଣ ସଂକଟରେ, ଏ ସଂକଟକୁ ମୁଁ ଆମନ୍ତ୍ରଣ କରି ଆଣିଛି। ମୋତେ ଏଥିରୁ ଉଦ୍ଧାର କରନ୍ତୁ। ଆଶ୍ରମର ସୁଖ, ଐଶ୍ବର୍ଯ୍ୟ ଏହାଠାରୁ ଶତଗୁଣ ଭଲ। ତପସ୍ବୀର ତ୍ୟାଗପୂତ ଜୀବନ ଅମରାବତୀର ଐଶ୍ବର୍ଯ୍ୟଠାରୁ ଶ୍ରେୟସ୍କର।’ ତ୍ବଷ୍ଟା ହସିହସି କହିଥିଲେ- ‘ଅମରାବତୀର ସୁଖ-ଐଶ୍ବର୍ଯ୍ୟ କ’ଣ ଏତେ ଶୀଘ୍ର ତୁଚ୍ଛ ହୋଇଗଲା? ବାହ୍ୟ ଚାକଚକ୍ୟ ବୈଭବ କେତେ ଦୁଃଖଦାୟକ ତାହା ଅନୁଭବ କଲ ତ? ଯେଉଁମାନେ ବର୍ତ୍ତମାନକୁ ନେଇ ଖୁସି ନ ହୋଇ ଅବିମୃଶ୍ୟକାରୀ ଭାବରେ ସୁଖ ସେମ୍ଭାଗ ଭିତରେ ରହିବାକୁ କାମନା କରିଥାନ୍ତି, ସେମାନେ ତୁମ ଭଳି ଏହାର ଜ୍ବାଳା ଭୋଗ କରିଥାନ୍ତି। ଯାଅ, ଏବେ ତପୋବନରେ ପୂର୍ବ ଭଳି ତପସ୍ବୀର ଜୀବନ ଅତିବାହିତ କର।’



