ରାୟଗଡ଼ା : ରାଜ୍ୟରେ ସାଧାରଣ ଲୋକେ ଜମିଜମା ବାବଦରେ ଅସୁବିଧା ସମ୍ମୁଖିନ ନହେବାକୁ ୧୩ଟି ଜିଲ୍ଲାର ୪୪ଟି ତହସିଲ କାର୍ଯ୍ୟାଳୟରେ ସବ୍-ରେଜିଷ୍ଟ୍ରାର୍ ଅଫିସ ଖୋଲିବା ସହ ତହସିଲଦାର ମାନଙ୍କୁ ସବ୍-ରେଜିଷ୍ଟ୍ରାର କ୍ଷମତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି ।
ଘୋଷଣା ହୋଇଥିବା ୪୪ଟି ନୂଆ ସବ ରେଜିଷ୍ଟ୍ରାର ଅଫିସ ମଧ୍ୟରେ ରାୟଗଡା ଜିଲ୍ଲାର ପଦ୍ମପୁର, ରାମନାଗୁଡା ଏବଂ କଲ୍ୟାଣସିଂହପୁର ତହସିଲ ରହିଛି । ଯାହାକୁ ସେ ଅଞ୍ଚଳର ବାସିନ୍ଦା ସ୍ଵାଗତ କରିବା ସହ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । କିନ୍ତୁ ପୂର୍ବ ସରକାରରେ ସବ ରେଜିଷ୍ଟ୍ରାର ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜିଲ୍ଲାର ୭ଟି ତହସିଲ ମଧ୍ୟରୁ ମୁନିଗୁଡା, ଚନ୍ଦ୍ରପୁର, କୋଲନରା, ଗୁଡାରୀକୁ ଏଥିରେ ବାଦ ଦିଆଯାଇଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଯାଇଛି । ଏହା ଉପରେ ରାଜ୍ୟ ସରକାର ପୁନର୍ବିଚାର ନକଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସୀ।



