ଭାରତୀୟ ରେଳବାଇକୁ ଦେଶର ଜୀବନରେଖା କୁହାଯାଏ; କିନ୍ତୁ ଆଜି ଏହି ଜୀବନରେଖା ନିଜେ ମୃତ୍ୟୁର କାରଣ ହୋଇଯାଇଛି। ନଭେମ୍ବର ୪ରେ ଛତିଶଗଡ଼ର ବିଳାସପୁର ନିକଟରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଠିଆ ହୋଇଥିବା ମାଲଗାଡ଼ିରେ ଧକ୍କା ଦେବାରୁ ଆଠ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଲା ଓ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ମାତ୍ର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲାର ଚୁନାର ରେଳ ଷ୍ଟେସନ୍ରେ ୬ ଜଣ ତୀର୍ଥଯାତ୍ରୀ ରେଳ ଲାଇନ୍ ପାର ହେଉଥିବା ସମୟରେ ଏକ ଏକ୍ସପ୍ରେସ ଟ୍ରେନ୍ରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଏଗୁଡ଼ିକ କୌଣସି ଅକସ୍ମାତ୍ ଘଟଣା ନୁହେଁ। ପ୍ରତିବର୍ଷ ରେଳ ଦୁର୍ଘଟଣାରେ ହଜାର ହଜାର ଲୋକ ମରୁଛନ୍ତି। ପ୍ରତ୍ୟେକ ଥର ଦୁର୍ଘଟଣା ହେଲା ପରେ ସରକାରୀ ଅଧିକାରୀମାନେ ତଦନ୍ତ, କ୍ଷତିପୂରଣ ଓ ନୂଆ ସୁରକ୍ଷା ବ୍ୟବସ୍ଥାର ଘୋଷଣା କରନ୍ତି; କିନ୍ତୁ କିଛି ଦିନ ପରେ ପୁଣି ସେହି ପୁରୁଣା କାହାଣୀ – ଟ୍ରେନ୍ ଧକ୍କା, ଲାଇନ୍ଚ୍ୟୁତ, କ୍ରସିଂରେ ମୃତ୍ୟୁ। ଏହା ସ୍ପଷ୍ଟ କରେ ଯେ ଆମର ରେଳବାଇ ବ୍ୟବସ୍ଥା ଗଭୀର ସଙ୍କଟରେ ଅଛି।
ଆମେ ଭାରତୀୟମାନେ ‘ବନ୍ଦେ ଭାରତ ଟ୍ରେନ୍ ’ ଓ ‘ବୁଲେଟ୍ ଟ୍ରେନ୍’ ପ୍ରକଳ୍ପ ପାଇଁ ଗର୍ବିତ; କିନ୍ତୁ ସାଧାରଣ ଲୋକେ ଯେଉଁ ପୁରୁଣା ଟ୍ରେନ୍ରେ ଯାତ୍ରା କରନ୍ତି, ସେଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଅବହେଳିତ। ପୁରୁଣା ରେଳ ଲାଇନ୍, ଦୁର୍ବଳ ସିଗନାଲ୍ ବ୍ୟବସ୍ଥା, କର୍ମଚାରୀ ଅଭାବ ଓ ଖରାପ ରକ୍ଷଣାବେକ୍ଷଣ – ଏସବୁ ମିଳିତ ହୋଇ ସତେ ଯେମିତି ମୃତ୍ୟୁର ଜାଲ ବୁଣୁଛନ୍ତି। ବିଳାସପୁର ଦୁର୍ଘଟଣାରେ ଟ୍ରେନ୍ ସିଗନାଲ୍ ଅତିକ୍ରମ କରି ଯାଇଥିବା ଜଣାପଡ଼ିଛି। ଏହା ୨୦୨୩ର ବାଲେଶ୍ୱର ବାହାନଗା ଦୁର୍ଘଟଣାକୁ ମନେ ପକାଏ, ଯେଉଁଠାରେ ସିଗନାଲ୍ ତ୍ରୁଟି ଯୋଗୁଁଁ ତିନିଟି ଟ୍ରେନ୍ ପରସ୍ପର ଧକ୍କା ହୋଇ ଶହ ଶହ ଲୋକ ମରିଥିଲେ। ସମସ୍ୟା କେବଳ ମାନବୀୟ ଭୁଲ୍ ନୁହେଁ – ଏହା ସୁରକ୍ଷା ବ୍ୟବସ୍ଥାର ବିଫଳତା। ସରକାର ‘କବଚ’ ନାମକ ଏକ ସ୍ୱଦେଶୀ ଧକ୍କା-ବିରୋଧୀ ପ୍ରଯୁକ୍ତିବିଦ୍ୟା ଆଣିଛନ୍ତି, କିନ୍ତୁ ଏହା ଭାରତର ୬୮, ୦୦୦ କିଲୋମିଟର ରେଳପଥର ଅଳ୍ପ ଅଂଶରେ ହିଁ ଲାଗିଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ ୨୦୨୩ରେ ୨୧, ୦୦୦ରୁ ଅଧିକ ଲୋକ ରେଳବାଇ ସମ୍ବନ୍ଧୀୟ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରେଳ ଲାଇନ୍ ପାର ହେଉଥିବା ସମୟରେ ଟ୍ରେନ୍ରେ ଚାପି ହୋଇଛନ୍ତି। ଯେଉଁ ଦେଶ ବୁଲେଟ୍ ଟ୍ରେନ୍ର ସ୍ୱପ୍ନ ଦେଖୁଛି, ସେହି ଦେଶ ଅସୁରକ୍ଷିତ କ୍ରସିଂ ଓ ସିଗନାଲ୍ ତ୍ରୁଟିରେ ହଜାର ହଜାର ଜୀବନ ହରାଇବା ଆଶ୍ଚର୍ଯ୍ୟଜନକ ନୁହେଁ କି ?
ସରକାରଙ୍କ ଅଡିଟ୍ ରିପୋର୍ଟ ବାରମ୍ବାର ଚେତାବନୀ ଦେଇଛି – ଖରାପ ଟ୍ରାକ୍, ରକ୍ଷଣାବେକ୍ଷଣର ଅଭାବ, ପୁରୁଣା ଯନ୍ତ୍ରପାତି ବଦଳାଇବାରେ ବିଳମ୍ବ, କୁଶଳୀ କର୍ମଚାରୀଙ୍କ ଅଭାବ ଭାରତୀୟ ରେଳବାଇର ପ୍ରମୁଖ ସମସ୍ୟା। ତଥାପି ନୂଆ ପ୍ରକଳ୍ପରେ ଟଙ୍କା ଖର୍ଚ୍ଚ ହେଉଛି, ସୁରକ୍ଷାରେ ନୁହେଁ। ରେଳବାଇର ପ୍ରକୃତ ପ୍ରଗତି ସେତେବେଳେ ହେବ ଯେତେବେଳେ ଯାତ୍ରୀଙ୍କ ସୁରକ୍ଷା ରେଳବାଇର ମୂଳ ନୀତି ହେବ। ଅର୍ଥାତ୍ ଯେତେବେଳେ ଜଣେ ଯାତ୍ରୀ ଟ୍ରେନ୍ରେ ଚଢ଼ିବା ସମୟରେ ଭାବିବ ନାହିଁ ଯେ ‘ଭଗବାନ ଜାଣନ୍ତି କ’ଣ ହେବ’, ବରଂ ସେ ନିଶ୍ଚିନ୍ତ ମନରେ କହିପାରିବ ‘ମୁଁ ସୁରକ୍ଷିତ ଅଛି।’ ଯେତେବେଳେ ରେଳ କର୍ମଚାରୀମାନେ ଜାଣିବେ ଯେ ସେମାନଙ୍କର ସୁରକ୍ଷା ଉପକରଣ ଭଲ ଅଛି, ସିଗନାଲ୍ ବ୍ୟବସ୍ଥା କାମ କରୁଛି। ଯାତ୍ରୀ ସୁରକ୍ଷା ଭାଗ୍ୟ ଉପରେ ନିର୍ଭର କରିବା ଉଚିତ୍ ନୁହେଁ, ଏହା ଦୃଢ଼ ବ୍ୟବସ୍ଥା ଉପରେ ନିର୍ଭର କରିବା ଉଚିତ୍।



