ରାଜନଗର: ରାଜନଗର ଥାନା କିଛି ଅଧିକାରୀଙ୍କ କାରନାମା ପାଇଁ ବଦନାମ ହେବା ସହିତ ସେମାନଙ୍କ କାର୍ଯ୍ୟକଳାପ ଚର୍ଚ୍ଚାର ଖୋରାକ ଯୋଗାଇଛି। ୨୦୨୧ ଅପ୍ରେଲ ମାସ ୧୮ ତାରିଖରେ ମୃତ୍ୟୁ ଘଟିଥିବା ଜନୈକ ବ୍ୟକ୍ତି ୨୦୨୩ ନଭେମ୍ବର ୧୩ ତାରିଖରେ ରୁଜୁ ହୋଇଥିବା ମାମଲାରେ ସାକ୍ଷ୍ୟ ହେବା ଏବଂ ୨୦୨୪ ଅଗଷ୍ଟ ୯ ତାରିଖରେ ଏହି ମାମଲା ଅପ୍ରମାଣିତ ହୋଇ ରଦ୍ଦ ହେବା ଘଟଣା ପୁଲିସ ପ୍ରଶାସନର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି। ଏ ସମ୍ପର୍କରେ ଜାଣିବା ପରେ ଅଭିଯୋଗକାରୀ କ୍ଷୀରୋଦ କୁମାର ମଲ୍ଲିକ କୋର୍ଟରେ ଆଉ ଏକ ମକଦ୍ଦମା ରୁଜୁ କରି ପୁଲିସ ମୃତ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଦର୍ଶାଇ ମାମଲା ବନ୍ଦ କରିବା ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନା ଅନୁସାରେ,
ଏହି ଥାନା ଅନ୍ତର୍ଗତ ବ୍ରାହ୍ମଣସାହି ପଞ୍ଚାୟତ ବିନ୍ଧା ନାଉକୋଣା ଗ୍ରାମରେ ଥିବା ନିଗମାନନ୍ଦ ଆଶ୍ରମର ସମ୍ପାଦକ କ୍ଷୀରୋଦ କୁମାର ମଲ୍ଲିକ ୨୦୨୩ ନଭେମ୍ବର ୧୩ ତାରିଖରେ ଗୌରାଙ୍ଗ ବରାଳ ଆଶ୍ରମର ଭାଇମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଓ ଆଶ୍ରମରେ ତାଲା ପକାଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ରାଜନଗର ଥାନା ମକଦ୍ଦମା ନମ୍ବର ୬୩୨/୨୦୨୩ରେ ଏକ ମାମଲା ରୁଜୁ କରିଥିଲା। ଏପରିକି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଶ୍ରମର ତାଲା ଖୋଲିଥିଲା।
ତଦନ୍ତକାରୀ ଅଫିସର ସବ୍ଇନ୍ସପେକ୍ଟର ନାରାୟଣ ସାହୁ ତିନିଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତିକରି ଘଟଣା ସପକ୍ଷରେ କୌଣସି ପ୍ରମାଣ ନଥିବା ନ୍ୟାୟାଳୟକୁ ଜଣାଇ ଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସାକ୍ଷ୍ୟ ଦେଇଥିବା ବିନ୍ଧାନାଉକୋଣା ଗ୍ରାମର ସୁନାକର ପଢ଼ିହାରୀ ୧୮ ଏପ୍ରିଲ ୨୦୨୧ରେ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁର ୩୨ ମାସପରେ ରୁଜୁ ହୋଇଥିବା ମାମଲାରେ ସାକ୍ଷ୍ୟ ଦେଲେ ଓ ତାହାକୁ ଗ୍ରହଣ କରି ସବ୍ଇନ୍ସପେକ୍ଟର ଶ୍ରୀ ସାହୁ ସଠିକ ତଦନ୍ତ ନକରି ନ୍ୟାୟାଳୟକୁ ଭ୍ରମାତ୍ମକ ତଥ୍ୟ ଦେଇ ମକଦ୍ଦମା ବନ୍ଦ କରିବାକୁ ରିପୋର୍ଟ ଦେଇଥିବା ଅଭିଯୋଗ ହୋଇଛି।



