ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଆସନ୍ତା ୨୭ରେ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବ। ଜେଲ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କା କରି ପିଣ୍ଟୁ ଦାଶଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ କାରାଗାରକୁ ସ୍ଥାନାନ୍ତର ନିମନ୍ତେ ବ୍ରହ୍ମପୁର ମଣ୍ଡଳ କାରାଗାର କର୍ତ୍ତୃପକ୍ଷ ଅଦାଲତରେ ଆବେଦନ କରିଥିଲେ ା ଆଜି ଏସଡିଜେଏମ ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି ା ତେବେ ପିଣ୍ଟୁ ଦାଶଙ୍କୁ ଫୁଲବାଣୀ ନୁହେଁ, ବରଂ ଆଖପାଖର କୌଣସି କାରାଗାରରେ ରଖିବାକୁ ଅନୁମତି ଦିଆଯାଉ ବୋଲି ପିଣ୍ଟୁଙ୍କ ପତ୍ନୀ ଆଜି ଏସଡିଜେଏମ ଅଦାଲତରେ ପିଟିସନ ଦାଖଲ କରିଛନ୍ତି ା ଆସନ୍ତାକାଲି ଏହି ପିଟିସନର ଶୁଣାଣି ହେବ। ସେହିପରି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ୱକାଲତନାମାରେ ୫୩ ଓକିଲ ଦସ୍ତଖତ କରିଛନ୍ତି।
ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ବିଜେଡି ଗଞ୍ଜାମ ଜିଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ପୂର୍ବତନ ମେୟର ପିଣ୍ଟୁ ଦାଶ, ୪୧ ନଂ ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନମୋହନ ଦଳେଇ, ବନ୍ଥପଲ୍ଲୀର ଛାତ୍ରନେତା ଯୋଗୀ ରାଉତ, ନୟାଗଡ଼ ଚାନ୍ଦପୁରର ରାଜେନ୍ଦ୍ର ସାହୁ, ବନ୍ଥପଲ୍ଲୀର କାଳୁଚରଣ ଭୂୟାଁ, ଚିଣ୍ଟୁ ପ୍ରଧାନ, ହିଞ୍ଜିଳିକାଟୁର ବିପିନ ସ୍ୱାଇଁ, ହାରପ୍ରିୟାପୁର ଖଦାଳ ସାହିର ସୀମାଞ୍ଚଳ ନାୟକ, ବିହାର ରାଜ୍ୟର ସିସିପାଲ କୁମାର ପାସୱାନ ଓ କୁନ୍ଦନ କୁମାର, ଜୟପୁରର ଫାର୍ମ ହାଉସ ମାଲିକ ସୁନିଲ ହୋତାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା ା ଏହି ସମସ୍ତ ଅଭିଯୁକ୍ତ ଏବେ ମଣ୍ଡଳ କାରାଗାରର ରହିଛନ୍ତି ା
ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ବର୍ତ୍ତମାନ ମଣ୍ଡଳ କାରାଗାରରେ ରହିଛନ୍ତି। ପିଣ୍ଟୁ ଦାଶ ଓ ସେହି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଶତ୍ରୁତା ଲାଗି ରହିଛି ା ସେଥିପାଇଁ କୌଣସି ସମୟରେ ଜେଲ ଭିତରେ ଗଣ୍ଡଗୋଳର ଆଶଙ୍କା କରାଯାଉଛି ା ସେହିପରି ପୂର୍ବତନ ବିଧାୟକ ବିକ୍ରମ ଓ ପୂର୍ବତନ ମେୟର ପିଣ୍ଟୁ ଦାଶ ନିଜ ରାଜନୈତିକ ଭବିଷ୍ୟତ ଗଢ଼ିବା ଲକ୍ଷ୍ୟରେ ପୀତବାସଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ବୋଲି ପୁଲିସ ସନ୍ଦେହ କରୁଛି ା ସେମାନେ ଯଦି ଗୋଟିଏ ଜେଲରେ ରହିବେ ତେବେ ସମସ୍ୟା ଉପୁଜି ପାରେ ା ତେଣୁ ପିଣ୍ଟୁ ଦାଶଙ୍କୁ ଏଠାରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିଦେଲେ ସବୁକିଛି ଠିକଠାକ ଚାଲିବ ବୋଲି ଜେଲ କର୍ତ୍ତୃପକ୍ଷ ବିଚାର କରୁଛନ୍ତି। ପୀତବାସ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ସୁଦର୍ଶନ ଜେନାଙ୍କୁ ପୁଲିସ ପଚରାଉଚରା କରିବା ପରେ ଛାଡ଼ି ଦେଇଛି ା ସେହିପରି ଏହି ମାମଲାରେ ଫେରାର ଥିବା ଅଭିଯୁକ୍ତ ଉମା ବିଷୋୟୀଙ୍କ ଏକ ଗାଡିକୁ ପୁଲିସ ଠାବ କରିଥିବା ସୂଚନା ମିଳିଛି ା ଉମା ବିଷୋୟୀ ସହ ଗୁଳି ମାରିଥିବା କୁରୁପତି ଭୂୟାଁଙ୍କୁ କାବୁ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ା
ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସପକ୍ଷରେ ମାମଲା ଲଢିବାକୁ ୫୩ ଜଣ ଓକିଲ ଏକଜୁଟ ହୋଇଛନ୍ତି ା ବିକ୍ରମ ଜଣେ ଆଇନଜୀବୀ ସହ ବିଜେଡିର ଜିଲା ସଭାପତି ଅଛନ୍ତି ା ତାଙ୍କ ପାଇଁ ଜାମିନ ଆବେଦନ ପୂର୍ବରୁ ପ୍ରସ୍ତୁତ ହେଉଥିବା ୱକାଲତନାମାରେ ଆଜି ସୁଦ୍ଧା ୫୩ ଜଣ ଓକିଲ ଦସ୍ତଖତ କରିସାରିଥିବା ଜଣାପଡ଼ିଛି ା ଗତକାଲି ୪୪ ଜଣ ଓକିଲ ୱକାଲତନାମାରେ ଦସ୍ତଖତ କରିଥିବା ବେଳେ ଆଜି ଏଥିରେ ଆଉ ୯ ଜଣ ଓକିଲ ସାମିଲ ହୋଇଛନ୍ତି ା ୱକାଲତନାମା ଦାଖଲ କରିଥିବା ଓକିଲଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା ଓ ଦୀପକ ପଟ୍ଟନାୟକ ରହିଛନ୍ତି ା ସେହିପରି ବିକ୍ରମଙ୍କ ୨ ପ୍ରମୁଖ ସହଯୋଗୀ ମଦନମୋହନ ଦଳେଇ ଓ କର୍ପୋରେଟର ମଳୟ ବିଷେୟୀଙ୍କ ୱକାଲତନାମାରେ ମଧ୍ୟ ଯଥାକ୍ରମେ ୩୪ ଓ ୪୪ ଜଣ ଓକିଲ ଦସ୍ତଖତ କରିଥିବା ଜଣାପଡ଼ିଛି ା



