ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବାଘଲଟି ଜଳଭଣ୍ଡାର ଉପର ଅଂଶ ଆଙ୍କୁଲି ବୁରାତାଲ ପଂଚାୟତରେ ଆଜି ବର୍ଷା ଲାଗି ରହିଛି। ଫଳରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ବାହୁଦା ନଦୀରେ ନିର୍ମିତ ବାଘଲଟି ମଧ୍ୟମ ଜଳସେଚନ ଯୋଜନାରେ ସର୍ବୋଚ୍ଚ ୧୦୬ ମିଟର ଜଳଧାରଣ କ୍ଷମତା ରହିଛି। ସୋମବାର ସକାଳେ ବାଘଲଟିରେ ୧୦୨.୪୨ ମିଟର ପାଣି ରହିଥିବା ସୂଚନା ମିଳିଛି। ତେବେ ଉପର ମୁଣ୍ଡରେ ବର୍ଷା ପରେ ଜଳସ୍ତର ବୃଦ୍ଧି ପାଇ ୧୦୪ ମିଟରରେ ପହଞ୍ଚିଲେ ଉପର ଅଧିକାରୀଙ୍କ ସହ ଆଲୋଚନା କରି ପାଣି ଛାଡ଼ିବା ସ୍ଥିର ହୋଇଛି। ବାଘଲଟି ମାଧ୍ୟମ ଜଳସେଚନ ପ୍ରକଳ୍ପ ତିନି ବର୍ଷ ହେଲା ପାଣି ପୂର୍ଣ୍ଣ ହୋଇ ନଥିବା ବେଳେ ଗତ ୨୦୨୨ ଅକ୍ଟୋବର ମାସରେ ଭର୍ତ୍ତି ପରେ ପାଣି ଛଡା ଯାଇଥିଲା। ଗତ ଲଘୁଚାପ ଜନିତ ବର୍ଷାରେ ବାଘଲଟି ପାଣି ଛାଡି ନଥିବା ସତ୍ତ୍ଵେ ପୋଇ ଚାନ୍ଦିଆ ନଦୀରେ ପାଣି ଆସି ବାହୁଦା ନଦୀରେ ବନ୍ୟା ସୃଷ୍ଟି ହୋଇ ଥିଲା। ବାହୁଦା ନଦୀର ତଳ ଅଂଶରେ ପୋଇ ଚାନ୍ଦିଆ, କଣ୍ଟେଇ ଯୋଡ଼ି ନଦୀ ସହିତ ଦୁଇଟି ବାତରଡା ନାଳ ଓ ଅନ୍ୟ ବହୁ ନାଳ ବାହୁଦାରେ ମିଶିଛି।
ଉପର ମୁଣ୍ଡରେ ବର୍ଷା: ଜଳସ୍ତର ବଢ଼ିଲେ ବାଘଲଟି ଛାଡ଼ିବ ପ୍ରଥମ ବନ୍ୟା ଜଳ pic.twitter.com/mLMSOMBCXD
— Samaja Live (@samajalive) October 20, 2025
ଭାରତୀୟ ପାଣିପାଗ ବିଭାଗ ତରଫରୁ ଲଘୁଚାପ ସୃଷ୍ଟି ହୋଇ ଗଭୀର ଅବପାତ ହେବା ଆଶଙ୍କା ରହିଥିବା ବେଳେ ଏହି ଅଞ୍ଚଳରେ ତାହାରି ପ୍ରଭାବ କଣ ରହିବ ତାହାରି ସଠିକ୍ ତଥ୍ୟ ମିଳି ନାହିଁ। ବାଘଲଟି ଉପର ମୁଣ୍ଡରେ ବର୍ଷା ହେଲେ ଯେକୌଣସି ସମୟରେ ପାଣି ନଦୀରେ ଛାଡ଼ିବା ନେଇ ଚାରିଦିନ ପୂର୍ବେ ତଳୁଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜଳସେଚନ ବିଭାଗ ପ୍ରଚାର କରିଥିଲେ।



