ନୟାଗଡ : ନୟାଗଡ ସଦରଥାନା ଗୁପ୍ତପଲ୍ଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଳିଆଗଦା ପୋଡିବା ବେଳେ ବାଣ ଫୁଟି ଜଣେ ୮ବର୍ଷର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଶିଶୁ ଚାନ୍ଦୁ ବାହୁକକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ଫଳରେ ଶିଶୁଟିର ମୁହଁ ଏବଂ ଦୁଇ ହାତ ପୋଡିଯାଇଥିବା ଡାକ୍ତର କହିଛନ୍ତି ।
ସୂଚନା ଅନୁସାରେ ଗୁପ୍ତପଲ୍ଲି ଗାଁର ବିଶ୍ବନାଥ ବାହୁକଙ୍କ ପୁଅ ଚାନ୍ଦୁ ସକାଳେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅଳିଆଗଦାରେ ଡିଆସିଲି ଲଗାଇ ଦେଇଥିଲା । ଏହି ସମୟରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା । ଅଳିଆଗଦାରେ କେହି ବାଣ ପକାଇଥିଲା ଏବଂ ତାହା ଫୁଟିଗଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବିସ୍ଫୋରଣ ଫଳରେ ଶିଶୁଟିର ମୁହଁ ଏବଂ ଦୁଇ ହାତ ପୋଡିଯାଇଥିଲା। ତୁରନ୍ତ ତାକୁ ଉଦ୍ଧାର କରାଯାଇ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।



