ସମାଜ ଡିଜିଟାଲ ଡେସ୍କ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଅହିଂସାର ପ୍ରତୀକ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଅହିଂସା ପଥ ଅନୁକରଣ କରି ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ୍ ପୁରୁଷଙ୍କ ଜୟନ୍ତୀ ପାଇଁ ସବୁଠି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପଥ ଆପଣାଇଥିଲେ ।
ସେପଟେ ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ୧୯୦୪ ମସିହାରେ ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ପିଲାଟଇ ଦିନରୁ ସେ ଶାନ୍ତ ଓ ସରଳ ସ୍ୱଭାବର ଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହୁରଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଶାସ୍ତ୍ରୀଜୀ ପ୍ରଧାନମନ୍ତ୍ରୀ ଥିବା ବେଳେ ପାକିସ୍ତାନ ସହ ଯୁଦ୍ଧ ଲଢି ନିଜର ପରାକ୍ରମ ଦେଖାଇ ପାରିଥିଲା ଭାରତ । ତାଙ୍କର ସ୍ଲୋଗାନ ‘ଜୟ ଯବାନ ଏବଂ ଜୟ କିଶାନ’ ଦେଶ ପାଇଁ ଅମର ହୋଇ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ, ବିରୋଧୀ ନେତା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଦିଲ୍ଲୀର ରାଜଘାଟ ଏବଂ ବିଜୟ ଘାଟରେ ଉଭୟ ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।



