www.samajalive.in
Friday, December 5, 2025
26.1 C
Bhubaneswar

ସମ୍ପାଦକୀୟ: ଡାକ୍ତର ଅଭାବ

ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରତି ୧୭୩୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧:୧୦୦୦ ଅନୁପାତ ମାନଦଣ୍ଡ ଠାରୁ ବହୁତ କମ୍। ଏହି ପରିସ୍ଥିତି ରାଜ୍ୟର ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଉପରେ ଗୁରୁତର ପ୍ରଭାବ ପକାଉଛି; ବିଶେଷକରି ଗ୍ରାମାଞ୍ଚଳରେ ଯେଉଁଠାରେ ଜନସଂଖ୍ୟାର ଏକ ବଡ଼ ଭାଗ ବାସ କରନ୍ତି। ସେପ୍ଟେମ୍ବର ୨୦୨୫ ସୁଦ୍ଧା ରାଜ୍ୟରେ ୪, ୮୦୦ରୁ ଅଧିକ ମେଡିକାଲ ଅଫିସର ପଦ ଖାଲି ପଡ଼ିଛି। ଏହି ଅଭାବ କେବଳ ସାଧାରଣ ଡାକ୍ତର ପଦରେ ସୀମିତ ନାହିଁ, ବରଂ ଆନାସ୍ଥେସିଆ, କାର୍ଡିଓଲୋଜି ଏବଂ ସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ବିଶେଷଜ୍ଞଙ୍କ ଅଭାବ ଅଧିକ ଚିନ୍ତାଜନକ। ଏହାର ପରିଣାମସ୍ୱରୂପ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ରୋଗୀମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ରୋଗୀମାନେ ଦୂର ସହରକୁ ଯିବାକୁ କିମ୍ବା ଚିକିତ୍ସା ବିନା ରହିବାକୁ ବାଧ୍ୟ ହେଉଛନ୍ତି ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସବୁଠାରୁ ବଡ଼କଥା ହେଲା ଘରୋଇ ସେବାକ୍ଷେତ୍ରଟି ଏବେ ଏତେ ବ୍ୟୟସାପେକ୍ଷ ହୋଇଛି ଯେ ସାଧାରଣ ଲୋକେ ଏଠାକୁ ଯିବାକୁ ଭୟ କରୁଛନ୍ତି। ସରକାର ଗରିବ ଲୋକଙ୍କ ଲାଗି ସ୍ବାସ୍ଥ୍ୟ କାର୍ଡ ବ୍ୟବସ୍ଥା କରିଛନ୍ତି। ମାତ୍ର ଦେଖାଯାଉଛି ଅନେକ ସମୟରେ ଜରୁରୀ ଚିକିତ୍ସା ଲାଗି ଲୋକଙ୍କ କାର୍ଡରୁ ପଇସା ସମାପ୍ତ ହୋଇଯାଉଛି ହେଲେ ଚିକିତ୍ସା ସରୁନାହିଁ !

ଓଡ଼ିଶାର ଅନେକ ଡାକ୍ତରୀ ଛାତ୍ର ପାଠପଢା ପରେ ଘରୋଇ କ୍ଷେତ୍ରକୁ ଆକର୍ଷିତ ହେଉଛନ୍ତି, ଯେଉଁଠାରେ ସେମାନେ ଭଲ ଦରମା, ଉନ୍ନତ ଭିତ୍ତିଭୂମି ଏବଂ କାର୍ଯ୍ୟ ପରିବେଶ ପାଆନ୍ତି। ଗ୍ରାମାଞ୍ଚଳରେ ଖରାପ ଭିତ୍ତିଭୂମି, ରହିବା ସ୍ଥାନର ଅଭାବ ଏବଂ କ୍ୟାରିୟର ବୃଦ୍ଧି ପାଇଁ ସୀମିତ ସୁବିଧା ଯୋଗୁଁଁ ଯୁବ ଡାକ୍ତରମାନେ ସେଠାରେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ନିଯୁକ୍ତି ପ୍ରକ୍ରିୟାର ମନ୍ଥର ଗତି ମଧ୍ୟ ଏହି ସଙ୍କଟକୁ ବଢ଼ାଉଛି। ଯେଉଁ ଡାକ୍ତରମାନେ କାର୍ଯ୍ୟରେ ଅଛନ୍ତି ସେମାନେ ଅତ୍ୟଧିକ କାର୍ଯ୍ୟଭାରରେ ବୁଡ଼ି ରହିଛନ୍ତି। ରୋଗୀମାନେ, ବିଶେଷକରି ଗ୍ରାମାଞ୍ଚଳରେ, ଲମ୍ବା ସମୟ ଧରି ଅପେକ୍ଷାରେ ରହୁଛନ୍ତି। ବିଳମ୍ବିତ ଚିକିତ୍ସା ଏବଂ ମୌଳିକ ଚିକିତ୍ସା ପରାମର୍ଶ ପାଇଁ ସୀମିତ ସୁଯୋଗ ପାଉଛନ୍ତି।

- Advertisement -

ଅବଶ୍ୟ ଓଡ଼ିଶା ସରକାର ଏହି ସଙ୍କଟକୁ ସମାଧାନ କରିବା ପାଇଁ କିଛି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଓପିଏସ୍‌ସି ମାଧ୍ୟମରେ ଡାକ୍ତର ପଦ ପୂରଣ କରିବା ପାଇଁ ନିଯୁକ୍ତି ଅଭିଯାନ ସମ୍ପ୍ରସାରିତ କରାଯାଉଛି। ଡାକ୍ତରମାନଙ୍କୁ ସରକାରୀ ଚାକିରିରେ ରହିବାକୁ ଏବଂ ଗ୍ରାମାଞ୍ଚଳ ନିଯୁକ୍ତି ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ କରାଯାଉଛି।

ତେବେ, ଏହି ସମସ୍ୟାର ସମାଧାନ ପାଇଁ ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି। ସରକାରୀ ମେଡିକାଲ କଲେଜରୁ ଉତ୍ତୀର୍ଣ୍ଣ ଡାକ୍ତରମାନେ ଗ୍ରାମାଞ୍ଚଳରେ ଅତି କମ୍‌ରେ ପାଞ୍ଚ ବର୍ଷ କାମ କରିବା ବ୍ୟବସ୍ଥା କଡାକଡି ହେବା ଆବଶ୍ୟକ। ଏଥିସହିତ, ସରକାରୀ ଡାକ୍ତରମାନେ ଘରୋଇ କ୍ଲିନିକ୍ କିମ୍ବା ନିଜ ଘରେ ରୋଗୀ ଚିକିତ୍ସା କରି ଅର୍ଥ ଉପାର୍ଜନ କରିବାରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ସରକାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ନିରନ୍ତର ନିବେଶ, ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଡାକ୍ତରମାନଙ୍କ ପାଇଁ ଉନ୍ନତ କାର୍ଯ୍ୟ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ। ଏହାଦ୍ବାରା ସେମାନେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରହିବାକୁ ଆଗ୍ରହୀ ହେବେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories