ବଡ଼ଗାଁ :ପରକୀୟା ପ୍ରୀତି ସନ୍ଦେହରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକରେ ଅଭାବନୀୟ ଘଟଣା ଘଟିଛି । କଙ୍ଗାରୁ କୋର୍ଟର ନିଷ୍ପତ୍ତି ପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ବଡ଼ଗାଁ ବ୍ଲକ ଟିମନା ପଞ୍ଚାୟତ ବିରିମୁଣ୍ଡା ଗ୍ରାମର ଏହି ଅଭାବନୀୟ ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ତେବେ ଏହି ଘଟଣା ବିଷୟରେ ପୀଡିତା ଚୁପ୍ ଥିବା ବେଳେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।
ଘଟଣା ଅନୁଯାୟୀ ବିରିମୁଣ୍ଡା ଗ୍ରାମର ଜଣେ ବିବାହିତାଙ୍କ ସହ ଭାଲୁମୁଣ୍ଡା ଗ୍ରାମର ଜଣେ ଅବିବାହିତ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲାା ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ କରୁଥିବା ସୁଯୋଗ ନେଇ ଯୁବକଜଣକ ଗତ ଚାରିଦିନ ହେଲା ମହିଳାଙ୍କ ଘରେ ରହିଥିଲୋ ଯାହାଫଳରେ ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଗ୍ରାମବାସୀ ପରକୀୟା ପ୍ରୀତିରେ ସମ୍ପୃକ୍ତ ରହିଥିବା ମହିଳା ଓ ଯୁବକଙ୍କୁ ଧରି ଗ୍ରାମରେ ବୈଠକ ଡାକିଥିଲେ । ବୈଠକରେ ଉଭୟ ପକ୍ଷ ପରକୀୟା ପ୍ରୀତିକୁ ସ୍ବୀକାର କରିବା ପରେ ଘଟଣାର ସମାଧାନ ହୋଇଥିଲା । ତେବେ ଗତ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରୁ ଫେରି ତାଙ୍କ ପତ୍ନୀଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ମାଡ଼ ମାରି ବୁଲାଇଥିଲେ । ତେବେ ଏ ସମସ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ମହିଳାଙ୍କୁ ମାଡ଼ ମାରିଥିବା ସ୍ବାମୀ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା ମଧ୍ୟ କରିଛନ୍ତି । ତେବେ ଘଟଣା ବିଷୟରେ କୌଣସି ସ୍ଥାନରେ ଅଭିଯୋଗ ହୋଇ ନ ଥିବା ପ୍ରକାଶା ଘଟଣା ବିଷୟରେ ବଡ଼ଗାଁ ଥାନାରେ କୌଣସି ସୂଚନା ନ ଥିବା ବଡ଼ଗାଁ ଥାନା ଅଧିକାରୀ ବାଲୁଙ୍କେଶ୍ବର ନାଏକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କଙ୍ଗାରୁ କୋର୍ଟକୁ ନେଇ ଗାଁ ଲୋକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁନାହାନ୍ତି ।



