ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାମପୁର ଜିଲାର ଶାହବାଦରେ ହ୍ବାଟ୍ସଆପ୍ ଫଟୋ ମେଳ ନଖାଇବାରୁ ଶେଷ ମୁହୂର୍ତ୍ତରେ ଏକ ବିବାହ ଭାଙ୍ଗିଯାଇଛି। ଶାହବାଦର ଜଣେ ଯୁବକ ଦିଲ୍ଲୀରେ ରହି କାମ କରନ୍ତି। ସେଠାରେ ସେ ଜଣେ ବ୍ୟକ୍ତିଙ୍କ ସହ ପରିଚିତ ହେବା ପରେ ନିଜ ଭଉଣୀ ପାଇଁ ଏକ ଉପଯୁକ୍ତ ବରପାତ୍ର ସନ୍ଧାନ ପାଇଁ ଜଣାଇଥିଲେ। ଏହା ପରେ ସେହି ବ୍ୟକ୍ତି ଜଣକ ହ୍ବାଟ୍ସଆପରେ ଯୁବକଙ୍କୁ ଏକ ଫଟୋ ପଠାଇଥିଲେ। ଫଟୋ ଦେଖି କନ୍ୟା ଏବଂ ତାଙ୍କ ପରିବାର ଲୋକେ ପ୍ରସ୍ତାବରେ ରାଜି ହୋଇଥିଲେ।
୧୩ ସେପ୍ଟେମ୍ବରରେ ବିବାହ ତାରିଖ ନିର୍ଦ୍ଧାରିତ ହୋଇଥିଲା; କିନ୍ତୁ ବରଯାତ୍ରୀରେ ମାତ୍ର ୭ ଜଣ ପହଞ୍ଚିବା ପରେ କନ୍ୟାପକ୍ଷଙ୍କ ସନ୍ଦେହ ହୋଇଥିଲା। ପୂର୍ବରୁ ବରଯାତ୍ରୀରେ ୩୦ ଜଣ ଆସିବା କଥା ଆଲୋଚନା ହୋଇଥିଲା। ବରକୁ ଦେଖିବା ପରେ ସମସ୍ତେ ଚକିତ ହୋଇଗଲେ। ହ୍ବାଟ୍ସଆପରେ ଆସିଥିବା ଫଟୋ ସହ ବିବାହ ପାଇଁ ଆସିଥିବା ବରପାତ୍ର ମେଳ ଖାଉନଥିଲା। ପରିବାର ଲୋକେ ତୁରନ୍ତ ବିବାହ ପାଇଁ ମନା କରି ବରକୁ ଫେରାଇ ଦେଇଥିଲେ। ଶେଷ ମୁହୂର୍ତ୍ତରେ ପରିବାର ଲୋକେ ଏକ ଭଲ ବର ଖୋଜି କନ୍ୟାଙ୍କ ବିବାହ ସମ୍ପନ୍ନ କରାଇଥିଲେ।



