ପୁରୀ: ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ସେମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ସମେତ ଶ୍ରୀମନ୍ଦିର ପ୍ରଶାସନର ଗୁରୁଦାୟିତ୍ବ ରହିଛି। ସେଥିପାଇଁ ଗୁରୁବାର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଅଣସେବାୟତ ଏବଂ ସନ୍ଦେହଜନକ ଗତିବିଧି ଥିବା ବ୍ୟକ୍ତିଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଆଦି ରୋକିବା ପାଇଁ ଚାରି ଦ୍ବାରରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ଶରୀରରେ କ୍ୟାମେରା ଲଗାଯାଇଛି। ଏହି ଉଚ୍ଚମାନର କ୍ୟାମେରା ଫଟୋ ଉଠାଇବା ସହ ସେଥିରେ କଥାବାର୍ତ୍ତା ମଧ୍ୟ ରେକର୍ଡ଼ କରାଯାଇ ପାରିବ। ଭକ୍ତଙ୍କ ସମେତ ଅନ୍ୟମାନେ ଶ୍ରୀମନ୍ଦିରକୁ ବର୍ଜନ ଥିବା ଜିନିଷ ଚିହ୍ନଟ କରି ରୋକିବାରେ ଏହା ସହାୟକ ହେବ ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ଶ୍ରୀମନ୍ଦିରର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ହୋଇପାରିବ। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଗୁରୁବାର ଶ୍ରୀମନ୍ଦିର ଚାରି ଦ୍ବାରରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ଶରୀରରେ କ୍ୟାମେରା ଲଗାଇବା ବ୍ୟବସ୍ଥା କରିଛନ୍ତି।
Popular Categories



