www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀମନ୍ଦିରକୁ ଅମୃତଭଣ୍ଡା ନିଷେଧ

ଭୁବନେଶ୍ଵର: ପରିବର୍ତ୍ତନ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଶୃଙ୍ଖଳିତ ସାମାଜିକ ଜୀବନଯାପନ ପାଇଁ ସଂସ୍କାର ଏକାନ୍ତ ଆବଶ୍ୟକ। ଅନ୍ୟ ଅର୍ଥରେ ପରିବର୍ତ୍ତନ ଓ ସଂସ୍କାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି। ଜଗତର ନାଥ ଶ୍ରୀ ଜଗନ୍ନାଥ ଦିନେ ନୀଳମାଧବ ରୂପେ ବିଶ୍ୱାବସୁଙ୍କ ହାତରେ ପୂଜା ପାଉଥିଲେ। ଆଜି କିନ୍ତୁ ପ୍ରଭୁ ଶଙ୍ଖକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ନାମରେ ପୂଜିତ। ସବୁ ପରିବର୍ତ୍ତନ ଏଇ ମଣିଷ କରି ଆସୁଛି। ଏଥିରେ ଜଗନ୍ନାଥଙ୍କ ଇଚ୍ଛା ଏବଂ ଆଶୀର୍ବାଦ ରହିଛି। ଦିନେ ସନ୍ଥ ରାମାନୁଜ, ଭକ୍ତ ମାଧବେନ୍ଦ୍ର, ଶ୍ରୀ ଚୈତନ୍ୟ ମହାପ୍ରଭୁ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୀକୁ ଆସିଥିଲେ। ଆଜି କେହି ଜଣେ ଭକ୍ତ ଚାଲି ଚାଲି ଆସିବାର ନଜିର୍‌‌ ପ୍ରାୟ ନାହିଁ। ଏହାର କାରଣ ସମସ୍ତଙ୍କୁ ଜଣା। ୧୨୩୦ ଖ୍ରୀଷ୍ଟାଦ୍ଧରେ ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ପ୍ରତିଷ୍ଠିତ ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିଲା ଲାଖ, ଗୁଡ, ଚୂନ, ଝୁଣା ଏବଂ ଅନ୍ୟାନ୍ୟ ସାମଗ୍ରୀ। ମାତ୍ର ଆଜି ମନ୍ଦିର ମରାମତି ପାଇଁ କ’ଣ ବ୍ୟବହାର ହେଉଛି ସେଇ ସବୁ ଦ୍ରବ୍ୟ ? ଭକ୍ତ ଜୟଦେବଙ୍କ ଦ୍ୱାଦଶ ଶତାବ୍ଦୀ ସମୟରେ ଶ୍ରୀମନ୍ଦିରରେ ଦେବଦାସୀ ନୃତ୍ୟ ପ୍ରଥା ପ୍ରଚଳନ ଥିଲା। ସୁପ୍ରିମ୍‌‌କୋର୍ଟଙ୍କ ହସ୍ତକ୍ଷେପରେ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ। ଆଗରୁ ଶ୍ରୀମନ୍ଦିରରେ ଅନ୍ଧାର ଦୂର ପାଇଁ ଦୀପ ଜଳୁଥିଲା। ଏବେ ବିଜୁଳି ଆଲୁଅ ଜଳିବା ସହିତ ଏସି ଓ ସି.ସି. କ୍ୟାମେରା ଲାଗିଛି। ଆଗରୁ ଶ୍ରୀମନ୍ଦିରରେ ଝୁଣା-ଅଗୁରୁ ଦିଆଯାଉଥିଲା, ଏବେ ଭକ୍ତ ଧୂପକାଠି ଜଳାଉଛନ୍ତି। ପ୍ରଥମେ ତ ମନ୍ଦିର ଗଜପତିଙ୍କ ତତ୍ତ୍ବାବଧାନରେ ଥିଲା। ଏବେ ଓଡ଼ିଶା ସରକାରଙ୍କ ମନ୍ଦିର ପ୍ରଶାସନ ସହିତ ଗଜପତିଙ୍କ ତତ୍ତ୍ବାବଧାନରେ ପରିଚାଳିତ। ଆଗରୁ ଢିଙ୍କିକୁଟା ଚାଉଳରେ ମହାପ୍ରସାଦ ତିଆରି ହେଉଥିଲା। ବର୍ତ୍ତମାନ ଗୁଡ଼ ସହ ଚିନିର ମଧ୍ୟ ବ୍ୟବହାର ହେଉଛି। ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ପରିବର୍ତ୍ତନ ଏବଂ ସଂସ୍କାର ଏକାନ୍ତ ଆବଶ୍ୟକ।
ଶ୍ରୀମନ୍ଦିରରେ ଅନ୍ନ ମହାପ୍ରସାଦର ପ୍ରଚଳନ ୧୦ମ ଶତାବ୍ଦୀରୁ ରାଜା ଯଯାତି କେଶରୀଙ୍କ ସମୟରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ନି​‌େ​‌ର୍ଦଶରେ ପ୍ରଚଳିତ ହୋଇ ଆସୁଅଛି। ମହାପ୍ରସାଦଃ- ‘ମହାନ୍‌‌ ଚ ଅସୌ ପ୍ରସାଦଃ’। ମହାପ୍ରସାଦର ମହନୀୟତା ଓ ପ୍ରଶସ୍ତି ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ। ସ୍କନ୍ଦ ପୁରାଣ କୁହନ୍ତି- ‘ନାଭିମାନଂ ପ୍ରକୁର୍ବୀରନ୍‌‌ ବିଷ୍ଣୋଃ ନିର୍ମାଲ୍ୟ ଭକ୍ଷଣେ। ଭକ୍ତ୍ୟା ଲୋଭାତ୍‌‌ କୌତୁକାଦ୍‌‌ ବା କ୍ଷୁଧା ସଂଶମନେ ନବା ଅକୁଣ୍ଠ ଭକ୍ଷିତଂ ତଦ୍ଧି ପୁନାତି ସକଳାଂ ହସଃ ।’ ସାରା ବିଶ୍ୱରେ ହିନ୍ଦୁ ଶାସ୍ତ୍ରାନୁସାରେ ଠାକୁରଙ୍କ ନିକଟରେ ଅର୍ପିତ ଭୋଗକୁ ପ୍ରସାଦ କୁହାଯାଇଥିବାବେଳେ କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଲାଗି ପ୍ରସାଦକୁ ମହାପ୍ରସାଦ କୁହାଯାଏ। ଏହା ସାତ୍ତ୍ବିକ ଖାଦ୍ୟର ସମାହାର। ଶ୍ରୀମଦ୍‌‌ ଭଗବଦ୍‌ ଗୀତାର ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣିତ- ‘‘ ଆୟୁଃସତ୍ତ୍ବବଳାରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନାଃ। ରସ୍ୟାଃ ସ୍ନିଗ୍ଧାଃ ସ୍ଥିରାହୃଦ୍ୟା, ଆହାରାଃ ସାତ୍ତ୍ବିକ ପ୍ରିୟାଃ।’’ ମନ୍ଦିର ବିଧିବିଧାନ ଅନୁଯାୟୀ, କେତେକ ଦେଶୀ ପରିବା ମହାପ୍ରସାଦ ରନ୍ଧନରେ ବ୍ୟବହୃତ ହେଉଛି ଯଥା- କଖାରୁ, ପାଣିକଖାରୁ, କନ୍ଦମୂଳ, ପୋଟଳ, ସାରୁ, ମାଟିଆଳୁ ଇତ୍ୟାଦି। ଆଳୁକୁ ବିଦେଶୀ ପରିବା ଆଖ୍ୟା ଦିଆଯାଇ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। କାରଣ ଷୋଡ଼ଶ ଶତାବ୍ଦୀରେ ଆଳୁ ଉତ୍ତର ଆମେରିକାରୁ ଆସିଥିଲା। ସବୁ ପରିବାର ଉତ୍ପତ୍ତିସ୍ଥଳ ତଥା ଉପକାରିତା, ଗୁଣବତ୍ତାକୁ ସମୀକ୍ଷା ନ କରି ଆମେ କେତେକ ଶୁଦ୍ଧ ସାତ୍ତ୍ବିକ ପରିବା ମହାପ୍ରସାଦରୁ ଦୂରେଇ ଦେଉଛେ। କିଛି ଭକ୍ତଙ୍କ ମତ ଯାହାର ପରିଣତି ସ୍ୱରୂପ ଆଜି ମହାପ୍ରସାଦରେ ବ୍ୟବହୃତ ପରିବାରେ ସଂସ୍କାର ବା ପରିବର୍ତ୍ତନ ଆଣିବାର ଆବଶ୍ୟକତା ଲପଲବ୍ଧ। ସୁଖର କଥା ପ୍ରଥମ କରି ଚଳିତ ବର୍ଷ ମହାପ୍ରଭୁଙ୍କ କୋଠଭୋଗରେ ଲାଗିବ ସୁମିଷ୍ଟ ଗୋବିନ୍ଦ ଭୋଗ ଚାଉଳରୁ ପ୍ରସ୍ତୁତି ଅନ୍ନ ଓ ଖିରି ଖେଚୁଡି। ତା ପୁଣି ଜୈବିକ ପଦ୍ଧତିରେ, ୧୦୦ ଏକର ଧାନଚାଷ ଶ୍ରୀଜଗନ୍ନାଥଙ୍କ ମାମୁଘର ନିଆଳି-ମାଧବରେ ଓଡ଼ିଶା ସରକାରଙ୍କ ସହାୟତାରେ ଚାଷ କରାଯାଉଛି। କ୍ଷେତ୍ର ପରିଦର୍ଶନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ ଆସିଥିଲେ।
ମହାପ୍ରସାଦରେ ବ୍ୟବହାର ହେଉଛି କଖାରୁ ଯାହା ହଜାର ବର୍ଷ ତଳେ ପ୍ରଥମେ ମେକ୍ସିକୋରୁ ଆସିଥିଲା। ଏକଦା ଏହା ମଧ୍ୟ ବିଦେଶୀ ପରିବା ନାଁରେ ମନ୍ଦିରରେ ପ୍ରଚଳନ ହେଉ ନଥିଲା। ସନ୍ଥ ରାମାନୁଜ ପୁରୀରେ ଅବସ୍ଥାନ କାଳରେ କଖାରୁକୁ ମହାପ୍ରସାଦରେ ବ୍ୟବହାର କରାଇଲେ। ମାଟିଆଳୁ ଆଫ୍ରିକା କିମ୍ବା ଏସିଆରୁ ଉତ୍ପତ୍ତି ଲାଭ କରିଥିଲା। ଶ୍ରୀମନ୍ଦିରରେ ତରକାରିରେ ବ୍ୟବହୃତ ପୋଟଳ ମେକ୍ସିକୋ ଏବଂ ଆମେରିକାରୁ ଆସିଛି। ଷୋଡ଼ଶ ଶତାବ୍ଦୀରେ(କନ୍ଦମୂଳ) ଶାକରକନ୍ଦ ଲାଟିନ୍‌‌ ଆମେରିକାରୁ ଆସିଥିଲା। ପାଣି କଖାରୁ ଦକ୍ଷିଣ ଏସିଆରୁ ଆସିଛି। ଆଜକୁ ୧୦ ହଜାର ବର୍ଷ ପୂର୍ବରୁ ଭାରତରେ ସାରୁ ଥିଲା। ‘ଓଉ’ ଉତ୍ପତ୍ତି ସ୍ଥଳ କେଉଁ ଦେଶରୁ ତାହା ଠିକ୍‌‌ ନିର୍ଣ୍ଣାୟକ ହୋଇପାରିନାହିଁ। ଲେମ୍ବୁ ଭାରତ(ଆସାମ), ବର୍ମା କିମ୍ବା ଚୀନ୍‌‌ରୁ ଆସିଛି। ଆଜକୁ ୫୦୦୦ ବର୍ଷ ପୂର୍ବେ ଅବା ଭାରତ ଏବଂ ଚୀନ୍‌‌ର ଉତ୍ପତ୍ତି ହୋଇଥିଲା। କଞ୍ଚାକଦଳୀ ପ୍ରଥମେ ନେଦରଲାଣ୍ଡ ଏବଂ ଉଗାଣ୍ଡାବାସୀଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ଖ୍ରୀ:ପୂ. ୫୦୦୦ରେ କଦଳୀ ଦକ୍ଷିଣ ଏସିଆରୁ ଉତ୍ପତ୍ତି ଲାଭ କରିଥିଲା। ଲାଉ ଭାରତର ପରିବା। କଲରାର ଉତ୍ପତି ସ୍ଥଳ ଏବେ ବି ଅଜଣା। ଧନିଆ ଦକ୍ଷିଣ ଆଫ୍ରିକାରୁ ଆସିଛି। ବାଇଗଣ ଜନ୍ମସ୍ଥାନ ଦକ୍ଷିଣ ଏସିଆ। ଷୋଡ଼ଶ ଖ୍ରୀଷ୍ଟାବ୍ଦରେ ଟମାଟୋ ଲାଟିନ୍‌‌ ଆମେରିକା ଏବଂ ମେକ୍ସିକୋରୁ ଆସିଛି। ମେଥି ଇରାକ୍‌‌ରୁ ଆସିଛି। ସାଲଗମ୍‌‌ ଖ୍ରୀ: ପୂ . ୧୫୦୦ର ପୂର୍ବ ଏସିଆରୁ ଆସିଛି। ବିରି ଭାରତୀୟଙ୍କ ଉତ୍ପାଦ। ମୁଗ ପାକିସ୍ତାନ, ଭାରତ, ଚୀନ ଏବଂ କୋରିଆ ଉତ୍ପାଦ। ଆଜକୁ ପ୍ରାୟ ୩୫୦୦ ବର୍ଷ ପୂର୍ବେ ହରଡ ଡାଲି ଭାରତରୁ ହିଁ ଚାଷ ଆରମ୍ଭ ହୋଇଛି। ନଡିଆ, ଗୋଲମରିଚ, ଧାନ ଇତ୍ୟାଦି ଭାରତୀୟଙ୍କ ଉତ୍ପାଦ ଅଟେ। ଆଜକୁ ପ୍ରାୟ ୧୦,୦୦୦ ବର୍ଷ ତଳେ ଧାନ ଭାରତରେ ପ୍ରଥମେ ଚାଷ ହୋଇଥିଲା। ପରିବର୍ତ୍ତନ ସହ ତାଳ ଦେଇ ବର୍ତ୍ତମାନ ଚାଷ ହେଉଥିବା ଧାନ ଆଉ ଆଗ ଭଳି ଉପାଦେୟ ନୁହେଁ, କୀଟନାଶକ ଔଷଧ ଏବଂ ସାରର ବହୁତ ବ୍ୟବହାର ଦ୍ୱାରା ଧାନ ଫଳା ଯାଉଛି। ଯାହା କି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଏବେ ମଧ୍ୟ ଆମ ଓଡ଼ିଶାରେ ଜୈବିକ ପଦ୍ଧତିରେ ଧାନ ଚାଷ କରାଯାଉଛି। ଯେଉଁ ଧାନ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟପ୍ରଦ। ଚଳିତବର୍ଷ ଓଡ଼ିଶା ସରକାର ୧୦ଟି ଜିଲାରେ ଚାଷୀମାନଙ୍କୁ ଜୈବିକ ପ୍ରଣାଳୀରେ ଧାନ ଚାଷ ପାଇଁ ସବ୍‌‌ସିଡି ଦେଉଛନ୍ତି। ମନ୍ଦିର ପ୍ରଶାସନ ସେହି ଚାଉଳକୁ ଆଣି ମହାପ୍ରସାଦରେ ଲଗାନ୍ତେ, କେତେ ସୁନ୍ଦର ହୁଅନ୍ତା। ଆମ ଅଞ୍ଚଳର ରାଜେନ୍ଦ୍ର ଦେଶୀ ଧାନ ଗବେଷଣା କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ଜୈବିକ ପଦ୍ଧତିରେ ଉତ୍ପାଦନ କରୁଛନ୍ତି। ଶ୍ରୀମନ୍ଦିରକୁ ଏଭଳି ଚାଉଳରୁ ମହାପ୍ରସାଦ ତିଆରି ହେଲେ ଖୁବ୍‌‌ ଭଲ ହୁଅନ୍ତା।
ବର୍ତ୍ତମାନ ଅମୃତଭଣ୍ଡାର ପ୍ରଚଳନ ଅମୃତ ମଣୋହିରେ କରାଯାଉନାହିଁ। ଅମୃତଭଣ୍ଡା ଦକ୍ଷିଣ ମେକ୍ସିକୋରୁ ଭାରତ ଆସିଥିଲା। ଏହାକୁ ବିଦେଶୀ ପରିବା କହି ବର୍ଜନ କରାଯାଉଛି। ଜଗନ୍ନାଥ ଜଗତର ନାଥ। ସବୁ ବିଦେଶୀ ଭକ୍ତ ଜଗନ୍ନାଥଙ୍କୁ ଘୋଷଯାତ୍ରାରେ ଦର୍ଶନ କରିପାରିବେ। ଅର୍ଥାତ୍‌‌ ଆମ ମାନସିକତା ଅଟକି ଯାଉଛି। ବିଦେଶୀ ଭକ୍ତ ସୁନା, ଅର୍ଥ, ବସ୍ତ୍ରଦାନ କଲେ ଆମେ ଗ୍ରହଣ କରିବା। ବିଦେଶୀ ପରିବା ପାଇଁ ସିଂହଦ୍ୱାର ମନା। ବାସ୍ତବରେ ଅମୃତଭଣ୍ଡା ଅମୃତ ସମାନ ସାତ୍ତ୍ବିକ ପରିବା। ବର୍ତ୍ତମାନ ପରିସ୍ଥିତିରେ ଅମୃତଭଣ୍ଡା ହିଁ ଏକମାତ୍ର ପରିବା, ଯାହା ନୀରୋଗ ଏବଂ ସୁସ୍ଥ ଜୀବନଯାପନ ପାଇଁ ଏକାନ୍ତ ଜରୁରୀ। ଏଥିରେ ଭିଟାମିନ୍‌‌ ଏ, ବି, ସି, ଡି ଥାଏ। ଏହା ବାଡ଼ି ବଗିଚାରେ ବିନା ସାର ଓ ଔଷଧରେ ବର୍ଷ ତମାମ ଫଳିଥାଏ। ଅମୃତଭଣ୍ଡା ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଅମୃତଭଣ୍ଡା, ଦନ୍ତରୋଗ, ପାଇଓରିଆ, ଅର୍ଶ, ଗୁଳ୍ମ, ଯକୃତ, ମନ୍ଦାଗ୍ନି ଆଦି ଉଦର ରୋଗ ଭଲ କରିଥାଏ। ଅମୃତଭଣ୍ଡାର କ୍ଷୀରରେ ଅଦ୍ଭୁତ ଗୁଣ ରହିଛି। ପେଟର ସମସ୍ତ ବେମାରିରେ ଡାକ୍ତର ଓ କବିରାଜ ଅମୃତଭଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। ରୋଗୀଙ୍କ ପଥିରେ ଅମୃତଭଣ୍ଡା ମୂଳ ପରିବା।
ଏତେସବୁ ଉପକାରୀ ଗୁଣ ସତ୍ତ୍ବେ ଅମୃତଭଣ୍ଡା ଶ୍ରୀମନ୍ଦିରରେ ମହାପ୍ରସାଦରେ ରନ୍ଧା ଯାଇପାରୁନାହିଁ। ଗତ କାର୍ତ୍ତିକ ମାସରେ ତିନି ହଜାରରୁ ଊର୍ଦ୍ଧ୍ବ ହବିଷ୍ୟାଳୀ ମାଗଣା ରହିବା, ମହାପ୍ରସାଦ ସେବନର ବ୍ୟବସ୍ଥା ସରକାର କରିଥିଲେ। ସାଧାରଣତଃ ବୟସ୍କ ବୃଦ୍ଧାମାନେ ବିଭିନ୍ନ ରୋଗ ସହ ବଦହଜମୀର ଶିକାର ହୋଇଥାନ୍ତି। ସେମାନଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଯଦି ପ୍ରଶାସନ ଅମୃତଭଣ୍ଡା, କଞ୍ଚାକଦଳୀ ଏବଂ ହରଡ଼ କିମ୍ବା ମୁଗର ଏକ ଡାଲମା କରି ପରଷନ୍ତେ, ସେମାନେ ଉପକୃତ ହେବା ସହିତ ଅନ୍ୟ ଦର୍ଶନାର୍ଥୀ ବିଶେଷ କରି ରୋଗୀମାନେ ଉପକୃତ ହୋଇପାରିବେ। ଅନେକ ରୋଗୀ ଭକ୍ତ ଶ୍ରୀମନ୍ଦିର ଆସୁଥିଲେ ମଧ୍ୟ ମହାପ୍ରସାଦକୁ ମୁଣ୍ଡରେ ଲଗାଇ ବାହାରେ ଖାଇନିଅନ୍ତି। କ’ଣ ପାଇଁ ଜାଣନ୍ତି ? କେବଳ ସ୍ୱାସ୍ଥ୍ୟ ଅନୁପଯୋଗୀ ଭାବନା ନେଇ। ଯଦି ମହାପ୍ରସାଦରେ ଅମୃତଭଣ୍ଡାର ବ୍ୟବହାର ହୁଅନ୍ତା, ତେବେ ଭୋଗୀ ଠାରୁ ରୋଗୀ ପର୍ଯ୍ୟନ୍ତ ସମସ୍ତେ ପ୍ରସାଦ ପାଇପାରନ୍ତେ।
ଆଉ ଗୋଟେ କଥା। ମନ୍ଦିର ପ୍ରସାଦ ରନ୍ଧନରେ ଲଙ୍କା ବଦଳରେ ଗୋଲମରିଚ ବ୍ୟବହାର ହୋଇଥାଏ। କାରଣ ଲଙ୍କାକୁ ବିଦେଶୀ କୁହାଯାଇଥାଏ। ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ଭାରତରେ ଲଙ୍କାର ବ୍ୟବହାର ନ ଥିଲା। ବିଶେଷଜ୍ଞଙ୍କ ମତରେ ବହୁବର୍ଷ ପୂର୍ବରୁ ମେକ୍ସିକୋର ଅଧିବାସୀ ପ୍ରଥମେ ଲଙ୍କାର ବ୍ୟବହାର ଜାଣିଥିଲେ। କିନ୍ତୁ ଏବେ ଆମେ ଆନନ୍ଦ ବଜାରରେ ଅବଢ଼ା ସେବନ କଲାବେଳେ ଲଙ୍କା ଖାଇଥାଉ। ଏହାଦ୍ୱାରା ମହାପ୍ରସାଦ ମାରା ହେଉନି କି ?
ବର୍ତ୍ତମାନ ଶ୍ରୀମନ୍ଦିର ନୀତିରେ ବହୁ ପରିବର୍ତ୍ତନ ଆସିଛି। କେବଳ ଜନମଙ୍ଗଳବାରୀ ପଦକ୍ଷେପ ବା ସଂସ୍କାର। ବହୁବର୍ଷ ହେଲା ଶ୍ରୀମନ୍ଦିର ବେଢ଼ାରେ ନକଲି ଘିଅରେ ଦୀପ ଜଳୁଥିଲା। ୨୦୧୭ ପରଠାରୁ ଶ୍ରୀମନ୍ଦିରରେ ଓମ୍‌‌ଫେଡ୍‌‌ ଘିଅର ପ୍ରଚଳନ ଚାଲିଛି। ସେମିତି ଅତୀତରେ ପରମ୍ପରାର ଦ୍ୱାହି ଦେଇ ମନ୍ଦିର ମଧ୍ୟକୁ ଦଳିତ ପ୍ରବେଶ ନିଷେଧ ଥିଲା। ଯେଉଁଥିପାଇଁ ମହାତ୍ମା ଗାନ୍ଧୀ ଓଡ଼ିଶା ଆସି ମଧ୍ୟ ଶ୍ରୀମନ୍ଦିର ଦର୍ଶନ ପାଇଁ ପ୍ରଥମେ ଯାଇ ନ ଥିଲେ। ମାତ୍ର ଦର୍ଶନ ନ କରିବାରେ ଆବେଗଭରା ଦୁଃଖ ସେ ବକ୍ତୃତା ମାଧ୍ୟମରେ ପରିବେଷଣ କରିବାକୁ ଭୁଲି ନ ଥିଲେ। ତାଙ୍କର ଭାବାବେଗକୁ ଲକ୍ଷ୍ୟ କରି ଡକ୍ଟର ମାୟାଧର ମାନସିଂହ ବାପୁଜୀ କବିତାରେ ଲେଖିଥିଲେ:
ମନାଥାଏ ଯେଉଁ ଦେଉଳ ଦୁଆରେ/ହରିଜନ ଯିବା ପାଇଁ
ସେ ଦେଉଳ ଗଲେ ମହା ଅପରାଧ/ ତହିଁରେ ଦେବତା ନାହିଁ।
ଏହା ସେତେବେଳେ ପାଠ୍ୟପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଥିଲା। ଯାହାର ପରିଣତି ସ୍ୱରୂପ ପରବର୍ତ୍ତୀ ସମୟରେ ଦଳିତଙ୍କୁୁ ମନ୍ଦିର ପ୍ରବେଶର ସୁଯୋଗ ମିଳିଲା। ସେବାୟତମାନଙ୍କ ବାରଣ ଯୋଗୁଁଁ ସନ୍ଥକବି ଭୀମ ଭୋଇ, ସନ୍ଥ ଅରକ୍ଷିତ ଦାସ, ଭକ୍ତପ୍ରାଣ ଦାସିଆ ବାଉରୀ ଆଦି ବହୁ ସନ୍ଥ ମନ୍ଦିର ପ୍ରବେଶ କରିପାରି ନ ଥିଲେ। ଆଜି ବିକାଶ ନାଁରେ ଆମେ ଶାସନ ନୀତିରେ ଅନେକ ସଂସ୍କାର ଆଣିଛେ। ହେଲେ ଅମୃତଭଣ୍ଡାର ଉପଯୋଗ ମହାପ୍ରସାଦରେ ଅନ୍ୟତମ ମନ୍ଦିର ସଂସ୍କାର। କୋଟି କୋଟି ଭକ୍ତ, ସେବାୟତ, ମନ୍ଦିର ପ୍ରଶାସନ ଓ ସର୍ବୋପରି ଗଜପତି ମହାରାଜାଙ୍କୁ ଅନୁରୋଧ ମହାପ୍ରସାଦରେ ଅମୃତଭଣ୍ଡା ଭଳି ଅମୃତ ପରିବା ବ୍ୟବହାର ହେଉ। ସଂକୀର୍ଣ୍ଣତାର ଗଣ୍ଡିରୁ ଊର୍ଦ୍ଧ୍ବକୁ ଉଠି ଚାଣକ୍ୟଙ୍କ ଅମୂଲ୍ୟ ବାଣୀ- ‘ଅୟଂ ନିଜଃ ପରୋବେତି ଗଣନା ଲଘୁଚେତସାମ୍‌। ଉଦାର ଚରିତାନାଂ ତୁ ବସୁଧୈବ କୁଟମ୍ବକମ୍‌‌’ ବିଚାର ଆପଣାଇବା।
ନିଆଳି, କଟକ

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories