ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ଦେଖାଯାଇଥିବା ବନ୍ୟା ଓ ଭୂସ୍ଖଳନକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷକରି ବନ୍ୟା ପାଣିରେ ବହୁସଂଖ୍ୟକ କାଠଗଣ୍ଡି ଭାସି ଆସୁଥିବାର ଭିଡିଓକୁ ଦେଖିବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏଥିରେ ହସ୍ତକ୍ଷେପ କରିଛନ୍ତି। ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇ ଓ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ପୀଠ ଗୁରୁବାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ହିମାଚଳ ପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବନ୍ୟା ପାଣିରେ ହିମାଳୟ ପାଦଦେଶର ଥିବା ଜଙ୍ଗଲରୁ ବହୁସଂଖ୍ୟାରେ କାଠ ଗଣ୍ଡି ଚୋରା ଚାଲାଣର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏତେ ପରିମାଣର କାଠଗଣ୍ଡି ସବୁ କେଉଁଠାରୁ ଆସିଲା ତାହା ସରକାର ଜଣାଇବା ଦରକାର। ଆଉ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଯଦି ଏତେ ସଂଖ୍ୟାରେ ଗଛ ନଷ୍ଟ ହେବ ତେବେ ପରିବେଶ ନଷ୍ଟ ହୋଇଯିବ। ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ପ୍ରସଙ୍ଗର ଗୁରୁତ୍ବ ଦୃଷ୍ଟି କୋଣରୁ ପରିବେଶ ମନ୍ତ୍ରଣାଳୟ ସଚିବ ଏହା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବେ।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



