www.samajalive.in
Friday, December 5, 2025
27.1 C
Bhubaneswar

ପ୍ଲାଷ୍ଟିକ୍ ରାକ୍ଷସର କାୟାବିସ୍ତାର

ଭୁବନେଶ୍ଵର : ସୁଇଜରଲ୍ୟାଣ୍ଡର ଜେନେଭାରେ ମିଳିତ ଜାତିସଂଘ ଅଫିସ। ୨୦୨୫ ଅଗଷ୍ଟ ୫ ରୁ ୧୫ ପର୍ଯ୍ୟନ୍ତ ଏଠାରେ ପୃଥିବୀରୁ ୧୮୪ ଟି ଦେଶର ପ୍ରତିନିଧି, ୨, ୬୦୦ ପରିବେଶ କର୍ମୀ ଜାତିସଂଘ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ନିଗୋସିଏଟିଂ କମିଟି ଦ୍ବାରା ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ। ଇକ୍ୱେଡରର ଆମ୍ବାସାଡାର ଲୁଇସ ଭାଇସ ଭାରିଡିଭେକ୍ସ ସମ୍ମିଳନୀରେ ସଭାପତିତ୍ବ କରିଥିଲେ। ଲକ୍ଷ୍ୟ ପ୍ଲାଷ୍ଟିକ ବ୍ୟବହାର କମାଇବା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଗୋଟିଏ ଆଇନାନୁମୋଦିତ ‘’ପ୍ଲାଷ୍ଟିକ ବିପଦ ନିୟନ୍ତ୍ରଣ ଚୁକ୍ତି ‘’ ସର୍ବସମ୍ମତି କ୍ରମେ ପାଳିତ କରିବା। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଳାୟର ଯୁଗ୍ମ ସଚିବ ନରେଶ ପାଲ ଗାଙ୍ଗଔର ଏହି ସମ୍ମିଳନୀରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲେ। ମାତ୍ର ବହୁ ତର୍କ ବିତର୍କ, କଥା କଟାକଟି ସତ୍ତ୍ୱେ ସମ୍ମିଳନୀଟି ସଂପୂର୍ଣ୍ଣ ବିଫଳ ହୋଇଗଲା। ମିଳିତ ଘୋଷଣାନାମା ପ୍ରସ୍ତାବରେ ହିଁ ରହିଗଲା। ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବ ଜଗତ, ମାଟି ପାଣି ଓ ପ୍ରକୃତିକୁ ବିପନ୍ନ କରୁଛି। ଜ୍ଞାନୀ ଗୁଣୀ ଲୋକ ବୈଜ୍ଞାନିକ, ଅର୍ଥଶାସ୍ତ୍ରୀମାନେ ଏ କଥା ଅଳ୍ପ ବହୁତେ ଜାଣିଲେଣି। ପ୍ଲାଷ୍ଟିକ ପ୍ରଦୂଷଣ ସ୍ଥିତି ଅସହ୍ୟ ଓ ଉଦ୍‌ବେଗଜନକ। ୨୦୦୦ ରୁ ୨୦୧୯ ଦୁଇ ଦଶନ୍ଧି ମଧ୍ୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ୧୫୬ ନିୟୁତ ମେଟ୍ରିକ ଟନରୁ ବଢି ୩୫୩ ମେଟ୍ରିକ ଟନରେ ପହଞ୍ଚିଲାଣି। ଏହି ଧାରା ଅବ୍ୟାହତ ରହିଲେ ୨୦୬୦ ବେଳକୁ ଏହାର ପରିମାଣ ୧୨୦୦ ନିୟୁତ ଟନରେ ପହଞ୍ଚିଯିବ। ‘ହାଇ ଆମ୍ବିସନ କ୍ବାଲିସନ ଗ୍ରୁପ’ ୧୦୦ ରୁ ଅଧିକ ଦେଶ ଯଥା ୟୁରୋପିଆନ ଇଉନିୟନ, ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରଶାନ୍ତ ମହାସାଗର ଉପକୂଳ ଦେଶ ଚିଲ୍ଲି, ପାନାମା, ଇକ୍ବଡର, ପେରୁ ଓ କଲମ୍ବିଆ ପ୍ଲାଷ୍ଟିକ ଉତ୍ପାଦନ ହ୍ରାସ ଓ ପର୍ଯ୍ୟାୟକ୍ରମେ ବ୍ୟବହାରରେ ରୋକ ଲଗାଇବା ପାଇଁ ତୁରନ୍ତ ‘ପ୍ଲାଷ୍ଟିକ ଚୁକ୍ତି’ ଘୋଷଣା ପାଇଁ ଦୃଢ ଦାବି ଉପସ୍ଥାପନ କରିଥିଲେ। ଆଦିମ ଜନଜାତି ବହୁଳ ଛୋଟ ଛୋଟ ସମୁଦ୍ର ବେଷ୍ଟିତ ଦେଶମାନେ ‘ପ୍ଲାଷ୍ଟିକ ଚୁକ୍ତି’ ଘୋଷଣା ପାଇଁ ଯୁଦ୍ଧଂଦେହି ଡକରା ଦେଇଥିଲେ। ସେମାନଙ୍କର ଯୁକ୍ତି ପ୍ଲାଷ୍ଟିକ ପ୍ରଦୂଷଣ ଜନିତ ସାମୁଦ୍ରିକ ମାଛ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି। ଉପକୂଳ ସୁରକ୍ଷା ପାଇଁ ପ୍ରବାଳର ଜୀବନ ଉପରେ ପ୍ଲାଷ୍ଟିକର ଆକ୍ରମଣ। ମତ୍ସ୍ୟଜୀବୀମାନେ ଜୀବିକା ହରାଇ ଘରେ ବସିଲେଣି।
‘ଲାଇକ ମାଇଣ୍ଡେଡ କ୍ବାଲିସନ’ ଦେଶ ସାଉଦି ଆରବ, ଚୀନ, ରୁଷ, ଇରାନ, କୁଏତ, ବାହାରିନ ଓ କ୍ୟୁବା ଭଳି ପ୍ଲାଷ୍ଟିକ ଉତ୍ପାଦନକାରୀ ପେଟ୍ରୋକେମିକାଲ ଶିଳ୍ପ ସମୃଦ୍ଧ ଦେଶମାନେ ‘ପ୍ଲାଷ୍ଟିକ ଚୁକ୍ତି’କୁ ଦ୍ରୁତ ବିରୋଧ କଲେ। ସେମାନଙ୍କର ଚୁକ୍ତି ଏପରି ଏକ ଚୁକ୍ତି ଦ୍ବାରା ସେମାନଙ୍କର ଅର୍ଥନୀତି ଭୁଶୁଡି ପଡ଼ିବ। ଆମେରିକା ମଧ୍ୟ ଖଣିଜ ତୈଳ ମାଲିକ। ଟ୍ରମ୍ପ ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନ ଜନିତ ବିପଦକୁ ମାନିବାକୁ ରାଜିନୁହନ୍ତି। ଜଳବାୟୁ ଚୁକ୍ତିରୁ ଓହରି ଯାଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥାକୁ ଅନୁଦାନ ବନ୍ଦ କରିଦେଇଛନ୍ତି। ପ୍ଲାଷ୍ଟିକ ଚୁକ୍ତିକୁ ତାଙ୍କର ଦୃଢ ବିରୋଧ। ଭାରତ ସେମାନଙ୍କର ଦାବିକୁ ଦୃଢ ସମର୍ଥନ ଜଣାଇଛି। ପ୍ଲାଷ୍ଟିକ ପ୍ରେମୀ ଦେଶମାନଙ୍କର ପ୍ରସ୍ତାବ ଉତ୍ପାଦନ ହ୍ରାସ ବା ବ୍ୟବହାର କମ କରିବା ପାଇଁ ଚୁକ୍ତି ନକରି କେବଳ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଚୁକ୍ତି କରାଯାଉ। ପୃଥିବୀର ଜଣାଶୁଣା ସ୍ୱାସ୍ଥ୍ୟ ପତ୍ରିକା ଲ୍ୟାନସେଟରେ ସଦ୍ୟପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳୁଛି।‘ପ୍ଲାଷ୍ଟିକ ପ୍ରଦୂଷଣ ପ୍ରକୃତି ଓ ଜୀବଜଗତର ସ୍ୱାସ୍ଥ୍ୟ ପ୍ରତି ଭୟଙ୍କର ବିପଦ’। ଜାତିସଂଘର ରିପୋର୍ଟରୁ ଜଣାପଡେ ୨୦୨୩ ରେ ପୃଥିବୀରେ ପ୍ଲାଷ୍ଟିକ ଉତ୍ପାଦନ ୪୩୬ ନିୟୁତ ଟନରେ ପହଞ୍ଚିଥିଲା। ପ୍ଲାଷ୍ଟିକ ବ୍ୟବସାୟ ପରିମାଣ ୧.୧ ଟ୍ରିଲିୟନ ଡଲାର (୧ ଟ୍ରିଲିୟନ – ୧, ୦୦୦, ୦୦୦, ୦୦୦, ୦୦୦)। ଏଥିରୁ ୭୫ ପ୍ରତିଶତ ପ୍ଲାଷ୍ଟିକ ସମୁଦ୍ର ବା ଆଳିଆଗଦା ରେ ପହଞ୍ଚିଥାଏ। ପ୍ଲାଷ୍ଟିକ ସପକ୍ଷବାଦୀ ଦେଶମାନଙ୍କର ଅଦ୍ଭୁତ ଯୁକ୍ତି। ପ୍ଲାଷ୍ଟିକ ଓ ରବର ଉପରେ ରପ୍ତାନି ଗୁଳ୍ମ (ଟାରିଫ) ୩୪ ପ୍ରତିଶତରୁ କମି ୭.୨ ପ୍ରତିଶତରେ ପହଞ୍ଚିଛି। ଏହାଦ୍ୱାରା ଖଣିଜ ତୈଳରୁ ଉତ୍ପାଦିତ ପ୍ଲାଷ୍ଟିକ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛି ! ମାତ୍ର ବାଉଁଶ, କାଗଜ ବା ଝୋଟରୁ ପ୍ରସ୍ତୁତ ପ୍ରାକୃତିକ ସାମଗ୍ରୀରେ ୧୪.୪ ପ୍ରତିଶତ ରପ୍ତାନି ଶୁକ୍ଳ।
ଭାରତର ଜନସଂଖ୍ୟା ୧୪୦ କୋଟିରୁ ଅଧିକ। ପ୍ରତିଦିନ ଆମେ ୨୬, ୦୦୦ ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସୃଷ୍ଟି କରୁଛୁ। ଏହା ୨୬, ୦୦୦ ଛୋଟ କାର୍‌ ମୂଲ୍ୟ ସଙ୍ଗେ ସମାନ। ଆମେ ପୃଥିବୀରେ ସର୍ବାଧିକ ପ୍ଲାଷ୍ଟିକ ପ୍ରଦୂଷଣକାରୀ ଦେଶ। ପୃଥିବୀରେ ପ୍ଲାଷ୍ଟିକ ପ୍ରଦୂଷଣର ୨୦ ପ୍ରତିଶତ କେବଳ ଭରତ କରିଥାଏ !ଜେନେଭା ସମ୍ମିଳନୀରେ ଭାରତ ପ୍ଲାଷ୍ଟିକର ପୁନଃ ବ୍ୟବହାର କଥା କହିଥିଲା। ଆମ ଦେଶରେ ମାତ୍ର ୬ ପ୍ରତିଶତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଯୋଗ୍ୟ କରାଯାଉଛି। ସମ୍ମିଳନୀରେ ଭାରତର ଯୁକ୍ତି, ‘ପ୍ରତ୍ୟକ ଦେଶର ବିକାଶ ଅଧିକାର ପ୍ରସ୍ତାବିତ ପ୍ଲାଷ୍ଟିକ ଚୁକ୍ତି ଉଲ୍ଲଙ୍ଘନ କରୁଛି। ‘’ (ହିନ୍ଦୁ ୧୦.୦୮.୨୦୨୫ )। ପ୍ଲାଷ୍ଟିକ ଚୁକ୍ତିର ମୂଳ ଆଧାର ଉତ୍ପାଦନ ହ୍ରାସ ଓ ପର୍ଯ୍ୟାୟକ୍ରମେ ବ୍ୟବହାର ସୀମିତ କରିବା। ଭାରତ ସମେତ ‘ଲାଇକ ମାଇଣ୍ଡେଡ ଦେଶମାନଙ୍କର ଦୃଢବିରୋଧ ‘’ ପ୍ଲାଷ୍ଟିକ ଚୁକ୍ତି ‘’ ଘୋଷଣାରେ ବାଧକ ହେଲା। (ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ – ୧୪.୦୮.୨୦୨୫ )। ପ୍ଲାଷ୍ଟିକ ଉତ୍ପାଦନ ସଂପୂର୍ଣ୍ଣ ନିଷିଦ୍ଧ ନକଲେ ୨୦୨୮ ସୁଦ୍ଧା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଖର୍ଚ୍ଚ ବାର୍ଷିକ ୧୨୦୦୦ କୋଟି ବଢିଯିବ। ପୃଥିବୀରେ ଉତ୍ପାଦିତ ପ୍ଲାଷ୍ଟିକର ୩୬ ପ୍ରତିଶତ ଏକକ ବ୍ୟବହାରଯୋଗ୍ୟ। ଏଥିରୁ ୮୫ ପ୍ରତିଶତ ପ୍ରଦୂଷଣକୁ ସାହାଯ୍ୟ କରିଥାଏ।
୧୯୬୦ ପର୍ଯ୍ୟନ୍ତ ଗାଁ ଗଣ୍ଡା ବା ସହରରେ ପ୍ଲାଷ୍ଟିକ ପ୍ରଚଳନ ହୋଇନଥାଏ। ହାଟ ସଉଦା, ଦୋକାନ ବଜାରରେ ଛୋଟ ବଡ କାଗଜ ଠୁଙ୍ଗାର ଚଳଣି ଥାଏ। ସମସ୍ତଙ୍କ କାନ୍ଧରେ ୫ ହାତିଆ ଗାମୁଛା ଖଣ୍ଡିଏ। ଗାମୁଛାର ଦୁଇମୁଣ୍ଡରେ ସଉଦା ବାନ୍ଧି ୨ଟି ଗଣ୍ଠିଲି କାନ୍ଧରେ ଝୁଲାଇ ଲୋକେ ଘରକୁ ଫେରୁଥିଲେ। ଗାମୁଛା କଥା ଶୁଣି ଲୋକେ ହସିବେ। ଲଙ୍ଗଳ, ଦେଶୀ ବିହନ ବୁଡିଗଲା। ଗାମୁଛାକୁ ପ୍ଲାଷ୍ଟିକ ଗିଳିଦେଲା। ବୁଣାକାର ହାତରୁ ତନ୍ତ ଖସିଗଲା। ଟୋକେଇ, ବେତା, ଗଉଣି, ମାଉଣି ବେତରେ ତିଆରି ହଉଥିଲା। ଦଳିତ ବେତ କଟାଳିଙ୍କ ଧାରୁଆ କଟୁରୀରେ ଜଅଙ୍କ ଲାଗିଯାଇଛି। ପ୍ଲାଷ୍ଟିକ ସେମାନଙ୍କର ଜୀବିକା ମାରିଦେଲା। ବାଉଁଶ କାରିଗର, ତାଳପତ୍ର ଖଜୁରିପତ୍ର କାରିଗରଙ୍କ ହାତରୁ ପ୍ଲାଷ୍ଟିକ କାମ ଛଡାଇ ନେଲା। ଚାଷୀ ଧାନ, ମୁଗ, ଝୋଟ ଅଖାରେ ରଖୁଥିଲେ। ଖାଲ ବିଲ, ଜମିରେ ଝୋଟ ଚାଷ ହେଉଥିଲା। ଝୋଟରୁ ଅଖା, ଲୁଗାପଟା ତିଆରି ହେଉଥିଲା। ପ୍ଲାଷ୍ଟିକ ରାକ୍ଷସ ଝୋଟ ଚାଷ, ଝୋଟ ଶିଳ୍ପକୁ ମାରିଦେଲା। କଲକାତା ଚଟ କଳର ହଜାର ହଜାର ଶ୍ରମିକ ବେକାର ହୋଇଗଲେ। ପ୍ଲାଷ୍ଟିକ ନିଃଶ୍ବାସରେ ମରିଗଲା କୁଟୀରଶିଳ୍ପ। ଦେଶରେ ପ୍ରାୟ ୨ କୋଟି ପରିବାର ବେସାହାରା ହୋଇଗଲେ।
ଅଶୋଧିତ ଖଣିଜ ତେଲକୁ ପେଟ୍ରୋକେମିକାଲ କମ୍ପାନୀମାନେ କାରଖାନାରେ ବିଶୋଧନ କରନ୍ତି। ସେଥିରୁ ପେଟ୍ରୋଲ, ଡିଜେଲ, ସ୍ପିରିଟ ପ୍ରସ୍ତୁତ ହୁଏ। ବିଶୋଧନ ପ୍ରକ୍ରିୟାରେ ଯେଉଁ ମଇଳା, ଆବର୍ଜନା ବାହାରେ ସେଥିରୁ ପ୍ଲାଷ୍ଟିକ ଜନ୍ମ। ଏହି ଆବର୍ଜନାରେ ହଜାର ହଜାର ରାସାୟନ (କେମିକାଲ୍‌ସ ) ଭର୍ତ୍ତି ହୋଇଥାଏ। ସେଥିମଧ୍ୟରୁ ପଲିମର, ଇଥିଲିନ, ପ୍ରୋପିଲିନ, ଫେଜିନ, ବୁଟାଡିନ, ନାଫାଥା ଭଳି କେମିକାଲ୍‌ସ ରୁ ପ୍ଲାଷ୍ଟିକ ତିଆରି ହୁଏ। ଏମାନେ ସମସ୍ତେ ଅଳ୍ପ ବହୁତେ ବିଷାକ୍ତ କେମିକାଲ। ସେମାନଙ୍କ ମଧ୍ୟରୁ ଥାଲେଟସ, ବିସଫେନଲ, ଗିସା, କାଡାମିୟମ ଭଳି ଭାରିଧାତୁ ଗୁଡିକ ବିଶେଷ ଭାବେ ବିଷାକ୍ତ।
ଆମେ ତ କୋକାକୋଲା, ପେପ୍ସି ଭଳି ମୃଦୁପାନୀୟ ବୋତଲ ଖୋଲି ପାଟିକୁ ନେଲେ ତ ୫ /୧୦ ମିନିଟ ପାଇଁ ଅସୀମ ତୃପ୍ତି। ଥଣ୍ଡା ପିଇ ବୋତଲଟି ତ ଫୋପାଡି ଦେଲେ। ପ୍ଲାଷ୍ଟିକ ବ୍ୟାଗ ହେଉ ବା ବୋତଲ ମାଟି ବା ପାଣିରେ ମିଶେ ନାହିଁ। ୪୦୦ /୫୦୦ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ଥିଲେ ବି ଏହାର ବିଘଟନ ନାହିଁ। ଶେଷକୁ ମାଇକ୍ରୋପ୍ଲାଷ୍ଟିକ ହୋଇ ଆମ ଖାଦ୍ୟ, ପାଣି, ମାଟିରେ ପ୍ରବେଶ କରେ। ଗଛର ଚେର ପ୍ଲାଷ୍ଟିକରେ ପଡ଼ିଲେ ମାଟିରୁ ଖାଦ୍ୟ ଗ୍ରହଣ କରିପାରେ ନାହିଁ। ପ୍ଲାଷ୍ଟିକ ବୋତଲ ପାଣି, ପବନ, ନଦୀ, ନାଳରେ ଭାସି ଭାସି ପହଞ୍ଚନ୍ତି ସାଗର, ମହାସାଗରରେ। ପ୍ରତି ମିନିଟରେ ପୃଥିବୀରେ ୧୦ ଲକ୍ଷ ପ୍ଲାଷ୍ଟିକ ବୋତଲ ବିକ୍ରି ହୋଇଥାଏ। ସାଗର, ମହାସାଗରରେ ଯଦି କ୍ରମାଗତ ପ୍ଲାଷ୍ଟିକ ବୋତଲ ପହଞ୍ଚୁଥିବ, ୨୦୫୦ କୁ ସମୁଦ୍ରରେ ପ୍ଲାଷ୍ଟିକ ଓଜନ ମାଛର ଓଜନଠାରୁ ବଢିଯିବ। ସାମୁଦ୍ରିକ ଜୀବ ନିପାତ ହୋଇଯିବେ।
୨୦୨୪ ନେଚର ଜର୍ଣ୍ଣାଲରୁ ଜାଣିବାକୁ ମିଳେ ପ୍ଲାଷ୍ଟିକ ରେ ୧୬, ୦୦୦ କିସମର କେମିକାଲ ଥାଏ। ଏମାନଙ୍କ ମଧ୍ୟରୁ ୧୦, ୦୦୦ କିସମର ଧର୍ମ ଜଣାପଡ଼ି ନାହିଁ। ପରୀକ୍ଷାରୁ ଜଣାପଡ଼ିଛି ପଲିଥିନ, ପିଇଟି, ପିଭିସି, ପଲ୍ୟୁରେଥନ୍‌ସ ଭଳି ୪୦୦୦ କେମିକାଲ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ପ୍ଲାଷ୍ଟିକ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଥାଇରଏଡ, ହୃଦ୍‌ଘାତ, ବୃକ୍‌କ, ଅଣ୍ଡକୋଷ ଓ ପାକସ୍ଥଳୀ କ୍ୟାନ୍ସରର ଶିକାର ହେଉଛନ୍ତି। ପ୍ଲାଷ୍ଟିକର ବର୍ଜ୍ୟବସ୍ତୁରୁ ମାଇକ୍ରୋପ୍ଲାଷ୍ଟିକ, ନାନୋପ୍ଲାଷ୍ଟିକ ନିର୍ଗତ ହୋଇଥାଏ ଯାହା ଆମ ଖାଦ୍ୟ, ମାଟି ଓ ପାଣିକୁ ପ୍ରଦୂଷିତ କରିଥାଏ। କାର୍‌, ମଟରଗାଡି, ଏରୋପ୍ଳେନ ମଧ୍ୟ ପ୍ଲାଷ୍ଟିକରେ ତିଆରି।
ଭାରତ ସରକାର ୨୦ଟି ରାଜ୍ୟରେ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ନିଷିଦ୍ଧ ଘୋଷଣା କରିଛନ୍ତି। ମାତ୍ର ବ୍ୟବହାର ଦ୍ରୁତ ବେଗରେ ଚାଲିଛି। ଖାଉଟିମାନଙ୍କ ପାଇଁ ବିକଳ୍ପ ଉପଲବ୍ଧ ହେଉନାହିଁ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରଶାସନିକ ନି‌େର୍ଦଶନାମା ଜାରି ହୋଇଛି। ବର୍ଜ୍ୟବସ୍ତୁରୁ ପୁନଃ ପ୍ଲାଷ୍ଟିକ ଉତ୍ପାଦନ ପାଇଁ କମ୍ପାନୀମାନଙ୍କୁ କୁହାଯାଇଛି। ମାତ୍ର ଏହା କଥାରେ ରହିଯାଇଛି। ଜେନେଭା ଠାରେ ସ୍ୱାସ୍ଥ୍ୟ ଉପରେ ପ୍ଲାଷ୍ଟିକର କୁପ୍ରଭାବ ଆଲୋଚନାକୁ ଆସିପାରିଲା ନାହିଁ। ଭାରତର ଯୁକ୍ତି ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ବିଶ୍ବ ସ୍ୱାସ୍ଥ୍ୟ ସଂସ୍ଥାର ଦାୟିତ୍ବ। କେବେ ସରକାରଙ୍କର ଚୈତନ୍ୟ ଉଦୟ ହେବ। ପୁଞ୍ଜିକୁ ନ ଚାହିଁ ମାନବ ସମ୍ବଳକୁ ଚାହିଁବେ, ପ୍ଲାଷ୍ଟିକ ବନ୍ଦ ହେବ ! ସମୟକୁ ଅପେକ୍ଷା କରିବା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories