ଗୋପାଳପୁର : ଗୋପାଳପୁରରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକା ଛାତ୍ରୀ ତାଙ୍କ ପ୍ରେମିକ ସହ ଥାନାକୁ ଆସିଥିଲେ। ଥାନା ପରିସରେରେ ବସିଥିବା ବେଳେ ଅଚାନକ ଫିନାଇଲ ପିଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି। ଅନ୍ୟପଟେ ତାଙ୍କ ପ୍ରେମିକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଅଟକ ଯୁବକ ଜଣଙ୍କ ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲିର କେଦାର ଦାସ (୨୯)। ସେ ଏମକେସିଜିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତଙ୍କ ବାଇକ ଓ ମୋବାଇଲ ଜବତ କରି ଘଟଣାର ବିଭିନ୍ନ ଦିଗକୁ ନେଇ ଛାନଭିନ କରୁଛି। କେଦାର ସୋମବାର ମଧ୍ୟାହ୍ନରେ ତାଙ୍କ ପ୍ରେମିକଙ୍କୁ ଫୋନ କରି ଖଲ୍ଲିକୋଟ କଲେଜ ନିକଟକୁ ଡାକିଥିଲେ। ସେଠାରୁ ଛାତ୍ରୀଙ୍କୁ ନିଜ ବାଇକରେ ବସାଇ ଗୋପାଳପୁର ଆସିଥିଲେ। ଗୋପାଳପୁର ଆସିବା ବେଳାଭୂମି ନିକଟରେ ଥିବା ଏକ ଲଜରେ ୭୦୦ ଟଙ୍କା ଦେଇ ସେଠାରେ ଏକ ରୁମ ବୁକ କରିଥିଲେ। ସେମାନେ ସେହି ରୁମରେ ପ୍ରାୟ ଦୁଇ ଘଣ୍ଟା ରହିବା ପରେ ସେମାନଙ୍କ ମଧ୍ୟରେ କୈଣସି କଥାକୁ ଝଗଡା ହୋଇଥିଲା। ଘଟଣାକୁ ନେଇ ମାଲିକ ସେମାନଙ୍କୁ ରୁମ ଛାଢ଼ିବାକୁ ବାଧ୍ୟ କରିଥିଲେ। ପରେ ସେମାନେ ଲଜ୍ ଛାଡ଼ି ଦେଇଥିଲେ।
ଲଜ୍ରୁ ବାହାରିବା ପରେ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁକୁ ଥାନାକୁ ନେବାକୁ କହିଥିଲେ। ଯାହାଫଳରେ ଉଭୟେ ଥାନାରେ ପହଞ୍ଚିଥିଲେ । ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଲିଖିତ ଅଭିଯୋଗ କଲେ ତଦନ୍ତ କରିବୁ ବୋଲି କହିଥିଲେ । ନାବାଳିକା ହୋଇଥିବାରୁ ବାପା,ମାଙ୍କୁ ଡକାଇ ହସ୍ତାନ୍ତର କରିବା ପାଇଁ ଡାକିଥିଲେ । ଥାନାରେ ବାପା,ମା ପହଂଚିବା ପରେ ନାବାଳିକା ଭୟରେ ଆଣିଥିବା ଫିନାଇଲ ପିଇ ଦେଇଥିଲେ । ପରେ ପୁଲିସ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ ନେଇଥିଲେ । ଏନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଜି ଅପରାହ୍ନରେ ଜଣେ ଝିଅ ଓ ଗୋଟିଏ ପୁଅ ଥାନାକୁ ଆସିଥିଲେ। ଝିଅର ପରିବାର ଲୋକଙ୍କୁ ଥାନାକୁ ଆସିବାକୁ କୁହାଯାଇଥିଲା। ଅନ୍ୟପଟେ ପୁଅକୁ ଘଟଣା ସମ୍ପର୍କ ପଚରାଉଚରାବେଳେ ଝିଅ ହଠାତ ବାନ୍ତି କରିବା ଦେଖି ତାଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଏନେଇ ପିଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ତାହାସହ ନାବାଳିକା ସୁସ୍ଥ ଥିବା କହିଛନ୍ତି ।



