www.samajalive.in
Friday, December 5, 2025
26.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ବର୍ଷା ବିତ୍ପାତ, ୪୧ ମୃତ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜାମ୍ମୁ-କାଶ୍ମୀରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ବିତ୍ପାତ ଯୋଗୁଁ ଦୁଇ ଦିନ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ୪୧ ଜଣଙ୍କର ମୃତ୍ୟୁ ହେଲାଣି। ଏଥିମଧ୍ୟରୁ କଟରାସ୍ଥିତ ମାତା ବୈଷ୍ଣୋଦେବୀ ପୀଠରେ ହୋଇଥିବା ଭୂସ୍ଖଳନ ଜନିତ ୩୪ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଏଠାରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୁଧବାର ଏହି ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ବୈଷ୍ଣୋଦେବୀ ପୀଠକୁ ଯିବା ରାସ୍ତାରେ ଥିବା ଅର୍ଦ୍ଧକୁଆଁରୀ ନିକଟ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ​‌ ଉପରେ ମାଟି ଅତଡା ଧସିବାରୁ ୩୪ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଆହତ ହୋଇଛନ୍ତି। ମଙ୍ଗଳବାର ମଧ୍ୟ ବୈଷ୍ଣୋଦେବୀ ପୀଠରେ ଭୂସ୍ଖଳନ ଘଟି ୬ଜଣଙ୍କର ମୃତ୍ୟୁ ହୋଇଥିଲା। ବୈଷ୍ଣୋଦେବୀ ପୀଠ ସହିତ ଜାମ୍ମୁ-କାଶ୍ମୀରର ଡୋଡା, ଜାମ୍ମୁ, ରିୟାସି ଓ ଉଦ୍ଧାମପୁର ଜିଲାରେ ବାଦଲ ଫଟା ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉଦ୍ଧାମପୁରରେ ଗତ ୨୪ଘଣ୍ଟା ମଧ୍ୟରେ ୬୨୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଜାମ୍ମୁ ଜିଲାରେ ୨୯୬ ମିମି ବର୍ଷା ହୋଇଛି। ରିୟାସି ଜିଲା ଏସଏସ୍‌ପି ପରମବୀର ସିଂହଙ୍କ କହିବା ଅନୁଯାୟୀ ବୈଷ୍ଣୋଦେବୀ ପୀଠ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମାଟି ଅତଡା ଧସିବା କାରଣରୁ ଜାମ୍ମୁ-କାଶ୍ମୀରରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି। ରେଳ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ପଠାନକୋଟ କ୍ୟାଣ୍ଟନମେଣ୍ଟ ଓ କଣ୍ଡରୋରି ଡାଉନ ଲାଇନରେ ଟ୍ରେନ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଦିଆଯାଇଛି।

ଏହା ସହିତ ଜାମ୍ମୁ ତବି-କଟରା ଓ ଜାମ୍ମୁ ତବି-ବରି ବ୍ରାହ୍ମଣ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ଅନେକ ସ୍ଥାନରେ ସେତୁ, ମୋବାଇଲ ଟାୱାର, ବିଦ୍ୟୁତ୍ ଖୁଣ୍ଟ ଭୁଶୁଡି ପଡିଛି। ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସୂଚନା ଅନୁଯାୟୀ ତଳିଆ ଅଞ୍ଚଳରୁ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସୂଚନା ଅନୁଯାୟୀ ଜାମ୍ମୁ-କାଶ୍ମୀରରେ ଟେଲିକମ୍ ଓ ଇଣ୍ଟରନେଟ୍ ଯୋଗାଯୋଗ ଅଚଳ ହୋଇପଡିଛି। ମୁଖ୍ୟମନ୍ତ୍ରୀ ନିଜେ ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରୁ ନଥିବା କହିଛନ୍ତି। ବନ୍ୟା ପରିସ୍ଥିତି ବାବଦରେ ଓମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଇଛନ୍ତି। ବର୍ଷା ବିତ୍ପାତରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ଉପରାଜ୍ୟପାଳ ସିହ୍ନା ୯ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ପାଇଁ ୧ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ବନ୍ୟା ପରିସ୍ଥିତି ଲାଗି ଜାମ୍ମୁକାଶ୍ମୀରର ସମସ୍ତ ସ୍କୁଲ କଲେଜକୁ ଗୁରୁବାର ପାଇଁ ଛୁଟି ଘୋଷଣା କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ସେନା, ଏନଡିଆରଏଫ୍, ଏସ୍‌ଡିଆରଏଫ୍ ଓ ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କରାଯାଉଛି। ସ୍ଥାନୀୟ ସ୍ବେଚ୍ଛାସେବୀ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ଝେଲମ୍ ନଦୀରେ ବନ୍ୟା ସତର୍କତା ଜାରି କରାଯାଇଛି। ଦକ୍ଷିଣ କାଶ୍ମୀର ନିକଟରେ ଝେଲମ୍ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ବୈଷ୍ଣୋଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories