ଗୁଡାରି: କଦର୍ଯ୍ୟ ଅବସ୍ଥାରେ ରହିଥିବା ରାୟଗଡ଼ା ଜିଲା ଗୁଡାରି ବ୍ଲକ ମଧୁବନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲିଗୁଡା -ପିତାମହଲ ଗାଁ ରାସ୍ତାକୁ ମରାମତି କରିଛନ୍ତି ଯୁବଗୋଷ୍ଠୀ। ଗାଁବାସୀ ରାସ୍ତା ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ନିବେଦନ କରି ନିରାଶ ହେବା ପରେ ଯୁବଗୋଷ୍ଠୀ ଶ୍ରମଦାନ କରି ରାସ୍ତା ମରାମତି କରିଛନ୍ତି। ରାସ୍ତା ଅବସ୍ଥା କଦର୍ଯ୍ୟ କାରଣରୁ ବିଦ୍ୟାର୍ଥୀ ଓ ଗ୍ରାମବାସୀ ବ୍ଲକକୁ ଚଳାଚଳ କରିବାରେ ହିନସ୍ତା ହେଉଥିଲେ। ଗ୍ରାମର ଯୁବଗୋଷ୍ଠୀ ହାତରେ ଝୁଡ଼ି ଓ କୋଦାଳ ଧରି ଖାଲଖମାପୂର୍ଣ୍ଣ ରାସ୍ତାକୁ ମାଟି, ଗୋଡ଼ି ଓ ପଥର ପକାଇ ସମତୁଲ କରିଛନ୍ତି। ଗାଁକୁ ପକ୍କାରାସ୍ତା ନିର୍ମାଣ କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗାଁବାସୀ ଚେତାବନୀ ଦେଇଛନ୍ତି। ପିତାମହଲ ଗାଁରେ ୪୫ଟି ପରିବାର ରହୁଛନ୍ତି। ଗ୍ରାମବାସୀଙ୍କ ପାଇଁ ଉଦ୍ଦିଷ୍ଟ ଏକମାତ୍ର ରାସ୍ତା ବର୍ଷାଦିନେ ଧୋଇ ଯାଉଥିଲା। ରାସ୍ତା ଖରାପ କାରଣରୁ ଅନେକ ସମୟରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିଲା। ଶେଷରେ ଅଣ୍ଟା ଭିଡ଼ି ଗାଁ ରାସ୍ତାକୁ ସଜାଡିଛନ୍ତି ପିତାମହଲ ଗ୍ରାମବାସୀ। ପ୍ରଶାସନକୁ ଏ ବିଷୟରେ ଜଣାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରିଥିଲି ବୋଲି କହିଛନ୍ତି ମଧୁବନ ସରପଞ୍ଚ ବଂଶୀ ଶବର। ଗ୍ରାମ ଯୁବକ ଶିବଶଙ୍କର ପାତିକା, ଶଙ୍କର କଣ୍ଡାଗୋରି, ମୀନାନନ୍ଦ ବିଡିକା, ଜିତୁ ବିଡିକା, ସମୁନାଥ ହିମିରିକା, ଚିନା ଆରକା, ମାଧବ ପତିକା, ରାଜେଶ ପାତିକା ଓ ପଦ୍ମନ ବିଡିକା ରାସ୍ତା ମରାମତି କରି ଚଳାଚଳ ଉପଯୋଗୀ କରିଛନ୍ତି।
ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..



