ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଠାଇଥିବା ‘ଭୋଟ ଚୋରି’ ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ କଠୋର ମନୋଭାବ ପୋଷଣ କରିଛନ୍ତି। ରବିବାର ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଭୋଟ ଚୋରି ଅଭିଯୋଗ ଆଣିଛନ୍ତି ତା’ର ପ୍ରମାଣ ସହିତ ସତ୍ୟପାଠ ୭ଦିନ ମଧ୍ୟରେ ଦେବେ। ଅନ୍ୟଥା ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ବିବେଚନା କରାଯିବ। ଆଉ ଏହି ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ। ନିଜର ଅଭିଯୋଗ ପାଇଁ ରାହୁଲଙ୍କ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି ଗୋଟିଏ ହେଲା ଅଭିଯୋଗର ପ୍ରମାଣ ସହିତ ସତ୍ୟପାଠ ଦାଖଲ। ଦ୍ବିତୀୟ ବାଟ ହେଉଛି ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା। ସିଇସି ଜ୍ଞାନେଶ କୁମାର କହିଛନ୍ତି ଯେ ଲୋକସଭା ଓ ବିଭିନ୍ନ ବିଧାନସଭା ନିର୍ବାଚନରେ ଭୋଟ ଚୋରି ହୋଇଥିବା ନେଇ ରାହୁଲ ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ। କୌଣସି ସ୍ଥାନରେ ଭୋଟ ଚୋରି ହୋଇ ନାହିଁ। ରାହୁଲଙ୍କ ଅଭିଯୋଗ ଦେଶର ସମ୍ବିଧାନ ପ୍ରତି ଏକ ଅପମାନ। ଏହା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନୀଚ କରିଛି। ଲୋକେ ସତ କ’ଣ ଜାଣିସାରିଛନ୍ତି। ରାହୁଲ ନିର୍ବାଚନ ଆୟୋଗଙ୍କ ତଥ୍ୟକୁ ହେରଫେର କରି ଭୋଟ ଚୋରି ଅଭିଯୋଗ ଆଣିଛନ୍ତି।
ନିର୍ବାଚନ ଆୟୋଗ (ଇସି)ଙ୍କ ତଥ୍ୟକୁ ଭୁଲ୍ ତର୍ଜମା କରି ସେ ଏପରି ଅଭିଯୋଗ ଉଠାଇଛନ୍ତି। ଯଦି ଜଣେ ଲୋକ ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଯାଏ ତେବେ ସେ ସେଠାରେ ଥିବା ଇଭିଏମ୍ର ଗୋଟିଏ ସୁଇଚ୍କୁ ଥରେ ମାତ୍ର ଦବାଇ ଥାଏ। ଜଣେ ଲୋକର ନାମ ଭୋଟର ତାଲିକାରେ ଦୁଇଥର ଥିଲେ ମଧ୍ୟ ସେ ଥରେ ମାତ୍ର ଭୋଟ ଦେଇପାରିବ। ରାହୁଲ ଏହି ତଥ୍ୟକୁ ଆଧାର କରି ନିର୍ବାଚନ ଆୟୋଗଙ୍କ ବିରୋଧରେ ଭୋଟ ଚୋରିର ଅଭିଯୋଗ କରିଛନ୍ତି। ମାତ୍ର ଭୋଟର ତାଲିକା ଓ ଭୋଟ ଦାନ ଦୁଇଟି ଅଲଗା ପଦକ୍ଷେପ। ଏହାକୁ ଅଲଗା ଯାଞ୍ଚ କରାଯାଇଥାଏ ଓ ଏହା ଅଲଗା ନିୟମ ଦ୍ବାରା ପରିଚାଳିତ। ଭୋଟର ତାଲିକା ଆଇନ ଜନ ପ୍ରତନିଧି ଆଇନ ୧୯୫୦ ଦ୍ବାରା ପରିଚାଳିତ। ଭୋଟ ଦେବା (ମତଦାନ) ଜନ ପ୍ରତିନିଧି ଆଇନ ୧୯୫୧ ଦ୍ବାରା ପରିଚାଳିତ। ତେଣୁ ଭୋଟର ତାଲିକା ଓ ଭୋଟ ଦାନକୁ ଏକାଠି କରି ରାହୁଲ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ। ବିହାରରେ ହୋଇଥିବା ଏସଆଇଆର ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ଭାବେ କରାଯାଇଛି। ଚିଠା ଭୋଟର ତାଲିକାକୁ ନେଇ ବିିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି ବୋଲି ସିଇସି କହିଛନ୍ତି। ନିର୍ବାଚନ ଆୟୋଗ ଶାସକ ଓ ବିରୋଧୀ ଦଳ ମଧ୍ୟରେ କୌଣସି ପ୍ରଭେଦ ଦେଖନ୍ତି ନାହିଁ।
ସିଇସି ଶ୍ରୀ କୁମାର କହିଛନ୍ତି ଯେ ଦେଶର ଭୋଟରଙ୍କୁ ଆଧାର କରି ରାଜନୀତି କରାଯାଉଛି। ଆଉ ଏହି ରାଜନୀତିରେ ନିର୍ବାଚନ ଆୟୋଗଙ୍କୁ ସମ୍ପୃକ୍ତ କରାଯାଇଛି। ନିର୍ବାଚନ ଆୟୋଗଙ୍କ କାନ୍ଧରେ ବନ୍ଧୁକ ରଖି ଭୋଟରଙ୍କୁ ନିଶାଣ କରାଯାଉଛି। ମାତ୍ର ନିର୍ବାଚନ ଆୟୋଗ ନିର୍ଭୀକ ଭାବରେ ସମସ୍ତ ଭୋଟରଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ନିର୍ବାଚନ ଆୟୋଗ ଭୋଟରଙ୍କ ମଧ୍ୟରେ ଧନୀ, ଗରିବ, ବୟସ୍କ, ଯୁବକ, ମହିଳା ଓ ଧର୍ମର ପ୍ରଭେଦ ଦେଖନ୍ତି ନାହିଁ। ଜଣେ ଲୋକ ଦୁଇଟି ଭୋଟ ଦେବାର ଅଭିଯୋଗ କରାଯାଉଥିବାବେଳେ ଏହାର ପ୍ରମାଣ କେହି ଉପସ୍ଥାପନ କରିପାରୁ ନାହାନ୍ତି। ଏପରି ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ ଭୟଭୀତ ନୁହନ୍ତି। ନିର୍ବାଚନ ଆୟୋଗ (ଇସି) ନିଷ୍ଠାର ସହିତ ନିର୍ବାଚନ ପରିଚାଳନା କାର୍ଯ୍ୟ କରୁଛନ୍ତି। ଏପରି ନିଷ୍ଠା ପ୍ରତି ଯଦି କେହି ପ୍ରଶ୍ନ ଉଠାଏ ତେବେ ସେ ଏହାର ପ୍ରମାଣ ଦେବା ଦରକାର। ଅଗଷ୍ଟ ୭ ତାରିଖରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ନିର୍ବାଚନ ଆୟୋଗ ଓ ବିଜେପିକୁ ନିର୍ବାଚନରେ ବିଜୟୀ କରାଇବା ଲାଗି ଭୋଟ ଚୋରି କରିଛନ୍ତି। ଗତ ଲୋକସଭା ନିର୍ବାଚନରେ ବିଜେପି ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନରେ ୩୨,୭୦୭ ଭୋଟରେ ବିଜୟୀ ହୋଇଥିଲା। ଏହି ଆସନରେ ମତଦାନ ହୋଇଥିବା ମୋଟ ଭୋଟ ମଧ୍ୟରୁ ୧ଲକ୍ଷ ୨୫୦ ଭୋଟ ଜାଲ୍ ଭୋଟ। ଏଥିରୁ ୧୧,୯୬୫ ଭାଲ୍ ଭୋଟର, ୪୦,୦୦୯ ହେଉଛି ଭୋଟରଙ୍କ ଠିକଣା ଜାଲ୍, ୧୦,୪୫୨ ଗୋଟିଏ ଠିକଣାରେ ଏକାଧିକ ଭୋଟର, ୪୧୩୨ ଭୋଟରଙ୍କ ଫଟୋ ଜାଲ୍।



