ନୂଆଦିଲ୍ଲୀ: ବିରୋଧୀଙ୍କ ଦାବି ଆଧାରରେ ସୋମବାର ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା କରାଯାଇଛି। ସଶସ୍ତ୍ର ବାହିନୀର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପୂର୍ବକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଥିଲେ। ରାଜନାଥ କହିଥିଲେ ଯେ ସଶସ୍ତ୍ର ବାହିନୀର ଯବାନମାନେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ବ ପ୍ରତି ବଳିଦାନ ଦେବାକୁ ସର୍ବଦା ପ୍ରସ୍ତୁତ। ପହଲଗାଓଁ ଆକ୍ରମଣ ଏପରି ଏକ ଅମାନବୀୟ କାର୍ଯ୍ୟ ଯାହାର ପ୍ରତିଶୋଧ ନେବାକୁ ଭାରତ ଜରୁରୀ ମନେ କରିଥିଲା। ଏହି ଅଭିଯାନରେ ଭାରତ ସେନା ନିଜର ସାହସ, ବୀରତ୍ବ, ରଣନୀତିର ପରିପକ୍ବତା ପ୍ରତିପାଦନ କରିଥିଲା। ରାଜନାଥ କହିଥିଲେ ଯେ ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡିକ ଉପରେ ଭାରତ ଯେଉଁ ଲକ୍ଷ୍ୟନିଷ୍ଟ ଆକ୍ରମଣ କରିଥିଲା ତାକୁ ଇସଲାମାବାଦ ପ୍ରଥମେ ଅସ୍ବୀକାର କରିଥିଲା। ମାତ୍ର ପରେ ପାକିସ୍ତାନ ସେନା ଭାରତର ସାମରିକ ଓ ବେସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରି ଅସ୍ତ୍ରବିରତିର ଉଲ୍ଲଙ୍ଘନ କରିଥିଲା। ପାକିସ୍ତାନର ଏହି ଆକ୍ରମଣ ଉପରେ ଭାରତ ଉଚିତ୍ ଜବାବ ଦେଇଥିଲା। ପାକିସ୍ତାନ ଯେଉଁସବୁ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ କରିଥିଲା ତାହା ସବୁ ନିଷ୍ଫଳ ହୋଇଥିଲା। ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହିସବୁ ଡ୍ରୋନ ଓ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା। ଆନ୍ତର୍ଜାତିକ ଚାପ ଯୋଗୁଁ ଭାରତ ଏହାର ଅପରେସନ ସିନ୍ଦୂରକୁ ସ୍ଥଗିତ ରଖିଥିବା ନେଇ ବିରୋଧଙ୍କ ପକ୍ଷରୁ ହେଉଥିବା ଅନୁମାନକୁ ରାଜନାଥ ଖଣ୍ଡନ କରିଛନ୍ତି। ବିଶେଷକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଭାରତ ଏହାର ସାମରିକ ଅଭିଯାନକୁ ବନ୍ଦ ରଖିଥିବା ନେଇ ଯେଉଁ ଅନୁମାନ କରାଯାଉଛି ତାହା ଭୁଲ୍ ଓ ଭିତ୍ତିହୀନ। ଅପରେସନ ସିନ୍ଦୂରରେ ଭାରତ ଏହାର ଅନେକ ଯୁଦ୍ଧବିମାନ ହରାଇଥିବା ନେଇ ବିରୋଧୀମାନେ କହୁଛନ୍ତି। ସେ କହିଛନ୍ତି ଯେ ବିରୋଧୀମାନେ ଭାରତର ସାମରିକ ଭିତ୍ତିଭୂମିର ଯେଉଁ କ୍ଷତି ବାବଦରେ କହୁଛନ୍ତି ତା’ର କେବଳ ଅନୁମାନ ନ କରି ତଦନ୍ତ କରିବା ଦରକାର। ଅପରେସନ ସିନ୍ଦୂରରେ ଭାରତର ସଫଳତା ବିଷୟରେ ନ କହି କ୍ଷୟକ୍ଷତି ବିଷୟରେ ବିରୋଧୀମାନେ ଆଲୋଚନା କରିବା ସେମାନଙ୍କର ଜାତୀୟତାର ପରିଚୟ ନୁହେଁ। ସେ କହିଛନ୍ତି ଯେ ଆତଙ୍କବାଦକୁ ଲାଳନପାଳନ କରୁଥିବା ଭଳି ଦେଶ ସହିତ କୌଣସି ପ୍ରକାର ଦ୍ବିପାକ୍ଷିକ କଥାବାର୍ତ୍ତା କରାଯାଇପାରିବ ନାହିଁ। କାରଣ ଆତଙ୍କବାଦ ଓ ଶାନ୍ତି ଏକାଠି ଚାଲିପାରିବ ନାହିଁ। ଶେଷରେ ଅପରେସନ ସିନ୍ଦୂର ସମୟରେ ବିରୋଧୀ ଦଳଗୁଡିକ ଆଦର୍ଶଗତ ମତପାର୍ଥକ୍ୟ ଭୁଲି ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିବାରୁ ରାଜନାଥ ସମସ୍ତ ବିରୋଧୀ ଦଳଙ୍କୁ ଧନ୍ୟବାଦ ଜଣାଇଥିଲେ।
ରାଜନାଥଙ୍କ ପରେ ବିରୋଧୀ କଂଗ୍ରେସ ସାଂସଦ ଗୌରବ ଗୋଗଇ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ପ୍ରତିରକ୍ଷା ମନ୍ତ୍ରୀ ଅପରେସନ ସିନ୍ଦୂର ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି। ମାତ୍ର ପହଲଗାଓଁ ବାଇସରନ ଉପତ୍ୟକାରେ ଆତଙ୍କବାଦୀମାନେ କିପରି ପହଞ୍ଚିଲେ ସେ ସମ୍ପର୍କରେ ମନ୍ତ୍ରୀ କିଛି କହିଲେ ନାହିଁ। ସରକାର ପର୍ଯ୍ୟଟକମାନଙ୍କୁ ଜାମ୍ମୁ-କାଶ୍ମୀର ଯିବା ଲାଗି ପ୍ରୋତ୍ସାହିତ କରୁଛନ୍ତି; ମାତ୍ର ସେମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି। ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସହାୟତା ଯୋଗାଇ ଦେଇଥିଲାବେଳେ ଭାରତ ଏହାକୁ ରୋକିବାରେ କାହିଁକି ବିଫଳ ହେଲା ବୋଲି ଗୌରବ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଆଲୋଚନାରେ ଭାଗ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ପ୍ରହାର ଦେବା ପୂର୍ବକ ଭାରତ ସିନ୍ଧୁ ଜଳ ରାଜିନାମାକୁ ସ୍ଥଗିତ ରଖିଥିଲା।, ଏହା ସହିତ ସାର୍କ ଭିସା ବାତିଲ ଓ ଅଟ୍ଟାରୀ ସୀମାକୁ ବନ୍ଦ କରିଥିଲା। ଜୟଶଙ୍କର କହିଛନ୍ତି ଯେ ଅପରେସନ ସିନ୍ଦୂରକୁ ଜାତିସଂଘ ସୁରକ୍ଷା ପରିଷଦ ସମର୍ଥନ କରିଥିଲା। ପାକିସ୍ତାନ ଏହାର ସଦସ୍ୟ ଥିବା ସତ୍ତ୍ବେ ୟୁଏନ୍ଏସ୍ସି କହିଥିଲା ଯେ ପହଲଗାଓଁ ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ଆଇନର କାଠଗଡାକୁ ଅଣାଯିବା ଉଚିତ୍। ଏହା ସହିତ ୟୁଏନଏସ୍ସି ପହଲଗାଓଁ ଆକ୍ରମଣକୁ ନିନ୍ଦା କରିଥିଲା। ତେଣୁ ଭାରତର ଏହା କୂଟନୈତିକ ବିଜୟ। ସେହିପରି ଜାତିସଂଘର ୧୯୦ଟି ଦେଶ ମଧ୍ୟରୁ ମାତ୍ର ୩ଟି ଦେଶ ଅପରେସନ ସିନ୍ଦୂରକୁ ବିରୋଧ କରିଥିଲେ।
ଆଲୋଚନାରେ ଭାଗ ନେଇ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ ଯେ ଭାରତୀୟଙ୍କୁ ହତ୍ୟା କରି କେହି ଜଣେ ଶାନ୍ତିରେ ଶୋଇପାରିବ ନାହିଁ। ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅନେକ ପଦକ୍ଷେପ ନିଆଯାଇଛି ଯାହା ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଜବାବ ଦେବାକୁ ଯାଇ ଭାରତ ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ୍ ଏୟାର ଷ୍ଟ୍ରାଇକ କରିଥିଲା। ମାତ୍ର ପାକିସ୍ତାନ ଏଥିରେ ଚେତି ନଥିଲା। ମାତ୍ର ପହଲଗାଓଁ ଆକ୍ରମଣ ପରେ ଭାରତ କରିଥିବା ଅପରେସନ ସିନ୍ଦୂର ପାକିସ୍ତାନର ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରିଦେଇଛି। ଭାରତର ଏହି ଅଭିଯାନରେ ପାକିସ୍ତାନର ଅନେକ ସାମରିକ ଭିତ୍ତିଭୂମି ନଷ୍ଟ ହୋଇଛି। ବୈଜୟନ୍ତ ପଣ୍ଡା ମନ୍ତବ୍ୟ ଦେଉଥିବା ସମୟରେ ଜଣେ ବିରୋଧୀ ସାଂସଦ କହିଥିଲେ ଯେ ଆଲୋଚନା ଆନନ୍ଦଦାୟକ ହେଉ ନାହିଁ। ଏହା ଶୁଣିବା ପରେ ବୈଜୟନ୍ତ ତୁରନ୍ତ ଜବାବ ଦେଇଥିଲେ। ବୈଜୟନ୍ତ କହିଥିଲେ ଯେ କଂଗ୍ରେସ ଯଦି ଏହାର ଭଲ ବକ୍ତାଙ୍କୁ କହିବା ଲାଗି ସୁଯୋଗ ଦିଅନ୍ତା ତେବେ ଆଲୋଚନା ଆନନ୍ଦଦାୟକ ହୁଅନ୍ତା। କଂଗ୍ରେସ ଏହାର ସାଂସଦ ଶଶୀ ତରୁର୍ଙ୍କୁ ଯଦି କହିବାକୁ ସୁଯୋଗ ଦିଅନ୍ତା ତେବେ ସେ ଅପରେସନ ସିନ୍ଦୂର ଉପରେ ଭଲ କହିପାରନ୍ତେ। ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ସାଂସଦ ଛୋଟେଲାଲ୍, ଆରଜେଡିର ଅଭୟ କୁମାର ଲାଲ୍, କଂଗ୍ରେସର ଦିପେନ୍ଦର ହୁଦା, ବିଜେପିର ଅନୁରାଗ ଠାକୁର, ସିପିଆଇଏମଏଲ୍ର ରାଜାରାମ ସିଂହ, କଂଗ୍ରେସର ପ୍ରିୟଙ୍କା ଭଦ୍ରା ଗାନ୍ଧୀ, ଏଆଇଏମ୍ଆଇଏମ୍ର ଅସାଦୁଦ୍ଦିନ ଓୱେସୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଲୋକସଭାରେ ଅପରେସନ ସିନ୍ଦୂର ଉପରେ ୧୬ଘଣ୍ଟାର ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି। ମଙ୍ଗଳବାର ରାଜ୍ୟସଭାରେ ଏହା ଉପରେ ଆଲାଚନା କରାଯିବ। ଆଜିର ଏହି ଆଲୋଚନା ଆରମ୍ଭ ପୂର୍ବରୁ ଲୋକସଭାକୁ ତିନିଥର ଓ ରାଜ୍ୟସଭା ମୁଲତବୀ ରହିଥିଲା। ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା କାର୍ଯ୍ୟ (ଏସ୍ଆଇଆର) ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ ବିହାର ଏସ୍ଆଇଆର ଉପରେ ଆଲୋଚନା ପାଇଁ ସରକାରଙ୍କ ଠାରୁ ପ୍ରତିଶ୍ରୁତି ଲୋଡିବା ପୂର୍ବକ ଏପରି ହୋହଲ୍ଲା କରାଯାଇଛି। ଅପରେସନ ସିନ୍ଦୂର ପରେ ବିହାର ଏସ୍ଆଇଆର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ତେଣୁ ଏହା ଉପରେ ଆଲୋଚନା ହେବା ଦରକାର ବୋଲି ଯାଦବ କହିଥିଲେ। ମେ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ସେନା ମେ ୭ ତାରିଖରେ ପାକିସ୍ତାନ ବିରୋଧରେ ସାମରିକ ଅଭିଯାନ କରିଥିଲା। ଏହି ସାମରିକ ଅଭିଯାନର ନାମ ରହିଥିଲା ଅପରେସନ ସିନ୍ଦୂର। ଏହି ଅଭିଯାନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସକ୍ରିୟ ଆତଙ୍କବାଦୀ ଆଡ୍ଡାସ୍ଥଳ ଉପରେ ଭାରତ ଆକ୍ରମଣ କରିଥିଲା।
ପାକିସ୍ତାନ ଉପରେ ଭାରତ ସାମରିକ ଓ କୂଟନୈତିକ ବିଜୟ ହାସଲ କରିଛି
Popular Categories



